ସୋସିଆଲ ମିଡିଆରେ ଗାନ୍ଧୀଙ୍କୁ ଅପମାନ : ଯୁବକଙ୍କ ବିରୋଧରେ ଥାନାରେ ଏତଲା

ଚନ୍ଦାହାଣ୍ତି : ସୋସିଆଲ ମିଡିଆରେ ଗାନ୍ଧୀଙ୍କୁ ଅପମାନିତ କଲା ଭଳି ପୋଷ୍ଟ। ଏପରିକି ଚରିତ୍ର ସଂସାର କରି ଅନେକ କଥା ଲେଖାଯାଇଛି। ଉମରକୋଟ ଥାନା ଅଧୀନସ୍ଥ ଗୁଲିପାଟରା ସାହିର ସତ୍ୟବ୍ରତ ସାମଲ ନାମକ ଜଣେ ଯୁବକଙ୍କ ଏଭଳି ଅଶୋଭାନୀୟ ପୋଷ୍ଟକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଆଇନଜୀବୀ କ୍ଷେମରାଜ ବାଘ ଏତଲା ଦେଇଛନ୍ତି। ଅସମ୍ମାନର ସବୁ ସୀମା ଟପି ଯାଇଥିବାରୁ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି।

ସୂଚନା ଅନୁଯାୟୀ, ସତ୍ୟବ୍ରତ ସାମଲ ନାମକ ଫେସ୍‌ବୁକ୍ ୟୁଜର ଆଇଡିରେ ଗାନ୍ଧୀଙ୍କ ସଂପର୍କିତ ଗୋଟିଏ ପୋଷ୍ଟ ଭାଇରାଲ୍‌ ହୋଇଥିଲା। ଏଥିରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏତେମାତ୍ରାରେ କୁତ୍ସରଟନା କରାଯାଇଛି ଯେ, ସଭ୍ୟ ସମାଜ ଦ୍ବାରା ଆଦୌ ଗ୍ରହଣୀୟ ହୋଇ ନାହିଁ। ଦେଶକୁ ସ୍ବାଧୀନ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ଜନନାୟକଙ୍କ ସଂପର୍କରେ ଏଭଳି ଅରୁଚିକର ଲେଖାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭିତ୍ତିହୀନ ଓ କପୋଳକଳ୍ପିତ ତଥା ଗରିମାକୁ କ୍ଷୁଣ୍ଣ କରି ସମାଜରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ୟୁଜର ଆଇଡିରୁ ପୂର୍ବରୁ ବି ଅନେକ ଥର ହିଂସା ସୃଷ୍ଟି କଲା ଭଳି ପୋଷ୍ଟ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ ଲଗାତାର ଭାବେ ବିଭିନ୍ନ ଧର୍ମ ଓ ସଂପ୍ରଦାୟ ବିରୁଦ୍ଧରେ କଟୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଜିଲ୍ଲାରେ ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇବା ଭଳି ପୋଷ୍ଟ ହେଉଥିବା ଜଣାପଡ଼ିଛି। ତେଣୁ ଆଜି ଆଇନଜୀବୀ ତଥା ଦଳିତ ନେତା କ୍ଷେମରାଜ ବାଘଙ୍କ ନେତୃତ୍ବରେ ସ୍ଥାନୀୟ ଲୋକେ ଶୋଭାଯାତ୍ରାରେ ଆସି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ ଏବଂ ସତ୍ୟବ୍ରତ ସାମଲଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର