ବାରଙ୍ଗ/ତ୍ରିଶୁଳିଆ: ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁରସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଗ୍ରମାଞ୍ଚଳର ୪ଟି ଓ ସହରାଞ୍ଚଳର ଗୋଟିଏକୁ ମିଶାଇ ମୋଟ ୫ଟି ମ୍ୟାଚ୍ ଖେଳା ଯାଇଥିଲା। ଉଦ୍ଘାଟନୀ ମ୍ୟାଚ୍ରେ ବାବା ବାଞ୍ଛାମଣି କ୍ଲବ୍ ଟାଙ୍ଗିବନ୍ତ ଟାଇବ୍ରେକର୍ରେ ୫-୪ଗୋଲ ବ୍ୟବଧାନରେ ଗୋପାଳପୁରର ଜୟ ତାରିଣୀ କ୍ଲବକୁ ପରାସ୍ତ କରିଛି। ଦ୍ବିତୀୟ ମ୍ୟାଚ୍ରେ ବରାହୀପୁର ଦଳ ୧-୦ ଗୋଲରେ ମହାବୀର କ୍ଲବ, ନରଣପୁରକୁ ପରାସ୍ତ କରିଛି।
ତୃତୀୟ ମ୍ୟାଚ୍ରେ ପ୍ରତାପ କ୍ଲବ୍ ପ୍ରତାପନଗରୀ ଦଳ ଟାଇବ୍ରେକର୍ରେ ୫-୪ ଗୋଲରେ ଉଷୁମା ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ଚତୁର୍ଥ ମ୍ୟାଚ୍ରେ ଗବବସ୍ତ ଦଳ ଟାଇବ୍ରେକର୍ରେ ୬-୫ ଗୋଲରେ ମଇଦପୁର ଦଳକୁ ପରାସ୍ତ କରିଛି। ଗ୍ରାମାଞ୍ଚଳର ଉପରୋକ୍ତ ବିଜୟୀ ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ସହରାଞ୍ଚଳ ମୁକାବିଲାରେ ଭୁବନେଶ୍ବରର ଜଗା ୟୁନାଇଟେଡ କ୍ଲବ୍ ଟାଇବ୍ରେକରରେ ୫-୪ ଗୋଲ ବ୍ୟବଧାନରେ ଢେଙ୍କାନାଳର ପପୁଲାର କ୍ଲବ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ଗଣ୍ଡରପୁର ଗ୍ରାମର ବରିଷ୍ଠ ମୁରବୀ ଅନ୍ତର୍ଯ୍ୟାମୀ କୁଅଁରଙ୍କ ସମେତ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ। ହାସ୍ୟ ଅଭିନେତା ଭାଷ୍ୟକାର ରଙ୍କନିଧି ରାଉତ କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ। ଗଣ୍ଡରପୁର ଯୁନାଇଟେଡ ୟୁଥ୍ କ୍ଲବର ସଦସ୍ୟମାନେ ପରିଚାଳନାରେ ସହାୟତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/40-2.jpg)