ମହାତ୍ମାଙ୍କ ସ୍ମୃତିରେ ପୁରୀର ଗାନ୍ଧୀଘାଟ, ଆଜି ପ୍ରତିଷ୍ଠା ଦିବସ

୪ ଏକର ଜାଗାରୁ ସଂରକ୍ଷିତ ଅଛି ୩ ଏକର, ରକ୍ଷଣାବେକ୍ଷଣ ଦାବି

ପୁରୀ : ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖ। ପୁରୀ ଇତିହାସରେ ଯୋଡ଼ି ହୋଇଥିଲା ଏକ ଅବିସ୍ମୃତ ଦିନ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁପରେ ମହୋଦଧୀରେ ବିସର୍ଜନ ପାଇଁ ଆସିଥିଲା ମହାତ୍ମାଙ୍କ ଚିତାଭସ୍ମ। ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ହଜାର ଲୋକଙ୍କ ବିରାଟ ପଟୁଆର ମଧ୍ୟରେ ପୁରୀ ଷ୍ଟେସନ୍‌ରୁ ମହୋଦଧୀକୁ ଯାଇଥିଲା ଚିତାଭସ୍ମ। ଗାନ୍ଧୀଜୀଙ୍କ ହତ୍ୟାକୁ ୧୩ ଦିନ ବିତିଯାଇଥିଲା। କିନ୍ତୁ ସେଯାଏ ଭାରତବାସୀଙ୍କ ଆଖି ଓ ଅନ୍ତରରୁ ଲୁହର ଧାର ଶୁଖିନଥିଲା। ସେଦିନ ବି ହଜାର ହଜାର ଲୋକଙ୍କ ଆଖିରୁ ନିଗିଡ଼ି ଆସୁଥିବା ଅଶ୍ରୁଧାରରେ ଭିଜିଥିଲା ଶ୍ରୀକ୍ଷେତ୍ର ମାଟି। ସେଦିନର‌ ସେଇ ଅବିସ୍ମରଣୀୟ ଇତିହାସକୁ ଜନମାନସରେ ସାଇତି ରଖିବା ପାଇଁ ହୋଇଥିଲା ଗାନ୍ଧୀଘାଟର ପରିକଳ୍ପନା।

ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟ୍‌ଜୁ ଚିତାଭସ୍ମ ଆଣିବାର ବନ୍ଦୋବସ୍ତ କରାଇଥିଲେ। ସେତେବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ହରେକୃଷ୍ଣ ମହତାବଙ୍କ ମାନସପଟରେ ଜନ୍ମ ନେଇଥିଲା ଗାନ୍ଧୀଘାଟର ସର୍ଜନା। ସେଥିପାଇଁ ସେ ଘୋଷଣା କଲେ, ଦିଗବାରେଣୀ ଖୁଣ୍ଟିଠାରୁ ରାଜଭବନ ପର୍ଯ୍ୟନ୍ତ ସଂରକ୍ଷିତ ଜାଗା ଗାନ୍ଧୀ ସ୍ମୃତି ପୀଠ ଓ ଉଦ୍ୟାନରେ ପରିଣତ ହେବ। ଏନେଇ ୪ ଏକର ଜାଗା ବି ଚିହ୍ନଟ କରାଗଲା। ‘ଗାନ୍ଧୀ ସ୍ମୃତି ମନ୍ଦିର ଓ ଉଦ୍ୟାନ’ ନାମରେ ଜାଗା ରେକର୍ଡଭୁକ୍ତ କରାଯାଇଥିଲା। ପୁରୀର ତତ୍କାଳୀନ ଚେୟାରମ୍ୟାନ ରାୟବାହାଦୂର ଲୋକନାଥ ମିଶ୍ର ଓ ଭାଇସ୍‌ ଚେୟାରମ୍ୟାନ୍‌ ଗଙ୍ଗାଧର ମହାପାତ୍ରଙ୍କ ଉପସ୍ଥିତିରେ ସେଦିନ ଚିତାଭସ୍ମ ବିସର୍ଜନ କରାଯାଇଥିଲା। ଏବେ ଯେଉଁଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରହିଛି ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଚିତାଭସ୍ମ କଳସ ରଖାଯାଇଥିଲା। ସେଦିନ ସିନା ଜାଗା ସଂରକ୍ଷିତ ରହିଗଲା, କିନ୍ତୁ ବ୍ରଜକିଶୋର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଏଠାରେ ଗାନ୍ଧୀଘାଟର ସ୍ଥାପନା ହୋଇଥିଲା।

ଗାନ୍ଧୀଘାଟକୁ ନେଇ ମହତାବ ଦେଖିଥିବା ସ୍ବପ୍ନ ସାକାର ହେଲା। କିନ୍ତୁ ମହାତ୍ମାଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସଂରକ୍ଷିତ ଜାଗାକୁ ସୁରକ୍ଷା ଦେଇପାରିଲାନି ଜିଲ୍ଲା ପ୍ରଶାସନ। ପରବର୍ତ୍ତୀ ସମୟରେ ଏକ‌ ହୋଟେଲ୍‌ ଓ ନିର୍ମାଣ ଭବନ ପାଇଁ ଜାଗା ଲିଜ୍‌ ଦେବାରୁ ଏହା କ୍ରମଶଃ ହ୍ରାସ ପାଇ ଏବେ ୩ ଏକରରେ ସୀମିତ ରହିଛି। ସର୍ବୋଦୟ ମେଳା କମିଟିର ସମ୍ପାଦକ ଶିବ ପ୍ରସାଦ ମିଶ୍ରଙ୍କ କହିବା ମୁତାବକ, ପ୍ରଥମେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନାଲ୍‌କୋକୁ ଦିଆଯାଇଥିଲା। ନାଲ୍‌କୋ ଏହା ମଧ୍ୟରେ ଉନ୍ନତିମୂଳକ କାମ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲା ପୁରୀ ପୌରପାଳିକା। ପୁନର୍ବାର ଏହାର ପରିଚାଳନା ଦାୟିତ୍ବ ନେଲା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ବିଡିଏ ଏହି ପରିସରରେ ୨ କୋଟି ଟଙ୍କାର ଉନ୍ନତୀକରଣ କାର୍ଯ୍ୟ କରିଥିଲା। କିନ୍ତୁ କେତେ ଟଙ୍କା ପ୍ରକୃତରେ କାମରେ ଲାଗିଲା ତାହା ରହସ୍ୟରେ ରହିଗଲା। ଏପରିକି ଏକ କଲେଜକୁ ଏହି ପରିସରରେ ଶିଶୁ ଉଦ୍ୟାନ ସ୍ଥାପନ ପାଇଁ ଦିଆଯିବାର ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ସର୍ବୋଦୟ ମେଳା କମିଟି ପକ୍ଷରୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା। କିଛି ବର୍ଷ ତଳେ ଏହା ମଧ୍ୟରେ ଡ୍ରେନେଜ ସି‌ଷ୍ଟମକୁ ସମୁଦ୍ର ପର୍ଯ୍ୟନ୍ତ ନେବା ପାଇଁ ମଧ୍ୟ ମସୁଧା ହୋଇଥିଲା। କିନ୍ତୁ ପ୍ରବଳ ବିରୋଧ ହେତୁ ଏଥିରୁ ଜିଲ୍ଲା ପ୍ରଶାସନ ବିରତ ରହିଥିଲା। ସୌଭାଗ୍ୟବଶତଃ ନାଲ୍‌କୋ ପୁଣି ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପରେ ଉଦ୍ୟାନର ବହୁବିଧ ବିକାଶ ହୋଇପାରିଛି। ଅଥଚ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ବ୍ରୋଞ୍ଜ‌ରେ ନିର୍ମିତ ହୋଇଥିଲେ ହେଁ ଗାନ୍ଧୀଜୀଙ୍କ ହାତରେ ଥିବା ବାଡ଼ିଟି ଲୁହାର ହୋଇଥିବାରୁ ଏଥିରେ କଳଙ୍କି ଧରି ଝଡ଼ିପଡ଼ିଲାଣି। ସର୍ବୋଦୟ ମେଳା କମିଟି ପକ୍ଷରୁ ୩୦ ହଜାର ଟଙ୍କା ବ୍ୟୟରେ ସାଉଣ୍ଡ ସିଷ୍ଟମ କରାଯାଇ ରାମଧୁନ୍‌ ଓ ଦେଶାତ୍ମବୋଧକ ଗୀତ ବାଜୁଥିଲେ ହେଁ ତାହା ନଷ୍ଟ ହୋଇଗଲାଣି। ତେଣୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ସହ ଏହି ପରିସରରେ ଗାନ୍ଧୀ ପ୍ରାର୍ଥନା ଗୃହ ଏବଂ ଗାନ୍ଧୀ ପାଠାଗାର ସ୍ଥାପନ ପାଇଁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଗାନ୍ଧୀ ପୀଠ ସଂପ୍ରତି ପୁରୀ ସହରର ଉଦ୍ୟାନ ମଧ୍ୟରେ ସର୍ବାଗ୍ରେ ରହିଥିବା ବେଳେ ପ୍ରାର୍ଥନା ଗୃହ କରାଗଲେ ରାଜଘାଟ ଭଳି ଏଠାରେ ମଧ୍ୟ ପ୍ରତ୍ୟେକଦିନ ପ୍ରାର୍ଥନା ଆୟୋଜନ କରାଯାଇପାରନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର