ପୁରୀ: କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୬୦ ଛୁଇଁଲାଣି । ବିଶେଷକରି ପୁରୀର ନିକଟବର୍ତ୍ତୀ ତଥା ରାଜଧାନୀ ଭୁବନେଶ୍ବରରେ କରୋନା କାୟାବିସ୍ତାର କରିଛି । କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏ ଏହା ବଢ଼ାଇ ଦେଇଛନ୍ତି । ତେବେ ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।

Advertisment

publive-image

ଏଭଳି ଘଡ଼ିସନ୍ଧି ସମୟରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନା କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି କଳ୍ପନାଜଳ୍ପନା। ଆଜି ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଗଜପତି ମହାରାଜା ଚିଠି ଲେଖିଛନ୍ତି । ରଥଯାତ୍ରା ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ମହାରାଜା ଉଲ୍ଲେଖ କରିଛନ୍ତି।

ଏହାକୁ ନେଇ ଗଜପତି ମହାରାଜା କହିଛନ୍ତି ଯେ ସ୍ନାନଯାତ୍ରା, ଚନ୍ଦନଯାତ୍ରା ନେଇ ମଧ୍ୟ ଶୀଘ୍ର ନିଷ୍ପତ୍ତି ନିଆଯାଉ । ଚଳିତ ମାସ ୨୬ରେ ଅକ୍ଷୟ ତୃତୀୟା ପଡୁଛି । ତେଣୁ ବିଳମ୍ୱ ନକରି ନିଷ୍ପତ୍ତି ନେବାକୁ ହେବ । ଏଠାରେ ସୂଚନା ଥାଉ କି ଦୁଇ ଦିନ ତଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରଥଯାତ୍ରା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।