ଶ୍ରୀକ୍ଷେତ୍ରର ଗରିମାମୟ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ: ଦିବ୍ୟସିଂହ ଦେବ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବା ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଥିଲେ। ଏହାର ୨୪ ଘଣ୍ଟା ପରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ଜବାବ ରଖିଛନ୍ତି। କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଗରିମାମୟ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେ ନିଜେ ନିଷ୍ଠାର ସହ ଉଦ୍ୟମ କରିବେ।

ଚିଠିରେ ଗଜପତି ଉଲ୍ଲେଖ କରିଛନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଅଗଣିତ ଭକ୍ତମାନଙ୍କର ଐଶ୍ବରିକ ପ୍ରେରଣାର ଉତ୍ସ। କାହିଁ କେତେ କାଳରୁ ଓଡ଼ିଶାର ଲୋକମାନେ ଶାନ୍ତି, ସମୃଦ୍ଧି ଓ ଗୌରବ ପାଇଁ ପଦ୍ମପାଦ ମହାପ୍ରଭୁଙ୍କ ପାଖରେ ବିଶ୍ବାସ ରଖିଆସିଛନ୍ତି। ଓଡ଼ିଶାର ଲୋକମାନଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିବାରେ ମହାପ୍ରଭୁ ହିଁ ସର୍ବଦା ପ୍ରେରଣା ଦେଇଆସିଛନ୍ତି। ଆମ ରାଜ୍ୟ ମଧ୍ୟ ତାର ସମସ୍ତ ସମ୍ବଳ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଇଆସିଥିବା ନେଇ ଇତିହାସରେ ଲିପିବଦ୍ଧ ରହିଛି। ସେହି ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ଓ ପାରିପାର୍ଶ୍ବିକ ବିକାଶ ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଛନ୍ତି। ଯାହାଫଳରେ ବିଶ୍ବଦରବାରରେ ପୁରୀ ଜଗନ୍ନାଥ ଧାମ ଗୋଟିଏ ପ୍ରମୁଖ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ଷେତ୍ରର ପରିଚୟ ପାଇବ। ବିଭିନ୍ନ ଧର୍ମଗ୍ରନ୍ଥ ଅନୁସାରେ ବିଶ୍ବର ସବୁ ଧର୍ମରେ ମହାପ୍ରଭୁ ଜଗନ୍ନାଥ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି। ଏହି ଐତିହାସିକ କାର୍ଯ୍ୟ ପାଇଁ ରାଜ୍ୟ, କେନ୍ଦ୍ର ସରକାର ଓ ସର୍ବୋପରି ଭକ୍ତମାନଙ୍କ ଆନ୍ତରିକତା ଏକାନ୍ତ କାମ୍ୟ ବୋଲି ଯାହା ଆପଣ ଦର୍ଶାଇଛନ୍ତି ତାହା ବାସ୍ତବରେ ଠିକ୍‌। ଏହି କାର୍ଯ୍ୟ ବି ଦିନେ ସଫଳ ହେବ ସେଥିରେ ସନ୍ଦେହ ନାହିଁ। ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବରେ ସେବା କରିବା ପାଇଁ ସମସ୍ତ ଆଗେଇ ଆସିଛନ୍ତି ଏହା ଯୁଗେ ଯୁଗେ ପ୍ରମାଣିତ ହୋଇଛି। କାରଣ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କୁ ଏକତାର ବନ୍ଧନରେ ବାନ୍ଧି ରଖିଥାନ୍ତି। ଏହି ବିଶ୍ବାସ ସମସ୍ତଙ୍କ ହୃଦୟରେ ବିଦ୍ୟମାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଭାବାବେଗ ପ୍ରତି କୃତଜ୍ଞତା ଜଣାଇ ଗଜପତି ପ୍ରତିଶ୍ରୁତି ଦେଇ କହିଛନ୍ତି, ଶ୍ରୀକ୍ଷେତ୍ରର ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଏ ଦିଗରେ ସେ ନିଜେ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅହରହ କାର୍ଯ୍ୟ ଜାରି ରଖିବ। ମହାପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀଙ୍କୁ ସହାୟ ହୁଅନ୍ତୁ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର