ପାର୍କରେ ଜୁଆଆଡ୍ଡା, ମାରଣାସ୍ତ୍ର ବେପାର!

ରାଉରକେଲା: ରାଉରକେଲାର ସେକ୍ଟର-୧୩  ଏ ବ୍ଲକ୍ ପାର୍କ ଏବେ ଏକ ଜୁଆଆଡ୍ଡା ତଥା ମାରଣାସ୍ତ୍ର କିଣାବିକାର ଏକ କେନ୍ଦ୍ର ହୋଇ ଗଲାଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ରାଉରକେଲା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ବିହାର ଆଦିରୁ କିଛି ଅସାମାଜିକ ଯୁବକ ସେଠାକୁ ଆସି ମାରଣାସ୍ତ୍ର ବିକ୍ରିବଟା କରୁଛନ୍ତି। କେବଳ ସେତିକି ନୁହେଁ, ସେଠାରେ ସଟ୍ଟା ଖେଳ ଚାଲିବା ସହିତ ନିଶାଦ୍ରବ୍ୟର ଚୋରା ବେପାର ହେଉଛି ବୋଲି ଲୋକେ କହୁଛନ୍ତି। ଦିନ ଦ୍ବିପ୍ରହରେ ମଧ୍ୟ ଅଜଣା ଯୁବକମାନେ ଆସି ସେଠାରେ ମଦ, ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ସେବନ କରୁଥିବାର ଦୃଶ୍ୟ ଏବେ ସାଧାରଣ ହୋଇ ଗଲାଣି। ପାର୍କରେ ଏପରି ବେଶ୍ କିଛି ବର୍ଷ ହେଲା ଚାଲିଛି, ଏବେ ପୂର୍ବ ଅପେକ୍ଷା ବେଶ୍ ବଢ଼ି ଯାଇଛି। ସେଠାକୁ ନିଶାଗ୍ରସ୍ତ ଓ ଅପରାଧୀମାନେ ନିୟମିତ ଆସୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଅତିଷ୍ଠ ହୋଇଗଲେଣି। ଏହି ଘଟଣା ସଂପର୍କରେ ସେମାନେ ସେକ୍ଟର-୧୫ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ପୁଲିସର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ।

ସୂଚନା ଅନୁସାରେ, ସେକ୍ଟର-୧୩ ଅଞ୍ଚଳରେ ରହୁଥିବା ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଙ୍କ ମନୋରଞ୍ଜନ ପାଇଁ ୨୦୧୭ ମସିହାରେ ନିର୍ମିତ ହୋଇଥିଲା ଏହି ଶିଶୁ ଉଦ୍ୟାନ। ପାର୍କ ନିର୍ମାଣ ହେବାର ୨-୩ ବର୍ଷ ସେଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯିବା ସହ ରକ୍ଷଣବେକ୍ଷଣା କରା ଯାଉଥିଲା। ଲୋକେ ସେଠାକୁ ମର୍ଣ୍ଣଂ ଓ ଇଭିନିଂ ଓ୍ବାର୍କ କରିବା ସହ ବ୍ୟାୟାମ କରିବା ପାଇଁ ଯାଉଥିଲେ, ପିଲାଏ ଖେଳୁଥିଲେ। ବରିଷ୍ଠ ନାଗରିକଙ୍କ ଆମୋଦର ସ୍ଥାନ ପାଲଟିଥିଲା। ମହିଳାମାନେ ମଧ୍ୟ ଛୋଟଛୁଆଙ୍କୁ ଖେଳାଇବାକୁ ପାର୍କକୁ ନେଉଥିଲେ। ତେବେ ପରେ ପରେ ରକ୍ଷଣାବେଷଣା ଅଭାବରୁ ପାର୍କ ସ୍ଥିତି ବିଗିଡ଼ିଲା ଓ ଆକର୍ଷଣ ହଜିଗଲା। ବର୍ତ୍ତମାନ ପାର୍କ ଭିତର ଅନାବନା ଗଛରେ ପରିପୂର୍ଣ୍ଣ। ଏପରିକି ପାଖରେ ରହୁଥିବା ବସ୍ତିର କିଛି ଲୋକ ସେଠାରେ ମଳତ୍ୟାଗ କରୁଛନ୍ତି। ଛୋଟପିଲାଙ୍କ ପାଇଁ ନିର୍ମିତ ହୋଇଥିବା ଖେଳ ସାମଗ୍ରୀଗୁଡିକ ଭାଙ୍ଗିରୁଜି ଯାଇଛି, ଅନେକ ଚୋରି ହୋଇଯାଇଛି।

ରାତି ପାହିବା ମାତ୍ରେ ପାର୍କ ଭିତରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି। ଜୁଆ ଓ ସଟ୍ଟା ଖେଳ ଚାଲୁଛି। ମଦ ଓ ଗଞ୍ଜେଇ ପିଆ ଚାଲୁଛି। ରାତି ବଢ଼ିବା ସହିତ ସେମାନଙ୍କର ସଂଖ୍ୟା ବଢ଼ି ଚାଲୁଛି। ଆହୁରି ସାଂଘାତିକ କଥା ହେଉଛି, ରାଉରକେଲା ସମେତ ଝାଡ଼ଖଣ୍ଡ ଓ ବିହାରରୁ କିଛି ଆସାମାଜିକ ଯୁବକ ଆସି ସେଠାରେ ଛୋଟ ମାରଣାସ୍ତ୍ର ବିକ୍ରି କରୁଥିବାର ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ନିଶା ସେବନ ସହିତ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ଚାଲୁଛି। କେବେ କେବେ କୌଣସି କାରଣରୁ ପରସ୍ପର ବିରୋଧୀ ଗୋଷ୍ଠୀର ଯୁବକମାନଙ୍କ ଭିତରେ ମାଡ଼ପିଟ୍ ହେଉଛି। ସେମାନେ ବୋତଲ ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅଞ୍ଚଳ କମ୍ପାଇ ଦେଉଛନ୍ତି। କିନ୍ତୁ ସ୍ଥାନୀୟ ପୁଲିସ କିଛି ନଜାଣିବାଭଳି ନିରବ ରହୁଛି। ଏହି ପାର୍କର ଚାରିପାଖରେ କେବେ କେବେ ଆଲୋକ ଲଗାଯାଉଛି। କିନ୍ତୁ ଆଡ୍ଡା ଜମାଉଥିବା ଯୁବକମାନେ ପ୍ରତିଥର ଟେକା ପଥର ମାରି ଲାଇଟ୍ ଭାଙ୍ଗି ଦେଉଛନ୍ତି। ଯାହାଫଳରେ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସନ୍ଧ୍ୟା ହେଲେ ମହିଳାମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି।

ଏ ସଂପର୍କରେ ସେକ୍ଟର-୧୫ରେ ଯୋଗ ଦେଇଥିବା ନୂଆ ଥାନାଅଧିକାରୀ ମାନସ ସ୍ବାଇଁଙ୍କୁ ପଚାରିବାରୁ, ସେ କହିଲେ, ‘‘ମୁଁ ତ ଏବେ ଏବେ ଥାନା‌ରେ ଯୋଗ ଦେଇଛି। ମାମଲା ସଂପର୍କରେ ଏବେ ଜାଣିଲି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ସମ୍ବନ୍ଧିତ ଖବର