ସନ୍ଦୀପ ଲେଙ୍କା
ନୟାଗଡ଼: ଘଞ୍ଚ ଜଙ୍ଗଲରେ ଏବେ ସାଂଘାତିକ ପରିସ୍ଥିତି। ପାଟ୍ରୋଲିଂ କରିବାକୁ ବିଦ୍ୟୁତ୍ ଓ ବନ ବିଭାଗ କର୍ମଚାରୀମାନେ ଭୟ କଲେଣି। ଅମଳ ସମୟରେ ଜନ୍ତୁଙ୍କ ମୁହଁରୁ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ଫାଶ ବସାଇ ବିଜୁଳି ସଂଯୋଗ କରି ଦେଉଛନ୍ତି। କେବଳ ସେତିକି ନୁହେଁ, ଶିକାରୀମାନେ ପଶୁ ଶିକାର ପାଇଁ ମଧ୍ୟ ଜଙ୍ଗଲ ମଧ୍ୟରେ ସମାନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଫଳରେ ଏବେ ରାତି ହେଉ ଅବା ଦିନ, ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରିବାକୁ ସ୍ବାଭାବିକ ଭାବେ ବନ କର୍ମଚାରୀମାନେ ଭୟ କରୁଛନ୍ତି। ଏଣୁ ଜଙ୍ଗଲ ମଧ୍ୟରେ ଗଜରାଜ ବଞ୍ଚିବାକୁ ଏକ ପ୍ରକାର ସଂଘର୍ଷ କରୁଛି। ନୟାଗଡ଼ ଜିଲ୍ଲାରେ ଶେଷଥର ପାଇଁ ହୋଇଥିବା ହାତୀ ଗଣନା ବେଳେ ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ଖଣ୍ଡରେ ମୋଟ ୬୪ଟି ହାତୀ ରହିଥିବା ଜଣାପଡ଼ିଥିଲା। ନୟାଗଡ଼ ବନଖଣ୍ଡରେ ୮ଟି ପୁରୁଷ ହାତୀ, ୧୦ଟି ମାଈ ହାତୀ, ୫ଟି ଅପ୍ରାପ୍ତ ବୟସ୍କ ମାଈ ହାତୀ ଓ ୩ଟି ହାତୀ ଶାବକ ରହିଥିବା ବେଳେ ୧୮ ବର୍ଷରୁ କମ୍ ବୟସର ୬ଟି ହାତୀ ରହିଥିଲେ। ସେହିପରି ମହାନଦୀ ବନ୍ୟପ୍ରାଣୀ ଖଣ୍ଡରେ ୩ଟି ପୁରୁଷ ହାତୀ, ୯ଟି ମାଈ ହାତୀ, ୫ ଅପ୍ରାପ୍ତ ବୟସ୍କ ପୁରୁଷ ହାତୀ ଏବଂ ୬ଟି ଅପ୍ରାପ୍ତ ବୟସ୍କ ମାଈ ହାତୀ ରହିଛନ୍ତି। ଏଥିସହ ୭ଟି ୧୮ ବର୍ଷରୁ କମ୍ ହାତୀ ଏବଂ ୨ଟି ହାତୀ ଶାବକ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା।
ଘଞ୍ଚ ଜଙ୍ଗଲ ମଧ୍ୟରେ ଗଛରୁ ଗଛ ସାଧାରଣ ଆଖିକୁ ନ ଦେଖାଯିବା ପରି ତାର ଗୁଡ଼ାଇ ସେଥିରେ ବିଜୁଳି ସଂଯୋଗ କରି ଦିଆଯାଉଛି।
ଅସଲରେ ଶିକାରୀମାନେ ଛୋଟ ଛୋଟ ଜନ୍ତୁଙ୍କୁ ଟାର୍ଗେଟ୍ କରି ଏମିତି କାରନାମା କରୁଛନ୍ତି। ମାତ୍ର ଏହି ତାର ସଂସ୍ପର୍ଶରେ ଆସି ବଡ଼ବଡ଼ ପଶୁ ଓ ମଣିଷଙ୍କ ଜୀବନ ଯାଉଛି। ଯାହାକି ଏବେ ଉଭୟ ବିଦ୍ୟୁତ୍ ଓ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଦଶପଲ୍ଲା ବ୍ଲକ୍ର ଟାକରା ଓ ବାଣିଗୋଛା ପଞ୍ଚାୟତ, ଗଣିଆ ବ୍ଲକ୍ର ଛାମୁଣ୍ଡିଆ, ବଡ଼ସିଲଙ୍ଗା ଏବଂ ଖଣ୍ଡପଡ଼ା ବ୍ଲକ୍ର କୋସକା ଓ ଗଡ଼ିଆସାହି ପଞ୍ଚାୟତରେ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେତେ ପ୍ରକାର ସଚେତନତା ଅବା ଆଇନର ଭୟ ଦେଖାଇଲେ ମଧ୍ୟ ଶିକାରୀଙ୍କ ଉପରେ ପ୍ରଭାବ ପଡ଼ୁନାହିଁ। ଘଞ୍ଚ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ସେମାନେ ଏକ ପ୍ରକାର ମନ ସ୍ଥିର କରି ନେଇଛନ୍ତି। ଛାମୁଣ୍ଡିଆ ଅଞ୍ଚଳରେ ବନ ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଜଙ୍ଗଲ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିଲେ। ୨୦୨୩ ଡିସେମ୍ବର ୨୩ରେ ରଣପୁର ବନାଞ୍ଚଳର ମୟୂରଝାଲିଆ ପଞ୍ଚାୟତ ବୋରବରଝର ମୌଜାରେ ଅସୁସ୍ଥ ହାତୀ ଠାବ ହୋଇଥିଲା। ଟ୍ରାଙ୍କୁଲାଇଜ୍ ପରେ ତା’ର ମୃତ୍ୟୁ ହୋଇଥିଲା।
ସେହିପରି ରଣପୁର ବ୍ଲକ୍ ପଟିଆ ଗ୍ରାମପଞ୍ଚାୟତ ରଣ୍ଡା ଗ୍ରାମ ନିକଟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ୨୦୨୪ ଜୁନ୍ ୧୯ରେ ଦଶପଲ୍ଲା ବନାଞ୍ଚଳର ଡମ୍ପିରିଗାଡ଼ିଆ ପାହାଡ଼ରେ ଗୋଟିଏ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦଶପଲ୍ଲା ବନାଞ୍ଚଳର କୁଲୁରୁକୁମ୍ପା ପଞ୍ଚାୟତର ଦୁର୍ଗାପ୍ରସାଦ ନିକଟସ୍ଥ ବିଲୁଆପଡ଼ା ଘାଟିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଜଙ୍ଗଲରେ ଗଜରାଜଙ୍କୁ ସୁରକ୍ଷା ପାଇଁ ବନ ବିଭାଗ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/02/hBAmeR4LA7cAm3WWXogg.jpeg)