ଭିଜିଲାନ୍ସ ପଞ୍ଝାରେ କୋଟିପତି ଖେଳ ଶିକ୍ଷକ: ସମ୍ପତ୍ତି ତାଲିକା ୪.୬୭ କୋଟି ଟପିଲାଣି

ମିଳିଲା ନଗଦ ୩ ଲକ୍ଷ ୭୦ ହଜାର

ପାତ୍ରପୁର/ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜଣେ କୋଟିପତି ଖେଳ ଶିକ୍ଷକ। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୪କୋଟି ୬୭ଲକ୍ଷ ୭୦ହଜାର ୮୬୫ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଜଣେ ଖେଳ ଶିକ୍ଷକ ଏତେ ପରିମାଣ ସମ୍ପତ୍ତି ଠୁଳ କରିବା ଭିଜିଲାନ୍ସ ବିଭାଗକୁ ତାଜୁବ କରିଛି। ୩କୋଟି ୮୪ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ତାଲିକାରେ କୋଠା, ଜମି, ମାର୍କେଟ କମ୍ପ୍ଲେକ୍ସ, ପେଟ୍ରୋଲ ପମ୍ପ୍‌, ଗ୍ୟାସ୍‌ ଏଜେନ୍ସି ପ୍ରଭୃତି ରହିଛି। ତଦନ୍ତ ସରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ତାଲିକ ସ୍ପଷ୍ଟ ହେବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି।

ବ୍ରହ୍ମପୁର, ଜୟନ୍ତୀପୁରରେ ୫ଟି ଘର, ପ୍ଲଟ୍‌
ପେଟ୍ରୋଲ୍‌ ପମ୍ପ୍‌, ମାର୍କେଟ କମ୍ପ୍ଲେକ୍ସ, ଗ୍ୟାସ୍‌ ଏଜେନ୍ସି

ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର ଖେଳଶିକ୍ଷକ ଦନାର୍ଦ୍ଦନଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏଣୁ ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ଶିକ୍ଷକ ଦନାର୍ଦ୍ଦନଙ୍କ ବ୍ରହ୍ମପୁର ଅନନ୍ତନଗର ବାସଭବନ ଓ ଜୟନ୍ତୀପୁର ବାସଭବନ ସମେତ ୧୩ଟି ସ୍ଥାନରେ ଏକାଥରକେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ମୋଟ୍‌ ୩ଲକ୍ଷ ୭୦ହଜାର ନଗଦ ଜବତ ହୋଇଥିବାବେଳେ ଖେଳ ଶିକ୍ଷକ ଦନାର୍ଦ୍ଦନ ଓ ପରିବାରବର୍ଗଙ୍କ ନାମରେ ଲମ୍ବା ସମ୍ପତ୍ତି ତାଲିକା ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛନ୍ତି। ସ୍ଥାବର ସମ୍ପତ୍ତି ତାଲିକାରେ ବ୍ରହ୍ମପୁର ଅନନ୍ତନଗରରେ ଖେଳ ଶିକ୍ଷକ ଦନାର୍ଦ୍ଦନଙ୍କ ପତ୍ନୀ କୁନ୍ତଳା କୁମାରୀ ସାହୁ ଓ ପୁଅ ଅମିତ କୁମାର ସାହୁଙ୍କ ନାମରେ ଦୁଇଟି କୋଠା, ବ୍ରହ୍ମପୁର ଉତ୍ତରେଶ୍ବର ‌ମୌଜା ଓ ରାଧାନାଥପୁର ମୌଜାରେ ଦୁଇଟି ପ୍ଲଟ୍‌, ବଳରାମପୁରରେ ମାର୍କେଟ କମ୍ପ୍ଲେକ୍ସ, ପାତ୍ରପୁର ତହସିଲ ବଳରାମପୁର ମୌଜାରେ ୪ଟି ପ୍ଲଟ୍‌, ଜୟନ୍ତୀପୁରରେ ପୁଅ ଅମିତ ନାମରେ ଏକ ପେଟ୍ରୋଲ ପମ୍ପ, ଜୟନ୍ତୀପୁରରେ ମାର୍କେଟ କମ୍ପ୍ଲେକ୍ସ, ଜୟନ୍ତୀପୁରରେ ଦୁଇଟି ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ଘର ରହିଛି। ଭୁବନେଶ୍ବରରେ ପ୍ଲଟ୍‌ ଓ ଦନାର୍ଦ୍ଦନଙ୍କ ବନ୍ଧୁଙ୍କ ନାମରେ ଏକ ଗ୍ୟାସ୍‌ ଏଜେନ୍ସି ମଧ୍ୟ ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି।

ସେହିପରି, ୮୩ଲକ୍ଷ ୪୮ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିଲା ଭିଜିଲାନ୍ସ ବିଭାଗ ଆକଳନ କରିଛି। ଏ ନେଇ ଦନାର୍ଦ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଇଛି। ତନ୍ମଧ୍ୟରେ ୭୨୧ ଗ୍ରାମ ସୁନା ଅଳଙ୍କାର, ୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି, ବ୍ୟାଙ୍କ ଜମା, ଜୀବନ ବୀମା ପ୍ରଭୃତି ରହିଛି। ସେହିପରି ଶିକ୍ଷକ ଦନାର୍ଦ୍ଦନଙ୍କ ଗୋଦାମରୁ ୫୦କେଜି ବିଶିଷ୍ଟ ୫ଶହ ବ୍ୟାଗ୍‌ ଚିନି ଓ ୪୦କେଜି ବିଶିଷ୍ଟ ୨ଶହ ବ୍ୟାଗ୍‌ ଗୁଡ଼ି ଜବତ ହୋଇଛି। ଏହା କେଉଁ କାମରେ ବ୍ୟବହାର ପାଇଁ ରଖାଯାଇଥିଲା, ସେ ଦିଗରେ ତଦନ୍ତ ଜାରି ରହିଥିବା ଅବକାରୀ ବିଭାଗ କହିଛି।

ଚଢ଼ଉରେ ୪ଜଣ ଡିଏସ୍‌ପି, ୧୨ ଜଣ ଇନ୍‌ସ୍ପେକ୍ଟର୍‌ଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଏ ନେଇ ଖେଳ ଶିକ୍ଷକ ଦନାର୍ଦ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଇଛି। ସେ କୌଣସି ପ୍ରକାର ଦୁର୍ନୀତିରେ ଲିପ୍ତ ନଥିବା ତାଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର