ରାୟଗଡ଼ା/ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଗମାଙ୍ଗ ପରିବାର। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ଘରକୁ ବାହୁଡ଼ିଛନ୍ତି। ସେହିପରି ପୂର୍ବତନ ବରଗଡ଼ ସାଂସଦ ସଂଜୟ ଭୋଇ ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଗମାଙ୍ଗ ପରିବାରରୁ କିଏ କଂଗ୍ରେସ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନି। କିନ୍ତୁ ଶ୍ରୀ ଭୋଇ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।
ହାତ ଧରିବା ପରେ ଗିରିଧର ପ୍ରତିକ୍ରିୟାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ପୁରୁଣା ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। କଂଗ୍ରେସ ତାଙ୍କୁ ୧୧ଥର ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲା, ସେଥିରୁ ୯ଥର ସେ ବିଜୟୀ ହୋଇଥିଲେ। ୪୪ବର୍ଷ ଧରି ଦଳରେ ରହିବା ମଧ୍ୟରେ ୧୧ବର୍ଷ କେନ୍ଦ୍ର ମନ୍ତ୍ରୀ ଭାବେ କାମ କରିବାକୁ ଦଳ ସୁଯୋଗ ଦେଇଥିଲା। ଏବେ ଘରକୁ ଫେରିଥିବାରୁ ଶାନ୍ତି ମିଳିଛି ବୋଲି ପ୍ରକାଶ କରିଛନ୍ତି। ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି, ଡ. ଗମାଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ କଂଗ୍ରେସ ଅଧିକ ମଜଭୁତ ହୋଇଛି। କେବଳ ଓଡ଼ିଶାରେ ନୁହେଁ ଜାତୀୟସ୍ତରରେ ତାଙ୍କ ଅଭିଜ୍ଞତାକୁ ଉପଯୋଗ କରାଯିବ। ରାହୁଲଙ୍କ ନ୍ୟାୟ ଯାତ୍ରାରେ ଶ୍ରୀ ଗମାଙ୍ଗଙ୍କ ଉପସ୍ଥିତି ଅଧିକ ଫଳପ୍ରଦ ହେବ। ଆଗାମୀ ଦିନରେ ଆହୁରି ଅନେକ ନେତା କଂଗ୍ରେସରେ ଯୋଗଦେବେ ବୋଲି ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି। ଅନ୍ୟପଟେ ଗମାଙ୍ଗ ପରିବାର ଫେରିବା ପରେ ଜିଲ୍ଲା କଂଗ୍ରେସ ଶିବିରରେ ସାମାନ୍ୟ ହଲଚଲ ଦେଖିବାକୁ ମିଳିଛି। ବିଶେଷ କରି ଟିକେଇ ପାଇଁ ଆଶାୟୀ ରହିଥିବା ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ସେହିପରି ଜିଲ୍ଲା କଂଗ୍ରେସର ଗଣିତ ତଥା ସମୀକରଣରେ ପରିବର୍ତ୍ତନର ଆଭାସ ମିଳୁଛି।
ସୂଚନାଯୋଗ୍ୟ, ଶିକ୍ଷକ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ଗିରିଧର ଗମାଙ୍ଗ। ୧୯୭୨ ମସିହା ଉପନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ସାଂସଦ ହୋଇଥିଲେ। ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୬ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଗତବର୍ଷ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ବିଆରଏସ୍ର ସ୍ଥିତିକୁ ଦେଖିବା ପରେ ଇସ୍ତଫା ଦେଇ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ସେହିପରି ପତ୍ନୀ ହେମା ଗମାଙ୍ଗ ୧୯୯୯ ଉପନିର୍ବାଚନରେ କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଗୁଣପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡିରେ ଯୋଗଦେଇ ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢ଼ି ପରାଜୟର ସାମ୍ନା କରିଥିଲେ। ପୁଅ ଶିଶିର ଗମାଙ୍ଗ ଗତ ବିଧାନସଭା ନିର୍ବାଚନରେ ଗୁଣପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ।