ଗାଳ୍ପିକ ମନୋଜ କୁମାର ପଣ୍ଡା ଆଉ ନାହାନ୍ତି, ମାୟା ରାଇଜରୁ ବିଦାୟ ନେଲେ ‘ମାୟା ବଗିଚା’ର ସ୍ରଷ୍ଟା

ବଲାଙ୍ଗୀର:   ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ଗାଳ୍ପିକ ମନୋଜ କୁମାର ପଣ୍ଡା (୬୬)ଙ୍କ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ସାଗରପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ତୁରନ୍ତ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଥିଲା। ସେଠାରେ ୭ଟା ୩୫ମିନିଟ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ଆକସ୍ମିକ ବିୟୋଗ ସମଗ୍ର ରାଜ୍ୟର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ସାମାଜିକ ଗତିବିଧି ହେଉ କି ସାଂପ୍ରତିକ ବ୍ୟବସ୍ଥା, ସବୁକୁ ନିଜର ସ୍ବତନ୍ତ୍ର ସର୍ଜନା ଶୈଳୀରେ ଜୀବନ୍ତ ଭାବରେ ଫୁଟାଇପାରିଥିବା କଥାକାର ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା, ମାୟା ବଗିଚା,ବର୍ଣ୍ଣ ବଗିଚା, ଶବ୍ଦ ଶସ୍ୟ, ଦ ବୋର୍ଣ୍ଣ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରି (ଇଂରାଜୀ ଗଳ୍ପ ସଂକଳନ) ଓ ଶୂନ୍ୟସ୍ଥାନ ପୂରଣ କରିବାର ଖେଳ(ପ୍ରବନ୍ଧ) ଆଦିପୁସ୍ତକ ରହିଛି। ମାୟା ବଗିଚା ଗଳ୍ପ ସଂକଳନ ପାଇଁ ସେ ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ। ମନୋଜ କୁମାର ପଣ୍ଡା ୧୯୫୪ ମସିହା ଅକ୍ଟୋବର ୪ ତାରିଖ ଜନ୍ମଲାଭ କରିଥିଲେ। ତାଙ୍କ ପିତାଙ୍କ ନାମ  ନୀଳମଣି ପଣ୍ଡା ଓ  ମାତା ରାଧାରାଣୀ ପଣ୍ଡା। ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବୟୋଜ୍ୟେଷ୍ଠ। ପିଲାଟି ଦିନରୁ ପୁସ୍ତକ ପଠନ ପ୍ରତି ତାଙ୍କର ରୁଚି ରହିଥିଲା। ବିଏ ପରେ ସେ ବିଇଡି କରି ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।

ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ଥିଲା ପୁସ୍ତକ
ଗଳ୍ପ ଧାରାରେ ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ପୁସ୍ତକ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ୨୦୧୦ ମସିହାରେ ତାଙ୍କର ଇଂରାଜୀ ଅନୁଦିତ ପୁସ୍ତକ ‘ଦି ବୋର୍ଣ୍ଣ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ୍‌’ ଆୟାର୍ଲାଣ୍ଡରେ ଅବସ୍ଥିତ ‘ଫ୍ରେଙ୍କ୍ ଓ କନର’ ଆନ୍ତାର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ସମଗ୍ର ଏସିଆ ମହାଦେଶରୁ ଦଶ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନୀତ ହୋଇଥିଲା। ଏହା ବଲାଙ୍ଗୀର ପାଇଁ ବି ଏକ ଗର୍ବର ବିଷୟ ରହିଥିଲା।

ଅନେକ ସମ୍ମାନର ଅଧିକାରୀ ଥିଲେ
ଗାଳ୍ପିକ ମନୋଜ କୁମାର ପଣ୍ଡା ସାରଳା ପୁରସ୍କାର ପାଇବା ସହ ଆହୁରି ଅନେକ ସମ୍ମାନ ସେ ପାଇଥିଲେ। ଅଖିଳ ମୋହନ ସାହିତ୍ୟ ସମ୍ମାନ, ଅଶୋକ ଚନ୍ଦନ ସାହିତ୍ୟ ସମ୍ମାନରେ ବି ସେ ସମ୍ମାନିତ। ଏହାସହ ବହୁ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି।

‘ଇଗୁଲୁ’ରୁ ଖୋଜୁଥିଲେ ଗଳ୍ପର ଖୋରାକ୍‌
ଗାଳ୍ପିକ ମନୋଜ ପଣ୍ଡାଙ୍କ ବାସଭବନର ନାଁ ଥିଲା ‘ଇଗୁଲୁ’। ତାଙ୍କୁ ଦେଖା କରିବାକୁ ହେଲେ ଇଗୁଲୁକୁ ସମସ୍ତେ ଯାଉଥିଲେ। ଇଗୁଲୁ ବାସଭବନର ନାଁ ସମସ୍ତେ ଜାଣିଛନ୍ତି। ଘର ସମ୍ମୁଖରେ ଥିବା ବାଡ଼ି ବଗିଚାରୁ ସେ ନିଜର ଗଳ୍ପ ପାଇଁ ଖୋରାକ ପାଉଥିଲେ। ଗାଳ୍ପିକଙ୍କ ସହ ହୋଇଥିବା ବାର୍ତ୍ତାଳାପ ଭିତରେ ସେ ଏକ ଚମତ୍କାର ପ୍ରସଙ୍ଗ ଗୋଟିଏ ଥର କହିଥିଲେ। ତାହା ଥିଲା ‘ଫୁଲ ଚୋରି’। ଭଗବାନଙ୍କୁ ସମସ୍ତେ ପୂଜା କରନ୍ତି। ହେଲେ ସକାଳ ପାହାନ୍ତାରୁ ଘର ବଗିଚା ତଥା ଛୋଟ ଫୁଲ ଗଛରୁ ଲାଠି ଧରି ଛୋଟ ଛୋଟ ଛୁଆଙ୍କଠୁ ନେଇ ବୟସ୍କ ଫୁଲ ତୋଳିଥାନ୍ତି। ଗଣେଶ ପୂଜା ଦିନର କଥା କହି ତାଙ୍କ ଘର ଅଗଣାରୁ ଫୁଲ ସବୁ ଗଛରୁ ଗାଏବ ହୋଯାଇଥିବା ପ୍ରସଙ୍ଗ କହିଥିଲେ। ତାକୁ ନେଇ ସେ ଏକ ସ୍ୱତନ୍ତ୍ର ଗଳ୍ପ ବି ଲେଖିଥିଲେ। ବେଶ୍‌ ସୁନ୍ଦର ଶୈଳୀରେ ସେ ନିତିଦିନ ଘଟୁଥିବା ଜୀବନଚର୍ଯ୍ୟାରୁ ଘଟଣାମାନଙ୍କୁ ନେଇ ନିଜ ଲେଖନୀରେ ଜୀବନ୍ତ ରୂପ ଦେଉଥିଲେ। କ୍ଷୁଦ୍ର ଗଳ୍ପମାନ ରଚନା କରି ସମାଜକୁ ଭଲ ବାର୍ତ୍ତା ଦେବାରେ ସେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ।

ସମ୍ବନ୍ଧିତ ଖବର

Comments are closed.