ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି; ରଥଯାତ୍ରା ଲାଗି ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କଲେ

ପୁରୀ:  ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି (ଶନିବାର) ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଗଜପତି ମହାରାଜା ଏହି ପତ୍ର ଲେଖିଛନ୍ତି। ସେ ଲେଖିଥିବା ଚିଠିରେ ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ରଥଯାତ୍ରା ସଂପର୍କରେ ନିଜ ମତ ବାଢ଼ିଛନ୍ତି। ରଥଯାତ୍ରା ସ୍ଥଗିତ ରଖିବା ନେଇ ସୁପ୍ରିିମ୍‌ କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାର ଆଉ ଥରେ ସୁପ୍ରିମ କୋର୍ଟ ଯିବାକୁ ଅନୁରୋଧ କରିଛନ୍ତି ଗଜପତି।

ଦୀର୍ଘ ୩ ଫର୍ଦ ବ୍ୟପୀ ଏହି ପତ୍ରରେ ଗଜପତି ଉଲ୍ଲେଖ କରିଛନ୍ତି ଯେ  ଜଗନ୍ନାଥ ଅବତାର ନୁହଁନ୍ତି; ଅବତାରୀ। ମହାପ୍ରଭୁ ତାଙ୍କର ଭକ୍ତମାନଙ୍କୁ ଦେଖା କରିବା ପାଇଁ ବର୍ଷରେ ଥରଟିଏ ବଡ଼ଦାଣ୍ଡକୁ ବାହାରି ଥାଆନ୍ତି। ପୁରୀ ଜଗନ୍ନାଥଙ୍କ ମୂଳପୀଠ, ସେଠାରେ ରଥଯାତ୍ରା ବନ୍ଦ କରିବା ଉଚିତ ନୁହେଁ। ଶ୍ରୀମନ୍ଦିର ରେକର୍ଡସ ଅଫ୍‌ ରାଇଟସ୍‌ ଅନୁଯାୟୀ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ଏକପ୍ରକାର ବାଧ୍ୟତାମୂଳକ ବିଧି। ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇ ନ ଥିଲା। କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ରଥଯାତ୍ରା ବନ୍ଦ ହୋଇଥିଲା। ଆଇନତଃ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ। ତେଣୁ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ପତ୍ର ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଗଜପତି।

ସମ୍ବନ୍ଧିତ ଖବର