ସମ୍ବଲପୁର : ଗ୍ରୀଷ୍ମଦିନେ ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଲା ରହୁଛି। ପାଣି ପାଇଁ ଲୋକେ କଲବଲ ହୋଇଥାନ୍ତି। ହେଲେ ବର୍ଷା ଦିନେ ବନ୍ୟା ବିଭୀଷିକା ସହ ଯୁଝୁଛନ୍ତି। ଧୀରେ ଧୀରେ ଏହା ବିଷମ ପରିସ୍ଥିତି ସୃଷ୍ଟି କଲାଣି। ପ୍ରଥମ ଥର ପାଇଁ ଛତିଶଗଡ଼ ବ୍ୟାରେଜମାନଙ୍କ ପ୍ରଭାବ ମହାନଦୀ ଅବବାହିକା ଉପରେ ପଡ଼ିଛି। ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେବା ସହିତ ଛତିଶଗଡ଼ ବହୁ ଅଂଚଳ ପାଣିରେ ବୁଡ଼ି ରହିଛି। ଏମିତି ସମୟରେ ଏବେ ଛତିଶଗଡ଼ ସରକାର ନିଜ ଅଂଚଳର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମହାନଦୀରେ ଅଧିକ ଜଳ ନିଷ୍କାସନ ଉପରେ ଗୁରୁତ୍ବ ଦେଇଛନ୍ତି। ଓଡ଼ିଶା ସରକାରଙ୍କୁ ଚାପ ପକାଉଛନ୍ତି ଯେ ଅଧିକ ଗେଟ୍ ଖୋଲ। ଆଜି ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ସେଠାକାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଚାପ ପକାଉଛନ୍ତି। କିନ୍ତୁ ଆମେ ସ୍ଥିତି ଦେଖି ଗେଟ୍ ଖୋଲିବୁ ବୋଲି ଜଣାଇ ଦେଇଛୁ।
ହୀରାକୁଦ ଜଳଭଣ୍ଡାର କ୍ୟାଚ୍ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ହୀରାକୁଦ ଜଳଭଣ୍ଡାରର ଠିକ୍ ଉପରେ ଛତିଶଗଡ଼ ସୀମାରେ ମହାନଦୀ ଉପରେ ରହିଛି କଲ୍ମା ବ୍ୟାରେଜ। କଲ୍ମା ବ୍ୟାରେଜନ ନିର୍ମାଣ କାର୍ଯ୍ୟ ସରିବା ପରେ ୨୦୧୬ ଅକ୍ଟୋବରରୁ ହିଁ ଛତିଶଗଡ଼ ଏହାର ଗେଟ୍ ପକାଇବା ଆରମ୍ଭ କରିଦେଇଥିଲା। ଛତିଶଗଡ଼ ସରକାର କଲ୍ମା ସମେତ ନିଜର ୫ଟି ଜିଲ୍ଲାରେ ଶିଳ୍ପକୁ ଜଳଯୋଗାଣ ଲକ୍ଷ୍ୟନେଇ ମହାନଦୀ ଉପରେ ୬ଟି ବ୍ୟାରେଜ ନିର୍ମାଣ କରିଛନ୍ତି। ସିଓରି ନାରାୟଣ, ବସନ୍ତପୁର, ମିରୌନି, ସାରାଡିହି ଏବଂ କଲ୍ମା ବ୍ୟାରେଜ୍ର ଜଳଧାରଣ କ୍ଷମତାର ୬୫ ପ୍ରତିଶତ ଓ ସମୋଦା ବ୍ୟାରେଜ୍ର ୭୦ ପ୍ରତିଶତ ପାଣି ୨୧ଟି କାରଖାନାକୁ ଯୋଗାଇବାକୁ ଛତିଶଗଡ଼ ସରକାର ଚୁକ୍ତି କରିଥିବା ବେଳେ ବ୍ୟାରେଜ ନିର୍ମାଣ ସମୟରେ ହିଁ କଂପାନିମାନଙ୍କଠାରୁ ଅଗ୍ରୀମ ଜଳକର ଆକାରରେ ୮,୯୩,୨୭୬ ଲକ୍ଷ ଟଙ୍କା ନେଇଥିଲେ। କଲ୍ମା ବ୍ୟାରେଜରୁ ୧୨୦ କିଲୋମିଟର ମଧ୍ୟରେ ଏସବୁ ବ୍ୟାରେଜ ସହିତ ୪ଟି ଚେକ୍ ଡ୍ୟାମ ମଧ୍ୟ ରହିଛି।
ପରିଣାମ ହେଲା, ବ୍ୟାରେଜ୍, ଚେକ୍ଡ୍ୟାମ ଆଦି ଯୋଗୁଁ ମହାନଦୀ ସବୁବେଳେ ଫୁଲି ରହୁଛି। ଛତିଶଗଡ଼ରେ ଗତ କିଛିଦିନ ହେଲା ବର୍ଷା ଲାଗି ରହିଛି। ମାତ୍ର ୧୫ରୁ ୨୫ କିଲୋମିଟର ବ୍ୟବଧାନରେ ଏସବୁ ପ୍ରକଳ୍ପର ନିର୍ମାଣ ହୋଇଥିବାରୁ ଛତିଶଗଡ଼ ଅଂଚଳରେ ମହାନଦୀରେ ପାଣି ଭର୍ତ୍ତି ହୋଇ ରହିଛି। ଏବେ କ୍ରମାଗତ ବର୍ଷା ଯୋଗୁଁ ବର୍ଷା ପାଣି ନିଷ୍କାସନରେ ସେହି ଅଂଚଳରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ମହାନଦୀ ପାଣି ଉଭୟ ପାର୍ଶ୍ବରେ ଥିବା ଜନବସତି, ଚାଷଜମି ଆଡ଼କୁ ପାଣି ମାଡ଼ି ଯାଇଛି।
ସିଓରିନାରାୟଣଠାରେ ପାଖରେ ଏକ ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଥିବା ଜଣାପଡ଼ିଛି। ସ୍ଥିତି ଏମିତି ହୋଇଛି, ଛତିଶଗଡ଼ ସରକାର ବାଧ୍ୟ ହୋଇ ବ୍ୟାରେଜଗୁଡ଼ିକରୁ ସବୁଗେଟ୍ ଖୋଲି ଜଳ ନିଷ୍କାସନ କରିବାକୁ ଚାହୁଛନ୍ତି। ନିଜ ରାଜ୍ୟର କ୍ଷୟକ୍ଷତି ହ୍ରାସ କରିବା ପାଇଁ ଏବେ ମହାନଦୀରେ ଅଧିକ ପାଣି ନିଷ୍କାସନ କରିବାକୁ ବାଧ୍ୟ ହୋଇଛନ୍ତି। ଆଜି ସନ୍ଧ୍ୟା ୭ଟାରେ କଲମା ବ୍ୟାରେଜକୁ ୫ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ବର୍ଷା ଜାରି ରହିଲେ, ଛତିଶଗଡ଼ରେ ବନ୍ୟା ସ୍ଥିତି ଜଟିଳ ରୂପ ଧାରଣ କରିବ ବୋଲି କୁହାଯାଇଛି। ଏଭଳି ହେଲେ, ଛତିଶଗଡ଼ ସରକାର ମହାନଦୀରେ ଅଧିକ ପାଣି ଛାଡ଼ିବାକୁ ବାଧ୍ୟ ହେବେ। ଆଉ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ।