ଗଜପତି: ୩ ଦଳର ଶିବିର ଚଳଚଞ୍ଚଳ: ବିଜେଡି ପାଇଁ ସମ୍ମାନର କଥା

ସଫଳତା ଦୋହରାଇବା ଲକ୍ଷ୍ୟରେ ବିଜେପି, କଂଗ୍ରେସ

ଶ୍ରୀକାନ୍ତ ମହାରଣା
ପାରଳାଖେମୁଣ୍ତି: ୨୦୨୪ ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା‌ରେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପାଇଁ ସମ୍ମାନର ବିଷୟ ପାଲଟିଛି। କାରଣ ୨୦୧୯ ନିର୍ବାଚନରେ ମୋହନାରେ କଂଗ୍ରେସ ଓ ପାରଳାଖେମୁଣ୍ଡିରେ ବିଜେପି ବାଜି ମାରିଥିଲା। ଏଥର ବିଜେଡି ଖାତା ଖୋଲିପାରିବ କି ନାହିଁ, ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ ବିଜେପି ଓ କଂଗ୍ରେସ ସଫଳତାକୁ ଦୋହରାଇବେ ନା ସମୀକରଣ ବଦଳିଯିବ ସେନେଇ ଚର୍ଚ୍ଚା ହେଉଛି। ୨୦୧୯ରେ ମୋହନା ବିଧାନସଭା ଆସନରେ ଦାଶରଥି ଗମାଙ୍ଗ ପ୍ରାୟ ୩ ହଜାର ଏବଂ ପାରଳାରେ ବିଜେପିର କେ.ନାରାୟଣ ରାଓ ପ୍ରାୟ ୧୧,୫୦୦ ଖଣ୍ତ ଭୋଟ୍‌ରେ ଜିତିଥିଲେ। ବିଜେଡି ମହିଳାକାର୍ଡ଼ ଖେଳିଥିଲା। ଦୁଇଟି ଯାକ ଆସନରେ ନୂଆ ମୁହଁ ଭାବେ ମହିଳାଙ୍କୁ ପ୍ରାର୍ଥୀ କରାଇ ଥିଲା। ସଂପ୍ରତି ବିଜେଡି ନିୟମିତ ଭାବେ ଦଳୀୟ କାର୍ଯ୍ୟକ୍ରମ କରି ଉଭୟ କଂଗ୍ରେସ ଓ ବିଜେପି ଠାରୁ ବହୁତ ଆଗରେ। ଦଳର ପର୍ଯ୍ୟବେକ୍ଷକ ଘନଘନ ଜିଲ୍ଲା ପରିଦର୍ଶନରେ ଆସୁଛନ୍ତି। ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ଦେଖିବାକୁ ମିଳିଥିଲା। ଉଭୟ କଂଗ୍ରେସ ଓ ବିଜେପି ସେମାନଙ୍କ ସ୍ଥିତି ହରାଇବେ ବୋଲି ଆକଳନ ହେଉଥିଲା। ୩ ପ୍ରମୁଖ ଦଳର ସଭାପତିଙ୍କ ନାମ ଘୋଷଣା ସରିଛି। ବିଜେଡିରେ ଏହି ଗୁରୁ ଦାୟିତ୍ବ ରହିଛି ପୁରୁଖା ନେତା ଜଗବନ୍ଧୁ ଦାଶଙ୍କ କାନ୍ଧରେ। କ˚ଗ୍ରେସ ଓ ବିଜେପି ପୁଣିଥରେ ଦଳର ଦୁଇ ବିଧାୟକଙ୍କୁ ଦାୟିତ୍ବ ଲଦିଛି।

ମୋହନା ଆସନରେ କ˚ଗ୍ରେସରୁ ଦାଶରଥି ଗମାଙ୍ଗ ପୁନର୍ବାର ଟିକଟ ପାଇବେ ବୋଲି ପିସିସି ଘୋଷଣା କରିଥିବା ବେଳେ ପାରଳା ଆସନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ଏଥର ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ। ଉଭୟ ଆସନରେ ବିଜେଡିର ଆଶାୟୀଙ୍କ ତାଲିକା ମଧ୍ୟ ବେଶ୍ ଲମ୍ବା। ମୋହନା ସ˚ରକ୍ଷିତ ଆସନରେ ପ୍ରଥମ ଦାବିଦାର ଭାବେ ଅନ୍ତର୍ଯାମୀ ଗମାଙ୍ଗ କିମ୍ବା ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣବାସୀ ନାୟକଙ୍କ ନାମ ଚର୍ଚ୍ଚାରେ ରହିଛି। ପାରଳାଖେମୁଣ୍ତି ଆସନରେ ରାଜକୁମାରୀ ସୁଶ୍ରୀ କଲ୍ୟାଣୀ ଦେବୀ, ଡ. ତିରୁପତି ପାଣିଗ୍ରାହୀ ଏବଂ ତାଙ୍କ ପୁଅ ଇଂ. ରୂପେଶ ପାଣିଗ୍ରାହୀ ଆଶାୟୀ। କେ.ନାରାୟଣ ରାଓ ସ୍ଥାନୀୟ ସମସ୍ୟାକୁ ବିଧାନସଭାରେ ଉଠାଇ ଲୋକଙ୍କ ନଜରରେ ରହିଛନ୍ତି। ପୂର୍ବରୁ ତେଲୁଗୁ ସମ୍ପ୍ରଦାୟ କାମ୍ପ ଜାତିର ସେ ଏକମାତ୍ର ନେତା ଭାବେ ପରିଚିତ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ସଭାପତି ଗୋବରା ତିରୁପତି ରାଓ, ଜିଲ୍ଲା ପରିଷଦ ସଦସ୍ୟ ଏସ୍.ବାଲାରାଜୁ ଓ ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ ପ୍ରମୁଖ କାମ୍ପ ଜାତିର ନେତା ଭାବେ ଉଭା ହୋଇଛନ୍ତି।

ପାରଳା ଆସନରେ ପିସିସିର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କ˚ଗ୍ରେସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ଠୁ ପାରଳା ଆସନରେ କଂଗ୍ରେସ ଏକପ୍ରକାର ସୁପ୍ତ। ଆଗାମୀ ୬ ମାସ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦଳର ସଂଗଠନକୁ କିଭଳି ସକ୍ରିୟ କରିବେ ଏହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ପାରଳା ଆସନର ଗୁମ୍ମା ବ୍ଲକକୁ ଛାଡ଼ିଦେଲେ କାଶୀନଗର ଓ ଗୋଷାଣୀ ବ୍ଲକ୍ ସହ ପାରଳା ପୌରପାଳିକାରେ ଅନେକ କ˚ଗ୍ରେସ କର୍ମୀ ଏବେ ବିଜେଡି ଓ ବିଜେପି କ୍ୟାମ୍ପ୍‌ରେ ଦେଖାଯାଉଛନ୍ତି। ଅନ୍ୟପଟେ କିଛିଦିନ ତଳେ ବିଜେଡିର ଦଳୀୟ କ୍ୟାଡର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହେବା ପରେ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ପାରଳାଖେମୁଣ୍ତି ଓ ମୋହନାରେ ବିଜେଡି ବିଜୟୀ ହେବ ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଫଳରେ ବିଜେଡି ଶିବିରରେ ରାଜନୈତିକ ମା‌ହୋଲ୍ ସରଗରମ ରହିଛି।

ସମ୍ବନ୍ଧିତ ଖବର