ମାଟି ତଳେ ଗଜରାଜଙ୍କ କଙ୍କାଳ: ଆଠଗଡ଼ ପରେ ସାତକୋଶିଆରେ ଠାବ

୨୮ ଦିନରେ ୧୨ ମଲେଣି, ଶିକାରୀଙ୍କ ପଞ୍ଝାରେ ୭

ଭୁବନେଶ୍ବର: ଓଡ଼ିଶାରେ କଣ ହାତୀ ସୁରକ୍ଷିତ ନୁହନ୍ତି? ସେମାନଙ୍କୁ ସୁରକ୍ଷା ଦେବାରେ ଆମେ ବିଫଳ ହୋଇଛୁ? ଏହାକୁ ନେଇ ରାଜ୍ୟବାସୀମାନଙ୍କରେ ଏଭଳି ପ୍ରଶ୍ନ ଉଠୁଥିବା ବେଳେ ବନ ବିଭାଗ ବାବୁମାନେ ନିରବଦ୍ରଷ୍ଟା ସାଜି ଜଙ୍ଗଲରେ ଅବାଧ ଶିକାର କରିବାକୁ ଶିକାରୀଙ୍କୁ ପ୍ରବର୍ତ୍ତାଉ ଥିବା ଭଳି ମନେ ହେଉଛି। ୫ରୁ ୬ମାସ ହେଲା ରାଜ୍ୟରେ ଦେଖାଦେଇଥିବା ହାତୀ ମଡ଼କ ଘଟଣାକୁ ନେଇ ଏଭଳି ସନ୍ଦେହ ସୃଷ୍ଟି ହେଲାଣି।

ଉଦବେଗର ବିଷୟ ହେଉଛି ଯେ କେବଳ ଜୁନ୍‌ରେ ହିଁ ୧୨ଟି ହାତୀଙ୍କ ଜୀବନ ଗଲାଣି। ଅର୍ଥାତ୍‌ ପ୍ରତି ଅଢ଼େଇ ଦିନରେ ଗୋଟିଏ ହାତୀଙ୍କ ଜୀବନ ଯାଇଛି। ସେଥିରୁ ଅଧା ଶିକାରୀଙ୍କ ପଞ୍ଝାରେ ପଡ଼ି ମରିଛନ୍ତି। ଦାନ୍ତ ପାଇଁ ଦନ୍ତାକୁ ମାରି ପୋତି ଦେଇଛନ୍ତି। ଖାଲି ଆଠଗଡ଼ ବନଖଣ୍ଡରେ ଏ ମାସରେ ୪ଟି ହାତୀ କଙ୍କାଳ ମିଳିଲାଣି। ଆଠଗଡ଼ରୁ କେନ୍ଦୁଝର ହେଉ କି ସାତକୋଶିଆରୁ ସମ୍ବଲପୁର; ଏବେ ସବୁଠି ହାତୀ ଅସୁରକ୍ଷିତ। ଆଠଗଡ଼ ବନଖଣ୍ଡ ତ ହାତୀମୃତ୍ୟୁର ବଦନାମ ମୁଣ୍ଡାଇଛି। ଚଳିତ ମାସରେ ଏଠାରୁ ୪ଟି ହାତୀ କଙ୍କାଳ ମିଳିବା ଘଟଣା ବନ୍ୟପ୍ରାଣୀପ୍ରେମୀଙ୍କୁ ଆଶ୍ବର୍ଯ୍ୟାନ୍ବିତ କରିଛି। ପ୍ରତିଟି ଘଟଣାରେ ତଳତଳିଆ କର୍ମଚାରୀ ଯଥା ଫରେଷ୍ଟ ଗାର୍ଡ, ରେଞ୍ଜର, ୱାଚ୍‌ଗାର୍ଡଙ୍କୁ ସସ୍‌ପେଣ୍ଡ୍‌ କରାଯାଉଛି। ମାତ୍ର ପ୍ରକୃତ ଦୋଷୀଙ୍କ ବିରୋଧରେ ଆଦୌ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏ ମାସରେ ୧୨ଟି ହାତୀ ମରିଥିଲେ ମଧ୍ୟ ଜଣେ ବି ହେଲେ ଡିଏଫ୍‌ଓଙ୍କୁ ଉତ୍ତରଦାୟୀ କରାଯାଇନାହିଁ। ଜୁନ୍‌ ୨୮ ସୁଦ୍ଧା ଓଡ଼ିଶାରେ ମରିଥିବା ୧୨ଟି ହାତୀଙ୍କ ମଧ୍ୟରୁ ୭ଟି ହତ୍ୟାର ଶିକାର ହୋଇଛନ୍ତି। ଆଠଗଡ଼ ବନଖଣ୍ଡରେ ୪ଟି ହାତୀଙ୍କ କଙ୍କାଳ ଏ ମାସରେ ମିଳିଛି। ସମ୍ବଲପୁର ଓ ନରସିଂହପୁରରେ ଗୋଟିଏ ଲେଖାଏଁ ହାତୀ ଗୁଳିମାଡ଼ରେ ଟଳିପଡ଼ିଛନ୍ତି। ଏହି ମୃତ୍ୟୁକୁ ଚାପିବା ଲାଗି ସବୁ ସ୍ତରରେ ଉଦ୍ୟମ ହୋଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ସମ୍ବଲପୁର ହାତୀ ମୃତ୍ୟୁ ଘଟଣା। ପ୍ରଥମ‌େ କୁହାଗଲା ହାତୀକୁ ଗୁଳି ମାଡ଼ ହୋଇନି। ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କହୁଛନ୍ତି, ଗୁଳିମାଡ଼ ହୋଇଥିଲା। କେନ୍ଦୁଝର ଡିଭିଜନ୍‌ରେ ଗୋଟିଏ ମାଈ ହାତୀ ରୋଗରେ ପଡ଼ି ପ୍ରାଣ ହରାଇଥିବା ବେଳେ ଆନନ୍ଦପୁର ବନଖଣ୍ଡ ହଦଗଡ଼ ଅଭୟାରଣ୍ୟର ପିତାନାଉ ଜଙ୍ଗଲରେ ଲଢ଼େଇ ବେଳେ ପାହାଡ଼ରୁ ଖସି ଗୋଟିଏ ଦନ୍ତାର ଜୀବନ ଯାଇଛି। ବାଘବଂଶ ଲୋପ ନେଇ ଚର୍ଚ୍ଚାରେ ଥିବା ସାତକୋଶିଆ ଅଭୟାରଣ୍ୟରେ ବି ହାତୀ ଅସୁରକ୍ଷିତ ହୋଇପଡ଼ିଛି। କିଛି ଦିନ ପୂର୍ବରୁ ଗୋଟିଏ ଛୁଆ ହାତୀର ଜୀବନ ଯାଇଥିଲା। ଏବେ କଙ୍କାଳ ମିଳିଛି। ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କପିଳାସ ପ୍ରାଣୀଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଏକ ହାତୀଛୁଆ ଓ ନରସିଂହପୁର ପୂର୍ବ ବନାଞ୍ଚଳ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ଚଳିତ ମାସରେ ହୋଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି କହିଛନ୍ତି ଯେ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ କଠୋର ହେବାକୁ ପଡ଼ିବ। ୨୦୨୦ରେ ଛତିଶଗଡ଼ ସରକାର ଯେଉଁଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ, ସେଭଳି ଆଭିମୁଖ୍ୟ ଗ୍ରହଣ କରାଯିବା ଆବଶ୍ୟକ। ସେଠାରେ ୬ ଦିନରେ ୯ ହାତୀଙ୍କ ମୃତ୍ୟୁ ପରେ ୧୧ଜଣ ଆଇଏଫ୍‌ଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ୨୦ ବର୍ଷ ମଧ୍ୟରେ ଓଡ଼ିଶା ସରକାର ସେଭଳି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଉପର ଠାଉରିଆ ଭାବେ ତଳିଆ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରୁଛନ୍ତି। ଯେଉଁ ରେଞ୍ଜର୍‌ କିଛି ଦିନ ତଳେ ସସ୍‌ପେଣ୍ଡ ହୋଇ ଜେଲ୍‌ ଯାଇଥିଲେ, ତାଙ୍କୁ ଓଡ଼ିଶାରେ ପ୍ରମୋସନ୍‌ ଦିଆଯାଉଛି। ଏମିତି ଚାଲିଲେ ବାଘ ପରି ହାତୀ ବି ଲୋପ ପାଇଯିବେ।

ଅସୁରକ୍ଷିତ ସାତକୋଶିଆ, ଆଖି ବୁଜିଲା ହାତୀଛୁଆ

ହାତୀ କଙ୍କାଳ ଉଦ୍ଧାର ଘଟଣା ଫେରାର ରେଞ୍ଜର୍‌ ନିଲମ୍ବିତ

ବନ୍ତଳା: ସାତକୋଶିଆ ଅଭୟାରଣ୍ୟ ଅସୁରକ୍ଷିତ! ଏଠାରେ କେତେବେଳେ ଦନ୍ତାହାତୀର କଙ୍କାଳ ମିଳୁଛି ତ କେତେବେଳେ ଶିକାରୀ ଫାଶରେ ପଡ଼ି ଚିତାବାଘ ଛଟପଟ ହେଉଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ହାତୀଛୁଆ ପ୍ରାଣ ହରାଇଛି। ଫଳରେ, କିଛିଦିନ ଧରି ହାତୀ ମୃତ୍ୟୁ ଓ କଙ୍କାଳ ଜତବ ଘଟଣାକୁ ନେଇ ସାରାରାଜ୍ୟରେ ଯେଉଁଭଳି ଚର୍ଚ୍ଚା ଚାଲିଛି, ସେଥିରେ ସାତକୋଶିଆ ନଁା ବି ଯୋଡ଼ିହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ଅଞ୍ଚଳରେ ଏକ ୫ ବର୍ଷର ଅଣ୍ଡିରା ଛୁଆହାତୀକୁ ଅସୁସ୍ଥ ଅବସ୍ଥାରେ ବନ ବିଭାଗ ଠାବ କରିଥିଲା। ଛୁଆ ହାତୀଟି ପ୍ରାୟ ୧୦ ଦିନ ହେଲା ଅସୁସ୍ଥ ଥିଲା। ହାତୀପଲ ତାକୁ ଘେରି ରହୁଥିଲେ। ଗତକାଲି ବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛୁଆ ହାତୀଟି ମରିଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି। ଠିକ୍‌ ସମୟରେ ଛୁଆହାତୀର ଚିକିତ୍ସା ଆରମ୍ଭ ନହେବାରୁ ତାହାର ମୃତ୍ୟୁ ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ, ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଫେରାର୍‌ ରେଞ୍ଜର୍‌ଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଗତ ୨୩ ତାରିଖରେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳରୁ ଏକ ଦନ୍ତାହାତୀର କଙ୍କାଳ ମିଳିଥିଲା। ମାଟି ଭିତରେ ପୋତାଯାଇଥିବା ହାତୀର କଙ୍କାଳ ସିନା ମିଳିଥିଲା କିନ୍ତୁ ସେଥିରୁ ଦାନ୍ତ ଗାଏବ ହୋଇଯାଇଥିଲା। ଏହି ଘଟଣାରେ ହାତୀ ସ୍କ୍ବାଡ୍‌ର ୩ ଜଣ କର୍ମଚାରୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ନିଲମ୍ବିତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ଭୟରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ ‌ଏହାପରଠାରୁ ଫେରାର ହୋଇଯାଇଥିଲେ। ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ସାତକୋଶିଆ ଡିଏଫ୍‌ଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର