ବିଡିଓଙ୍କ ପାଦତଳେ ପଡ଼ିଲେ ପ୍ରାର୍ଥୀ, ‘ଭୋଟ୍‌ବାକ୍ସକୁ ସୁରକ୍ଷା ଦିଅନ୍ତୁ’

ଖଲ୍ଲିକୋଟ : ଚଳିତ ନିର୍ବାଚନରେ ଯେଉଁ ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି, ତାହା ହେଉଛି ଷ୍ଟ୍ରଙ୍ଗ୍‌ରୁମ୍‌ ସାମ୍‌ନାରେ ପଇଁତରା। ଷ୍ଟ୍ରଙ୍ଗ୍‌ରୁମ୍‌କୁ ଜଗିବା ପାଇଁ କେଉଁଠି ମଞ୍ଚା ବନ୍ଧା ହୋଇଛି ତ ଆଉ କେଉଁଠି ୫୦ ଇଞ୍ଚ୍‌ର ସିସିଟିଭ ଲାଗିଛି। ଏବେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଭୋଟ୍ ବାକ୍ସ୍‌ର ସୁରକ୍ଷା ପାଇଁ ୨ଜଣ ପ୍ରାର୍ଥୀ ବିଡିଓଙ୍କ ପାଦତଳେ ପଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅଫିସ୍ ଭିତ‌ରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସରିବାପରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ହୋଇଥିବା ୩ଟି ଷ୍ଟ୍ରଙ୍ଗରୁମ୍‌ରେ ବାଲଟ୍ ବକ୍ସ୍ ରଖାଯାଇଛି। ଗତକାଲି ରାତିରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଷ୍ଟ୍ରଙ୍ଗରୁମ୍‌ ବୁଲି ଦେଖିଥିଲେ। ହେଲେ, ସେଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ଦର୍ଶାଇବା ସହ ସିସିଟିଭି ଲଗାଇବାକୁ ଦାବି କରିଥିଲେ। କିନ୍ତୁ କୌଣସ ପଦକ୍ଷେପ ନିଆ ନଯିବାରୁ ଦୁଇ ପ୍ରାର୍ଥୀ ଯଜ୍ଞନାରାୟଣ ଦାଶ ଓ ରାମଚନ୍ଦ୍ର ବୈଦ୍ୟ ହଠାତ୍ ବିଡିଓ ମିତାଲି ପାତ୍ରଙ୍କ ପାଦ ତଳେ ପଡ଼ିଯାଇଥିଲେ। ‘ଆଉ ଭୋଟ୍‌ ବାକ୍ସ୍‌କୁ ସୁରକ୍ଷା ଦିଅନ୍ତୁ’ ବୋଲି କହିଥିଲେ। ଏହାସହ ସେଠାରେ ଉପସ୍ଥିତ ଅନ୍ୟ ବିଜେପି ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ। ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ରେ ବ୍ଲକ୍ କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିବାବେଳେ ‌ବିଡିଓଙ୍କ ସମେତ ଉପସ୍ଥିତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହା ଦେଖି ଆଚମ୍ବିତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର