ସମ୍ବଲପୁର: ବର୍ଷା ସମୟ ଆସିବାପରେ ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ସମସ୍ତ ୬୬ଟି ଗେଟ୍ ଖୋଲି ଦେଇଛନ୍ତି। ଅକ୍ଟୋବରରେ ପୁଣି ସବୁ ଗେଟ୍ ବନ୍ଦ କରିଦେବେ। ମୌସୁମୀ ଋତୁରେ କଲ୍ମାର ସବୁ ଗେଟ୍ ପୂରା ଖୋଲା ରହୁଥିବା ବେଳେ ଅଣମୌସୁମୀ ସମୟରେ ପୂରା ବନ୍ଦ ରଖାଯାଉଛି। ଗତ ୨୦୧୭ ମସିହାଠାରୁ ଏହି ଧାରା ଚାଲିଆସୁଛି। ମହାନଦୀ ଜଳ ବିବାଦ ଏବେ ଟ୍ରିବ୍ୟୁନାଲ ବିଚାରାଧୀନ ରହିଥିବା ବେଳେ ଛତିଶଗଡ଼ ସରକାର ଏବେ ଜଳଯୋଗାଣ ନିମନ୍ତେ ଏହି ବ୍ୟାରେଜ ଉପରେ ପ୍ରାୟ ୨୦ ପ୍ରକଳ୍ପ ନିର୍ମାଣ କରୁଥିବା ଜଣାପଡ଼ିଛି। ବ୍ୟାରେଜରୁ ଶିଳ୍ପାନୁଷ୍ଠାନ ପାଣି ଟାଣୁଥିବା ବେଳେ ଏବେ ଜଳଯୋଗାଣ ବି ପାଣି ଟଣାଯିବ। ଆଉ ଏହାର ଆଳ କରି ଆଗାମୀ ଦିନରେ ଅଣମୌସୁମୀ ଋତୁ ଆଦୌ ପାଣି ନଛାଡ଼ିବାକୁ ଯୋଜନା ରଖିଥିବା ଜଣାପଡ଼ିଛି।
ଓଡ଼ିଶାକୁ ମହାନଦୀର ପ୍ରବେଶସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍ମା ବ୍ୟାରେଜ୍। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜ ନିମାର୍ଣରେ ୧୮୨.୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୫୦.୩୯ ଏମ୍ସିଏମ୍ ଜଳଧାରଣ କ୍ଷମତା ବିଶିଷ୍ଟଏହି ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ଚୁକ୍ତି ହୋଇଛି। ଛତିଶଗଡ଼ ସରକାର ନିଜ ୫ଟି ଜିଲ୍ଲାରେ ମହାନଦୀ ଉପରେ ନିର୍ମିତ ସିଓରି ନାରାୟଣ, ବସନ୍ତପୁର, ମିରୌନି, ସାରାଡ଼ିହି ଏବଂ କଲ୍ମା ବ୍ୟାରେଜ୍ର ଜଳଧାରଣ କ୍ଷମତାର ୬୫ ପ୍ରତିଶତ ଓ ସମୋଦା ବ୍ୟାରେଜ୍ର ୭୦ ପ୍ରତିଶତ ପାଣି ୨୧ଟି କାରଖାନାକୁ ଯୋଗାଇବାକୁ ଚୁକ୍ତି କରିଛନ୍ତି। ବ୍ୟାରେଜ ନିର୍ମାଣ କଂପାନିମାନଙ୍କଠାରୁ ୮,୯୩,୨୭୬ ଲକ୍ଷ ଟଙ୍କା ଜଳକର ଆକାରରେ ଆଗୁଆ ବି ନେଇଯାଇଛନ୍ତି। ଏସବୁ ବ୍ୟାରେଜ ନିର୍ମାଣ ପରେ ହୀରାକୁଦ ଜଳଭଣ୍ଡାରକୁ ମହାନଦୀ ଜଳପ୍ରବେଶ ମାତ୍ରା ସାଂଘାତିକ ଭାବେ ହ୍ରାସ ପାଇଛି। ଏଥିସହିତ, କଲମା ଉପରେ ମୁଣ୍ଡରେ ଏହି ୭୦୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି।
କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଜରିଆରେ ନିର୍ମିତ ହେଉଥିବା ଏସବୁ ପ୍ରକଳ୍ପରେ ଅମ୍ବିକାପୁର, ଅମଲଡ଼ିଆ, ବରମକେଲା, ସୁରଜପୁର ଆଦି ବ୍ଲକ୍ ଅଂଚଳ ସମେତ ସାରଂଗଗଡ଼ ଓ ଜାଂଜଗୀର-ଚାମ୍ପା ଜିଲ୍ଲାର ପ୍ରାୟ ୬୫୦ଟି ଗାଁକୁ ପାନୀୟ ଜଳ ଯୋଗାଣ ଯୋଜନା ରହିଛି। ଏସବୁ ପ୍ରକଳ୍ପ ପ୍ରତିଦିନ ୧୨୦ କ୍ୟୁସେକ୍ ପାଣି ଟାଣିବ। ଏପଟେ କଲମା ବ୍ୟାରେଜରୁ ପାଣି ନେବା ପାଇଁ ଚୁକ୍ତି କରିଥିବା ୮ଟି ସଂସ୍ଥା ମଧ୍ୟରୁ ୫ଟି ସଂସ୍ଥା ପାଣି ନେଉଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦ ଟ୍ରିବ୍ୟୁନାଲରେ ପହଂଚିବା ପରେ ବଡ଼ ପ୍ରକଳ୍ପକୁ ଅନୁମତି ମିଳୁନାହିଁ। ପ୍ରସ୍ତାବିତ ଓ ନିର୍ମାଣାଧୀନ ପ୍ରକଳ୍ପ ସବୁ ଅଟକି ରହିଛି। ନିର୍ମାଣ ହୋଇସାରିଥିବା ବ୍ୟାରେଜରୁ ପାନୀୟ ଜଳ ଯୋଗାଣ ନିମନ୍ତେ ନୂଆ ପ୍ରକଳ୍ପ ପାଇଁ ଟ୍ରିବ୍ୟୁନାଲଙ୍କ ଅନୁମତିର ଆବଶ୍ୟକତା ପଡ଼ୁନାହିଁ। ଫଳରେ ଛତିଶଗଡ଼ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଆଗାମୀଦିନରେ ଛତିଶଗଡ଼ ସରକାର ପାନୀୟ ଜଳ ଯୋଗାଣ ଆଳ ଦେଖାଇ ଅଣମୌସୁମୀ ଋତୁରେ ଆଉ ଓଡ଼ିଶା ପାଇଁ ମହାନଦୀରେ ପାଣି ନଛାଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।