ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଦିନ ପୁରୀ ବଡ଼ଦାଣ୍ଡ ସହ ସହରର ପ୍ରତି ଘରେ ୫ ହାତିଆ ମହାପ୍ରଭୁଙ୍କ ପତିତପାବନ ଧ୍ବଜା ଉଡ଼ିବ। ପ୍ରତି ଘର ଦୁଆରେ ପୂର୍ଣ୍ଣକୁମ୍ଭ ବସାଇବା ଓ ଦୀପଦାନ କରିବାକୁ ନିବେଦନ କରାଯିବ। ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ସମରକଳା ପ୍ରଦର୍ଶିତ ହେବ। ପୁରୀର ଆଠସାହି ଆଖଡ଼ା ଏହାର ବ୍ୟବସ୍ଥା କରିବେ।

Advertisment

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରାଜନଅରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ପୂର୍ବରୁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯେଉଁ ଆଲୋଚନା ସବୁ ହୋଇଥିଲା, ତାହା କେତେଦୂର କାର୍ଯ୍ୟକାରୀ ହୋଇଛି, ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଥିଲେ। ଅନ୍ୟ କିଛି ପ୍ରସ୍ତାବ ବି ଆସିଥିଲା। ଏହାକୁ ଅନୁଧ୍ୟାନ କରାଯାଉଛି। ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ୧୨ ତାରିଖରୁ ଯେଉଁ ଯଜ୍ଞ ଓ ଧାର୍ମିକ କାର୍ଯ୍ୟ ଆରମ୍ଭ ହେଉଛି, ତାହା କିଭଳି ସୁରୁଖୁରରେ ଶେଷ ହେବ, ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ୧୭ ତାରିଖରେ ଯୋଗଦେବାକୁ ଆସୁଥିବା ଅତିଥିମାନେ କେଉଁଠି ବସିବେ, ଯଜ୍ଞ କେଉଁଠି ହେବ ଓ ଏଠାରେ କେଉଁମାନେ ରହିବେ, ଲୋକାର୍ପଣ ପ୍ରକଳ୍ପ ସୂଚନା ହୋର୍ଡିଂ କେଉଁଠି ଲାଗିବ, ସେ ଉପରେ ଆଲୋଚନା ହୋଇଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ। ଗଜପତି ମହାରାଜା ଓ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୂତି ଦେବେ। ନିଷ୍ପତ୍ତି ଅନୁଯାୟୀ, ସଭାସ୍ଥଳରେ ୬ଶହରୁ ୬୫୦ଜଣ ଅତିଥି ବସିବେ। ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉତ୍ସବ ପ୍ରାୟ ୧ ଘଣ୍ଟା ଚାଲିବ। ଉତ୍ସବରେ ଶ୍ରୀଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ବଛା ବଛା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞସ୍ଥଳରେ ଶହେରୁ ଅଧିକ ନିମନ୍ତ୍ରିତ ଅତିଥି ବସିବେ। ଲୋକାର୍ପଣ ଉତ୍ସବ ଦିନ ନିମନ୍ତ୍ରିତ ଅତିଥିଙ୍କ ସହ ଗଜପତି, ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ଦଳର ରାଜନେତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତର ପାର୍ଶ୍ବ ପ୍ରଦକ୍ଷିଣ କରିବେ। ପ୍ରଦକ୍ଷିଣ ବେଳେ ସାତସାହି ଆଖଡ଼ା ପକ୍ଷରୁ ସମରକଳା ପ୍ରଦର୍ଶନ ପୂର୍ବକ ନିମନ୍ତ୍ରିତ ଅତିଥିଙ୍କୁ ସ୍ବାଗତ କରାଯିବ।

ସଭାସ୍ଥଳରେ ଏଲ୍‌ଇଡି ଜରିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ସମ୍ପର୍କିତ ବୃତ୍ତଚିତ୍ର ପ୍ରଦର୍ଶିତ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଦିନ ପୁରୀ ବଡ଼ଦାଣ୍ଡ ସହ ସହରର ପ୍ରତି ଘର ଛାତରେ ମହାପ୍ରଭୁଙ୍କ ପତିତପାବନ ଧ୍ବଜା ଲଗାଯିବ। ପ୍ରତି ଘର ଦୁଆରେ ଦୀପଦାନ କରାଯିବ। ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ସବୁଦିନ ସଂଧ୍ୟାରେ ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସମରକଳା ପ୍ରଦର୍ଶିତ ହେବ। ଜିଲ୍ଲାପାଳଙ୍କ ସହ ଗତକାଲି ଅନୁଷ୍ଠିତ ବୈଠକରେ ଆଠସାହି ଆଖଡ଼ା ତରଫରୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା ବୋଲି ଆଠସାହି ଆଖଡ଼ାର ସଂଯୋଜକ ନରେନ୍ଦ୍ର ମହାନ୍ତି କହିଛନ୍ତି।