ବାସୁଦେବପୁର: ବାସୁଦେବପୁର ବ୍ଲକର ଅଢୁଆଁ ଓ ଚୂଡାମଣି ପଞ୍ଚାୟତ ସମୁଦ୍ର ପତନର ଖୁବ୍ ନିକଟରେ ଅବସ୍ଥିତ। ଆଉ ଉପର ମୁଣ୍ତରେ ଗମେଇ ନଦୀର କରାଳ ରୂପ ଅନେକ ସମୟରେ ଏହି ଦୁଇ ଗାଁ ଭିତରେ ବିସ୍ତାର କରିଥାଏ। ଏହି ଦୁଇ ପଞ୍ଚାୟତର ଲୋକେ ସଦାସର୍ବଦା ବିପଦପୂର୍ଣ୍ଣ ଭାବେ ବସବାସ କରିଥାନ୍ତି। ଉଭୟ ସମୁଦ୍ର ଓ ନଦୀରୁ ଗାଁକୁ ସୁରକ୍ଷା ଦେବାକୁ ପ୍ରଶାସନ ବ୍ୟଗ୍ରତା ମଧ୍ୟ ଦେଖାଇଥାଏ। ଖରାଦିନେ ସମୁଦ୍ର ଜୁଆର ଓ ବର୍ଷା ଦିନେ ବନ୍ୟା ଏହି ଦୁଇ ପଞ୍ଚାୟତବାସୀଙ୍କୁ ତଳିତଳାନ୍ତ କରୁଛି। ଏହି ଦୁଇ ବିପର୍ଯ୍ୟୟରୁ ଗାଁକୁ ରକ୍ଷା କରିବାକୁ ପ୍ରଶାସନକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେବାକୁ ପଡୁଛି। ସେଥିପାଇଁ ପ୍ରତିବର୍ଷ ନଦୀବନ୍ଧକୁ ସୁଦୃଢ କରିବାକୁ ପୁଳାପୁଳା ଅର୍ଥ ବିନିଯୋଗ କରାଯାଉଛି। ତେବେ ଚଳିତ ବର୍ଷ ସ୍ଥାନୀୟ ନନ୍ଦପୁର ଗାଁ ମୁଣ୍ତର ଗମେଇ ନଦୀ ମୁଖ୍ୟ ବନ୍ଧରେ ପଥର ପ୍ୟାକିଂ କରାଯାଇଛି।
ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ନଥିବା ସ୍ଥଳେ ଠିକାଦାର ଫାଇଦା ଉଠାଉଥିବା ଗ୍ରାମବାସୀ ସ୍ବର ଉଠାଇଛନ୍ତି। ଗ୍ରାମବାସୀଙ୍କ ପାଇଁ ଅନେକ ସମୟରେ ବିପଦ ସାଜିଥିବା ଏହି ଉଛୁଳା ନଦୀର ବନ୍ୟାପାଣି ସମୁଦ୍ରକୁ ପ୍ରବାହିତ ଓ ସମୁଦ୍ର ଜୁଆର ନିଷ୍କାସନ ଦିଗରେ ନଦୀବନ୍ଧର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି ଲୋକେ। ସ୍ଥାନୀୟ ଜଳସେଚନ ବିଭାଗରଯନ୍ତ୍ରୀ ଅନୀଲ କୁମାର ପରମାଣିକଙ୍କ ସୂଚନା ଅନୁସାରେ ୪୪ ଲକ୍ଷେର ଏକ ପ୍ରକଳ୍ପ ଜରିଆରେ ପଥର ପ୍ୟାକିଂ କରାଯାଇଛି। ଯେହେତୁ ଛୋଟ ପ୍ରୋଜେକ୍ଟ ସେଥିପାଇଁ କୌଣସି ସୂଚନା ଫଳକ ଲଗା ଯାଇନାହିଁ ବୋଲି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପଟି ସ୍ଥାନୀୟ ନନ୍ଦପୁର ଗାଁମୁଣ୍ତ ଝାଉଁବଣ ନିକଟରେ ୧୪୪ ମିଟର ଲମ୍ବରେ ପଥର ପ୍ୟାକିଂ ହୋଇଛି।
ଅଟକଳ ତଥା ସରକାରୀ ନିୟମକୁ ଉଲ୍ଲଙ୍ଘନ କରାଯାଇ ନିର୍ମାଣ ସରିଥିବା ଅଭିଯୋଗ ସାମନାକୁ ଆସିଛି। ନଦୀ ବନ୍ଧ ଉପରେ ପଥର ପ୍ୟାକିଂ ପାର୍ଶ୍ବରେ ସୁରକ୍ଷାବନ୍ଧ ନିର୍ମାଣ କରାଯାଇନଥିବା କାରଣରୁ ମାଟିବନ୍ଧ ନଦୀକୁ ଧସେଇ ଯାଉଥିବା ଦେଖିବାକୁ ମିଳିଛି। କେତେକାଂଶରେ ମାଟିବନ୍ଧ ଅତଡା ଧସେଇ ପଡିଥିବା ବେଳେ କେଉଁ ଉଦ୍ଦେଶ୍ୟରେ ନଦୀ ବନ୍ଧରେ ପଥର ପ୍ୟାକିଂ କରାଯାଇଛି, ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଖରାଦିନରେ ତ ଏମିତି ଅବସ୍ଥା ତେବେ ବର୍ଷା ଦିନରେ ମାଟି ବନ୍ଧର ଅବସ୍ଥା ସଙ୍ଗୀନ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନବ ନିର୍ମିତ ପଥର ପ୍ୟାକିଂ ଘଟଣାରେ ଉଚ୍ଚ ଅଧିକାରୀ ପରିଦର୍ଶନ କରିବା ସହିତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/25-7.jpg)