ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ : ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମଧ୍ୟାହ୍ନ ଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥିଲା।

ଏହି ବେଶରେ ଦୁଇଟି ଗଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁଇପାର୍ଶ୍ବରେ ଦୁଇଟି ପଦ୍ମ ଫୁଲ ଧରି ବିରାଜମାନେ ହୋଇଥିଲେ। କୁମ୍ଭୀରର ଏକ ଚିତ୍ର ଗଜର ପାଦ କାମୁଡ଼ିବା ଭଳି ରହିଥିଲା। ଏଥିପାଇଁ ସୋଲ, ଜରି, ଜମ୍ଭୁରା, କନା, କଇଥ ଅଠା ଆଦି ବ୍ୟବହାର କରାଯାଇଥିଲା। ପୂର୍ବପ୍ରସ୍ତୁତ ଆୟୁଧ ସହ ନାନାଦି ଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ସଂଧ୍ୟାଧୂପ ପର୍ଯ୍ୟନ୍ତ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଥିଲେ। ସଂଧ୍ୟା ଆଳତି ଓ ସଂଧ୍ୟାଧୂପ ନୀତି ଶେଷ ପରେ ମହାପ୍ରଭୁଙ୍କ ଏହି ବେଶ ଓଲାଗି କରାଯାଇଥିଲା। ସେପଟେ ଆଜି ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅଗିଜଳା ନୀତି ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର