କେନ୍ଦୁଝର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଅନିୟମିତତାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲଙ୍କ ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଜେନ୍ସିର ଏକାଧିକ ନିର୍ଦ୍ଦେଶକ। ଆଜି ଶୁଆକାଟିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ନିର୍ଦ୍ଦେଶକମାନେ ରିଜୋଲ୍ୟୁସନ୍ ଜାଲିଆତି କରାଯାଇଥିବା ଏବଂ ବିଜେପିକୁ ଟଙ୍କା ଦିଆଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦେହୁରୀ, ନିର୍ଦ୍ଦେଶକ କୁମା ପ୍ରଧାନ, ନିର୍ଦ୍ଦେଶକ ବୈକୁଣ୍ଠ ବେହେରା, ନିର୍ଦ୍ଦେଶକ ମଧୁସୂଦନ ଠାକୁର ମିଳିତ ଭାବେ କହିଛନ୍ତି, ଆମେ ହେଉଛୁ ଓଏମ୍ସିର କ୍ଷତିଗ୍ରସ୍ତ ପ୍ରଜା। ସେହି ଦୃଷ୍ଟିରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିଂ ନିର୍ବାଚନବେଳେ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ଆମକୁ ନିର୍ଦ୍ଦେଶକ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆମଠାରୁ କେବଳ ସାଦା ଖାତାରେ ଦସ୍ତଖତ ନେଇ ଯାଇଥା’ନ୍ତି। କିନ୍ତୁ କ’ଣ ନିଷ୍ପତ୍ତି ହୁଏ ସେ ସଂପର୍କରେ କିଛି ଜଣାନ୍ତି ନାହିଁ। ଏବେ ଯେଉଁ ଟଙ୍କା ଦେବା କଥା ଉଠୁଛି, ସେ ସଂପର୍କରେ ମଧ୍ୟ ଆମେ କେହି ଅବଗତ ନାହୁଁ। ତେଣୁ ହୁଏତ ଏହି ରିଜୋଲ୍ୟୁସନ୍ ଆମକୁ ଅନ୍ୟ କିଛି କହି ଦସ୍ତଖତ ନେଇଥିବେ ବା ଜାଲିଆତି ହୋଇଥିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଯଦିଓ ଆମେ ନିର୍ଦ୍ଦେଶକ ଥିଲୁ, କିନ୍ତୁ ଆମକୁ କେବଳ ମୋହରା ବା ବ୍ୟବହାର କରାଯାଉଥିଲା ବୋଲି ଏହି ନିର୍ଦ୍ଦେଶକମାନେ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।