ଲକଡାଉନ୍ ପରେ ରଥଯାତ୍ରା ନିଷ୍ପତ୍ତି, ମେ’ ୩ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇପାରିବ ନାହିଁ : ଗଜପତି ମହାରାଜ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ । ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ  କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ରଥଯାତ୍ରା ଓ ସ୍ନାନଯାତ୍ରା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଗଜପତି ମହାରାଜ କହିଛନ୍ତି, ପରିଚାଳନା କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛି ଯେ, ମେ’ ମାସ ୩ ତାରିଖରେ ଯେଉଁ ନିଷ୍ପତ୍ତି ଆସିବ, ଏଥିରେ ଦେବନୀତି ଉପରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ଏଥି ପ୍ରତି ଗୁରୁତ୍ୱ ଦିଆଯାଉ । ଅନ୍ୟପଟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଜୀବନକୁ ବିପଦରେ ନପକାଇ କୋଭିଡ-୧୯ର କୌଣସି ନିୟମ ଉଲଂଘନ ନ କରି ରଥାଯାତ୍ରା କରିହେବ କି ନାହିଁ, ତାହା ସରକାର ବିବେଚନା କରିବେ । ମେ’ ୩ ତାରିଖ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯାହା ଗାଇଡଲାଇନ ଦେବେ ସେହି ହିସାବରେ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ ଗଜପତି ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ଗାଇଡଲାଇନ୍ ଅନୁସାରେ ମେ ୩ ତାରିଖ ଯାଏଁ କୌଣସି ସର୍ବସାଧାରଣସ୍ଥଳୀରେ କୌଣସି ଧାର୍ମିକ ଅନୁଷ୍ଠାନ ହୋଇପାରିବ ନାହିଁ। ଏହାକୁ ସଂପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁପାଳନ କରିବ। ତେଣୁ ରଥନିର୍ମାଣ କାର୍ଯ୍ୟ ଓ ଶ୍ରୀମନ୍ଦିର ବ‌ାହାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର