ପୁରୀ ରଥଯାତ୍ରା : ପୁନଃବିଚାର ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ପୁରୀ : ରଥଯାତ୍ରା ବନ୍ଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଗତ ୧୮ ତାରିଖରେ ଦେଇଥିବା ନିର୍ଦ୍ଦେଶର ପୁନଃବିଚାର କରିବା ଓ ଏଥିରେ ଆଂଶିକ ପରିବର୍ତ୍ତନ କରି ମହାପ୍ରଭୁଙ୍କ ମୂଳ ପୀଠ ପୁରୀରେ ରଥଯାତ୍ରାକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପୁରୀର ଗଜପତି ମହାରାଜ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟ ସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଦେଇଛନ୍ତି।

ମହାରାଜ ଏହି ଚିଠିରେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ପୁରୀ ପୀଠର ସ୍ବତନ୍ତ୍ରତା ଓ ରଥଯାତ୍ରାକୁ ନେଇ ରହିଥିବା ଶାସ୍ତ୍ରୀୟ ବିଧାନର ମଧ୍ୟ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ସମୟରେ କ‌ଟକଣାକୁ ଦୃଷ୍ଟିରେ ରଖି ରଥଯାତ୍ରା କରାଯାଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ମୁତାବକ, ସେ ଏହାର ପୁନଃବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଏ ନେଇ ତୁରନ୍ତ ପୁନଃବିଚାର ପାଇଁ ଆଉ ଥରେ ସୁପ୍ରିମକୋର୍ଟଙ୍କୁ ଯାଆନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଗଜପତି ମହାପ୍ରଭୁଙ୍କ ରଥଯାତ୍ରାର ମହାନତା ବଖାଣି କହିଛନ୍ତି; ରଥଯାତ୍ରା ସଂପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ. ନୀଳାଦ୍ରି ମହୋଦୟ, ବାମଦେବ ସିଂହତାରେ ଉଲ୍ଲେଖ ରହିଛି। ମହାପ୍ରଭୁ ଜଗନ୍ନାଥ ଅବତାର ନୁହନ୍ତି, ସେ ଅବତାରୀ। ଜଗନ୍ନାଥ ଧାମ ‌ହେଉଛି ବିଶ୍ବର ଅନ୍ୟତମ ପୀଠ। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟାରେ ଅନୁଷ୍ଠିତ ରଥଯାତ୍ରାକୁ ‌ନେଇ ଗଜପତି ଐତିହାସିକ ତଥ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ମୋଗଲ ଆକ୍ରମଣ ସମୟରେ ଅର୍ଥାତ ଷୋଡ଼ଶରୁ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ‌ଏହା ହୋଇ ନ ଥିଲା। ସେତେବେ‌ଳେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏପରିକି ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ ‌ହୋଇନଥିଲା। ତେଣୁ କରୋନା ଭଳି ପରିସ୍ଥିତିରେ ରଥଯାତ୍ରା ଅସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।

ଏଥି ସହିତ ଗଜପତି ଗତ ୩୦ ମେ ପରିଚାଳନା କମିଟି ବୈଠକ କଥା ଉଠାଇଛନ୍ତି। ବିନା ଭକ୍ତରେ ରଥଯାତ୍ରା କରିବାକୁ ପରିଚାଳନା କମିଟି ସରକାରଙ୍କୁ ଜଣାଇଥିଲେ। ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ କହିଥିଲେ। ଏପରିକି ବୈଠକର ବିବରଣୀ ମଧ୍ୟ ପ୍ରଦାନ କରିଥିବା ଉଲ୍ଲେଖ କରିଛନ୍ତି। ରଥଯାତ୍ରା ନହେ‌ଲେ ବିଶ୍ବର ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଧାର୍ମିକ ଭାବନାକୁ ଏହା ଆଘାତ ଦେବ। ସନାତନ ବୈଦିକ ଧର୍ମ ଅନୁସାରେ କେହି ସିଂହାସନ ଛାଡନ୍ତି ନାହିଁ। ମାତ୍ର ମହାପ୍ରଭୁ ନିଜେ ବାହାରକୁ ଆସି ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ ଦିଅନ୍ତି। ଏ ସଂପର୍କରେ ସନ୍ଦପୁରାଣ, ପୁରୁଷୋତ୍ତମ ପୁରାଣ, ମତ୍ସ୍ୟପୁରାଣ( ଅଧ୍ୟାୟ ୩୩, ଶ୍ଳୋକ ୯୪-୯୭)ରେ ଉଲ୍ଲେଖ ଅଛି। ଏପରିକି ଏହାର ବିକଳ୍ପ ଦିନ ମଧ୍ୟ ନାହିଁ। ନିର୍ଦ୍ଦିଷ୍ଟ ଦିନରେ ରଥଯାତ୍ରା କରିବା ପାଇଁ ଶ୍ରୀମନ୍ଦିର ସ୍ବତଲିପିରେ ଉ‌ଲ୍ଲେଖ ରହିଛି। ମନ୍ଦିର ପରିଚ‌ାଳନା କମିଟି ମଧ୍ୟ ତାହା ମାନିବାକୁ ବାଧ୍ୟ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ୧୯୫୫ ଅନୁସାରେ ଏହା ସ୍ବତଲିପିରେ ଏହା ରହିଛି। ଏହି ସବୁ କାରଣରୁ ପୁରୀ ରଥଯାତ୍ରାର ସ୍ବତନ୍ତ୍ରତା ରହିଛି, ଏହା ବନ୍ଦ ହେବା ଉଚିତ ନୁହେଁ। ଏହା ଅନ୍ୟତ୍ର ମଧ୍ୟ କରାଯାଇପାରିବ ନାହିଁ। ଏପରିକି ୧୯୬୪ରେ ମାନ୍ୟବର ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ‌ରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ବତନ୍ତ୍ରତା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜା ବିରକିଶୋର ଦେବ ଓ ରାଜ୍ୟ ସରକାର ମଧ୍ୟରେ ଏକ ମାମଲାରେ ସୁପ୍ରିମକୋର୍ଟ ଜଗନ୍ନାଥ ମନ୍ଦିରକୁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟ ଦେବାକୁ କହିଥିଲେ। ତେଣୁ ସରକାର ରାଜ୍ୟର ଅନ୍ୟସ୍ଥାନରେ ରଥଯାତ୍ରା ବନ୍ଦ କରିପାରନ୍ତି, ମାତ୍ର ପୁରୀର ରଥଯାତ୍ରାକୁ ଅନୁମତି ଦେବାକୁ ଗଜପତି ମହାରାଜ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର