ବାସ ଦେଇଦେଲେ, ବେଉସା ଦେଲେନି; ସରକାରୀ ଯୋଜନାକୁ ଗଜପତି ଆଦିବାସୀଙ୍କ ଭରସା ନାହିଁ
‘ତିତ୍ଲି’କୁ ଦୁଇ ବର୍ଷ ପୁରିଲା, ପାହାଡ଼ ତଳକୁ ଆସିବାକୁ ଅନିଚ୍ଛୁକ
ପାରଳାଖେମୁଣ୍ତି : ତିତ୍ଲି ମହାବାତ୍ୟାକୁ ୨ ବର୍ଷ ପୂରି ଗଲାଣି। ଗଜପତି ଜିଲ୍ଲାରେ ତାଣ୍ଡବ ରଚିଥିବା ଏହି ବାତ୍ୟା ରାୟଗଡ, ରା.ଉଦୟଗିରି, ଗୋଷାଣୀ ବ୍ଲକ୍ ସହ ପାରଳାଖେମୁଣ୍ତି ସହରକୁ ଛାରଖାର କରିଥିଲା। ପାହାଡ଼ ଧସି ବାରଘର, ଗଙ୍ଗାବାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ, ମଣ୍ତଳସାହି ଅଞ୍ଚଳର ଅନେକ ଗ୍ରାମ, ମାଢ଼ା ଏବ˚ ମାଢ଼ବା ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ୬୦ ଜୀବନ ଗଲା। ବିଶେଷ କରି ପାହାଡ଼ ଉପରେ ଓ ପାଦ ଦେଶରେ ବାସ କରୁଥିବା ଆଦିବାସୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ରାୟଗଡ଼ ଏବଂ ରା.ଉଦୟଗିରି ବ୍ଲକ୍ ଅଧିକାରୀଙ୍କ ନିକଟରେ ପାହାଡ଼ ଉପରେ ଚାଷ କରୁଥିବା ପରିବାରଙ୍କ ତଥ୍ୟ ନଥିଲା ବୋଲି କହିଛନ୍ତି ଗଙ୍ଗାବାଡ ସରପଞ୍ଚ ହାଡିବନ୍ଧୁ କାର୍ଯୀ। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅବସ୍ଥାପିତ ଏହି ପଞ୍ଚାୟତରେ ପ୍ରାୟ ୩ ହଜାର ଆଦିବାସୀ ଏବ˚ ଅଣଆଦିବାସୀ ପରିବାର ବାସ କରୁଥିବା ବେଳେ ଗମନାଗମନ ସୁବିଧା ନଥିବା ଯୋଗୁଁ ଗଙ୍ଗାବାଡ଼ ପଞ୍ଚାୟତ ସବୁବେଳେ ଅଣଦେଖା ହୋଇ ରହିଥିଲା। ତିତ୍ଲି ବିପର୍ଯ୍ୟୟ ପରେ ପାହାଡ଼ ତଳେ ସମତଳ ଜାଗାରେ ଆବାସ କରି ସରକାର ତାଙ୍କ କାମ ସରିଦେଲେ, ହେଲେ ପୁରୁଣା ଜାଗା ଛାଡ଼ି ପାହାଡ଼ ତଳେ ନୂଆ ଆବାସକୁ ଆସିବାକୁ ଆଦିବାସୀ ନାରାଜ। ସରକାରଙ୍କ ଉପରେ ସେମାନଙ୍କ ଭରସା ଆସୁନାହିଁ। କାରଣ ଆବାସ ଦେଇଦେଲେ କ’ଣ ହେବ, ବେଉସା କିଏ ଦେବ(?), ସରକାର ସେ କଥା ଚିନ୍ତା କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତିତ୍ଲିରେ ଏହି ସବୁ ଗ୍ରାମରେ ବିଶେଷ କ୍ଷୟକ୍ଷତି ଘଟିବା ପରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ପଡ଼ିଥିଲା। ପାହାଡ଼ରେ ଲୋକେ ଆଉ ବସବାସ କରିବେ ନାହିଁ ଏବ˚ ବଗଡ଼ ଚାଷ କରିବେ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ପକ୍କାଘର ନିର୍ମାଣ ଠାରୁ ଆରମ୍ଭ କରି ପାହାଡ଼ ତଳେ ଚାଷ କରିବା ଉଦ୍ଦେଶ୍ୟରେ କିଛି ଯୋଜନା ଉଦ୍ୟାନ ଏବ˚ କୃଷି ବିଭାଗ ତରଫରୁ ଘୋଷଣା ହୋଇଛି। କିନ୍ତୁ ଆଜିକା ଦିନରେ ମଧ୍ୟ ଆଦିବାସୀ ଚାଷୀ ବଗଡ଼ ଚାଷ ଛାଡ଼ି ନାହାନ୍ତି। ସରକାରଙ୍କ ଯୋଜନା ଉପରେ ବିଶ୍ବାସ କରିପାରୁ ନାହାନ୍ତି ଏହି ଆଦିବାସୀ ଚାଷୀମାନେ। ସେମାନେ କହିବା ଅନୁସାରେ, ପାରମ୍ପରିକ ଚାଷକୁ ଅଣଦେଖା କରିବା ଅସମ୍ଭବ ଏବ˚ ସରକାରୀ ଉଦ୍ୟାନ ଯୋଜନା ଘୋଷଣା କେବଳ କାଗଜପତ୍ରରେ ହିଁ ସୀମିତ। ଘର ଖଣ୍ତିଏ ପାଇଛୁ ବୋଲି କହିଛନ୍ତି ସନୁଆ କାର୍ଯୀ, ମହିତ ଭୁୟାଁ ଓ ଜାକବ ମଣ୍ତଳ। ତେବେ ପାହାଡ଼ ଉପରେ ସେମାନେ ମାଣ୍ତିଆ, କାନ୍ଦୁଲ, କୋଳଥ, ଛାଞ୍ଚୁଣୀ ଓ କାଜୁ ଉତ୍ପାଦନ କରୁଛନ୍ତି। ପାହାଡ଼ ତଳକୁ ଆସିଲେ ଏସବୁ ଚାଷ ହୋଇପାରିବ ନାହିଁ। ସରକାର କରିଥିବା ଘୋଷଣା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବା, ମଧ୍ୟସ୍ଥିଙ୍କ ସାହାଯ୍ୟ ଲୋଡ଼ିବା ଓ ସରକାରୀ ଅଧିକାରୀଙ୍କ ପାଇଁ ଅଫିସ ଆଗରେ ଗୋଡ଼ଭାଙ୍ଗି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ହିଁ ସାର ହେବ। ତେଣୁ ପାହାଡ଼ ଉପରେ ମରିବୁ ପଛେ ନିଜ ବଗଡ଼ ଛାଡ଼ିବାକୁ ଅନିଛୁକ ହୋଇଛନ୍ତି।