‘ଗାନ୍ଧୀ କଥା’ ଉଦ୍‌ଯାପିତ : ‘ସ୍ବାଧୀନତା ସଂଗ୍ରାମରେ ଆର୍‌ଏସ୍‌ଏସ୍‌ କେବେ ବି ନଥିଲା’

ଭୁବନେଶ୍ୱର : ସ୍ବାଧୀନତା ମିଳୁ ମିଳୁ କଶ୍ମୀରକୁ ନେଇ ବିବାଦ ଉପୁଜିଥିଲା। କଶ୍ମୀର ସୀମାରେ ଜିନା ସୈନ୍ୟ ଛିଡ଼ା କରିଥିଲେ। ପରିସ୍ଥିତିରେ ସୁଧାର ଆଣିବା ପାଇଁ ଗାନ୍ଧୀ କଶ୍ମୀର ପହଞ୍ଚିଥିଲେ। ରାଜା ହରି ସିଂହ ବନ୍ଦୀ ରଖିଥିବା ଅବଦୁଲ୍ଲାକୁ ମୁକ୍ତ କରି ଶାସନ ଭାର ଦିଅ, ଏହା ପରେ ଯାଇ ଭାରତ ସହାୟତା ଯୋଗାଇବ ବୋଲି ଗାନ୍ଧୀ ଘୋଷଣା କରିଥିଲେ। ଏଥିପାଇଁ କେତେକ ସର୍ତ୍ତକୁ ଆଧାର କରି ସନ୍ଧି ହୋଇଥିଲା। ସେହି ସନ୍ଧିକୁ ସମ୍ବିଧାନରେ ସ୍ଥାନ ଦିଆଗଲା। ତାହା ହେଉଛି ଧାରା ୩୭୦। ଇତିହାସର ଧାରାରେ ଏହା ଆମକୁ ମିଳିଥିଲା, ଯାହାକୁ ଭୂଗୋଳରେ ସ୍ଥାନିତ କରିବାର ଥିଲା। ଏହା କ୍ଷଣସ୍ଥାୟୀ, ସମୟକ୍ରମେ ଏହା ଅକାମୀ ହୋଇଯିବ ବୋଲି ମଧ୍ୟ ଉଲ୍ଲେଖ ଥିଲା। ଏହା ହିଁ ହୋଇ ଆସୁଥିଲା। ଲୋକେ ୩୭୦କୁ ଭୁଲି ଯାଇଥିଲେ। କେଉଁ ସାଧାରଣ ଜାଗାରେ ମଧ୍ୟ ଦୁଇ ପତାକା ଦିଶୁନଥିଲା। ଲୋକେ ତାଙ୍କ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହେଲେ ସେତିକିବେଳେ ୩୭୦ ଯୁଦ୍ଧ ଘୋଷଣା ହୋଇଗଲା। ବନ୍ଧୁକ ମୁନରେ ୩୭୦ର ଅପହରଣ ହେଲା। ସରକାର ଏମିତି ବୁଦ୍ଧି କରି ବସିଲେ, ଯେମିତି ଦେଶ ବିଭାଜନ ବେଳେ ଜିନା କରିଥିଲେ। ଭଗବାନ ନ କରନ୍ତୁ, ଦେଶ ବିଭାଜନ ବେଳେ ହୋଇଥିବା ରକ୍ତପାତ ପୁଣି ହୋଇଯାଉ। ଏଭଳି ଆଶଙ୍କା କରିଛନ୍ତି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀର ଅଧ୍ୟକ୍ଷ ତଥା ଗାନ୍ଧୀବାଦୀ ବିଦ୍ବାନ କୁମାର ପ୍ରଶାନ୍ତ।

ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଜୟଦେବ ଭବନ ପରିସରରେ ଚାଲିଥିବା ୩ ଦିନିଆ କାର୍ଯ୍ୟକ୍ରମ ‘ଗାନ୍ଧୀ କଥା’ର ଉଦ୍‌ଯାପନୀ ଦିବସରେ ସେ ଆହୁରି କହିଥି‌ଲେ, ୧୮୮୦ ମସିହାରେ ଗୋଟିଏ ସଂଗଠନ ଥିଲା ପାଟ୍ରିଓଟିକ୍‌ ଆସୋସିଏସନ୍‌। ହେଲେ ଭିନ୍ନ ଭିନ୍ନ ଲୋକଙ୍କର ସ୍ବାର୍ଥ ସାଧନ ନ ହେବାରୁ କ୍ରମେ ତିନୋଟି ସଂଗଠନ ଗଠନ ହେଲା। ହିନ୍ଦୁ ମହାସଭା, ମୁସ୍‌ଲିମ୍‌ ଲିଗ୍‌ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ୍‌ଏସ୍‌)। ଏହି ସଂଗଠନ ମଧ୍ୟରୁ କେହି ହେଲେ ସ୍ବାଧୀନତା ଆନ୍ଦୋଳନରେ ନଥିଲେ, ଯାହା ଏମାନଙ୍କ ମଧ୍ୟରେ ସାଧାରଣ ଥିଲା। ଆରଏସ୍‌ଏସ୍‌ ସଦସ୍ୟତାର ପ୍ରମାଣ ରଖେ ନାହିଁ। ଏଣୁ ତାଙ୍କ ସହ ସମସ୍ତେ ଥିବା ସେମାନେ ଦାବି କରନ୍ତି, କାଗଜପତ୍ର ନଥିବାରୁ ଆବଶ୍ୟକ ବେ‌ଳେ ପ୍ରମାଣିତ ହୁଏ ନାହିଁ। ଯେମିତି ନାଥୁରାମ ଗଡ଼୍‌ସେ ଆରଏସ୍‌‌ଏସ୍‌ରେ ନଥିଲେ।

ଆରଏସ୍‌ଏସ୍‌ର ଦାମୋଦର ବିନାୟକ ସାବରକର ପୁଣେରେ ଥିବା ବେ‌ଳେ ଜଣେ ଇଂରେଜଙ୍କୁ ହତ୍ୟା କରି ଇଂଲଣ୍ଡ ପଳାଇଥିଲେ। ସେଠାରେ ସେ ଉଧମ ସିଂହଙ୍କୁ ତିଆରି କରିବା ସହ ଯୁବକମାନଙ୍କୁ ତାଙ୍କ ଆଦର୍ଶରେ ଗଢ଼ିବାକୁ ଚାହିଲେ। ସେଠାରେ ଉଧମ ସିଂହ ଜଣେ ଇଂରେଜଙ୍କୁ ହତ୍ୟା କରି ଫାଶୀ ପାଇଲେ। ପୁଣେରେ ସେ କରିଥିବା ହତ୍ୟାକାଣ୍ଡ ମାମଲାରେ ତାଙ୍କୁ ଇଂଲଣ୍ଡରୁ ଗିରଫ କରାଯାଇ କଳାପାଣି ପାର କରାଗଲା। ଜେଲ୍‌ରେ ଥାଇ ଇଂରେଜ ସରକାରଙ୍କୁ ଚିଠି ଲେଖିଲେ କି ମୁଁ ଇଂରେଜଙ୍କ ଲୋକ, ସାମ୍ରାଜ୍ୟବାଦ ବିରୋଧରେ ଆଉ ଲଢ଼ିବିନି, ମୋତେ ମୁକ୍ତ କରାଯାଉ। ଚିଠି ପାଇବା ପରେ ତାଙ୍କୁ ମୁକ୍ତ କରାଯାଇ ରତ୍ନଗିରି ଜେଲ୍‌ରେ ଲାଇବ୍ରେରୀ ଦାୟିତ୍ବ ସହ କଏଦୀଙ୍କୁ ପ୍ରଶିକ୍ଷଣ ଦାୟିତ୍ବ ଦିଆଗଲା। ସେଠାରେ ସେ କଏଦୀମାନଙ୍କୁ ତିନୋଟି ଶିକ୍ଷା ଦେଲେ, ହିନ୍ଦୁଧର୍ମ ପ୍ରଚାର, ମୁସଲମାନଙ୍କୁ ବିରୋଧ ଓ ଗାନ୍ଧୀଙ୍କ ପ୍ରଭାବରୁ ଭାରତକୁ ମୁକ୍ତ କରିବା। ଆଉ ଜଣେ ହେଲେ ବାଲା ସାହେବ୍‌ ଦେଓରସ୍‌। ୧୯୭୫ ଜରୁରୀକାଳୀନ ପରିସ୍ଥିତିରେ ସେ ଗିରଫ ହେଲେ। ଜେଲ୍‌ରୁ ଇନ୍ଦିରା ଗାନ୍ଧୀଙ୍କୁ ସେ ବି ଚିଠି ଲେଖିଲେ ଯେ ଆମେ ଜୟପ୍ରକାଶ ନାରାୟଣ ସହ ନଥିଲୁ। ଆମେ ସରକାରର ୧୫ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ କାମ କରୁଥିଲୁ। ଆମେ ଜେଲ୍‌ରୁ ମୁକୁଳିଲେ ସରକାରକୁ ସମର୍ଥନ କରିବୁ। ସେହି ଚିଠି ବଳରେ ସେ ମଧ୍ୟ ମୁକୁଳିଥିଲେ। ଏମାନେ ହେଉଛନ୍ତି ସେହି ଆର୍‌ଏସ୍‌ଏସ୍‌ ସଂଗଠନର, ଯେଉଁମାନେ କେବେ ବି ସ୍ବାଧୀନତା ସଂଗ୍ରାମରେ ନଥିଲେ, କେବଳ ଗାନ୍ଧୀବାଦକୁ ବିରୋଧ କରୁଥିଲେ। ସ୍ବାଧୀନତା ପରେ ଉର୍ସ ମେଳାରେ ମୁସଲମାନଙ୍କୁ ହତ୍ୟା କରିବା ପାଇଁ ଏମାନେ ହିଁ ଚେତାବନୀ ଦେଇଥିଲେ, ଯାହାକୁ ନେଇ ଗାନ୍ଧୀ ଆମରଣ ଅନଶନ ଡାକରା ଦେଇ ଶାନ୍ତି ପ୍ରତିଷ୍ଠା କରିଥିଲେ। ଗାନ୍ଧୀ ହେଉଛନ୍ତି ଏକମାତ୍ର ନେତା ଯିଏ ଧର୍ମ ପରିବର୍ତ୍ତନ ନୁହେଁ, ଧର୍ମରେ ପରିବର୍ତ୍ତନ ଜରୁରୀ ବୋଲି କହିଥିଲେ।

ସମ୍ବନ୍ଧିତ ଖବର