ସ୍ୱାଧୀନତାର ଅମୃତ ମହୋତ୍ସବ ‘ଗାନ୍ଧୀକଥା’ର ଉଦ୍‌ଯାପନୀ ଉତ୍ସବ: ମହାତ୍ମାଙ୍କ ଗ୍ରାମ୍ୟ ସ୍ୱରାଜ ପରିକଳ୍ପନା ସ୍ୱପ୍ନରେ ରହିଯାଇଛି

‘ଗଣତନ୍ତ୍ରର ସୁରକ୍ଷା ପାଇଁ ନ୍ୟାୟପାଳିକା ନେତୃତ୍ୱ ନେଉ’

ଯାଜପୁର/ଚଣ୍ଡିଖୋଲ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶମାନଙ୍କ କବଳରୁ ଦେଶ ସ୍ୱାଧୀନତା ହାସଲ କଲା। ମାତ୍ର ୧୯୪୮ ମସିହାରେ ଗାନ୍ଧୀଜୀଙ୍କ ହତ୍ୟା ଫଳରେ ଦେଶର ବିକାଶ ଏବଂ ତାଙ୍କ ସ୍ୱପ୍ନର ଗ୍ରାମ୍ୟ ସ୍ୱରାଜ ବ୍ୟବସ୍ଥା ଫଳବତୀ ହୋଇପାରିଲା ନାହିଁ। ଗାନ୍ଧୀଜୀଙ୍କ ପରିକଳ୍ପିତ ଗ୍ରାମ୍ୟ ଭିତ୍ତିକ ବିକାଶ ଓ ଶାସନ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇପାରିଲାନାହିଁ । ଆଜି ‘ଗାନ୍ଧୀକଥା’ର ଉଦ୍‌ଯାପନୀ ଉତ୍ସବରେ ଯୋଗ‌ଦେଇ ଏହା କହିଛନ୍ତି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀବାଦୀ ପ୍ରବକ୍ତା, ସ୍ତମ୍ଭକାର କୁମାର ପ୍ରଶାନ୍ତ ।

ମଙ୍ଗଳବାର ଦିନ କୁମାର ପ୍ରଶାନ୍ତ ଯାଜପୁର ଜିଲ୍ଲା ଗସ୍ତକରି ବଡ଼ଚଣାର ଚଣ୍ଡିଖୋଲ ଓ ବାଲିପଡ଼ିଆଠାରେ ଦୁଇଟି ଭିନ୍ନଭିନ୍ନ ଉତ୍ସବରେ ଯୋଗ ଦେଇଥିଲେ। ସେ କହିଥିଲେ, ଗାନ୍ଧୀଜୀଙ୍କ ଗ୍ରାମାଭିମୁଖୀ ଯୋଜନା ଓ ପରିକଳ୍ପନାକୁ ସ୍ୱାଧୀନ ଭାରତ ଶାସନ ବ୍ୟବସ୍ଥାରେ ସମାଧି ଦିଆଯାଇଛି। ଗତ ୭୨ ବର୍ଷ ସ୍ୱାଧୀନତାର ଶାସନ ବ୍ୟବସ୍ଥାରେ କୌଣସି ଦଳ ବା ସରକାର ଗ୍ରାମ୍ୟ ବିକାଶକୁ ଗୁରୁତ୍ୱ ଦେଇନାହାନ୍ତି। ଏବେ ସୁଦ୍ଧା ୧୩ ହଜାର ଗ୍ରାମକୁ ବିଜୁଳି ଯାଇନାହି। ୭୦ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବାବେଳେ ମାତ୍ର ୨୦ ଭାଗ ଅନୁଦାନ ବ୍ୟୟ କରାଯାଉଛି। କିନ୍ତୁ ଗାନ୍ଧୀଜୀ ଗ୍ରାମ୍ୟ ବିକାଶ ଉପରେ ବିଶେଷ ଭାବେ ପ୍ରାଧାନ୍ୟ ଦେଉଥିଲେ। ଲୋକମାନଙ୍କର ଭୋଟ୍‌ ଆଉ ନୋଟ୍‌ (ଟିକସ)ରେ କ୍ଷମତାଶାଳୀ ନେତୃମଣ୍ଡଳୀ ଅହଙ୍କାରୀ ହୋଇପଡ଼ିଛନ୍ତି। କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ତଥାକଥିତ ନେତାମାନେ ଯୁବସମାଜକୁ ବିଭ୍ରାନ୍ତ କରିବାକୁ ପଛାଉ ନାହାନ୍ତି। ଗାନ୍ଧୀଜୀ ନିଶା ନିବାରଣକୁ ପ୍ରାଧାନ୍ୟ ଦେଉଥିବାବେଳେ ବର୍ତ୍ତମାନର ନେତାମାନେ ତାହାର ପ୍ରସାର କରିଚାଲିଛନ୍ତି। ବିଦେଶୀ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ଆମ ଦେଶର ୧୪ କୋଟି ବେକାର ଯୁବକ ଏବେ ଅଧିକ ଚିନ୍ତାର କାରଣ ହୋଇଛନ୍ତି ବୋଲି ସେ କହିଥିଲେ।

ସେହିପରି, ଆଜି ପୂର୍ବାହ୍ଣରେ ଚଣ୍ଡିଖୋଲ କୋର୍ଟର ୧୫ ତମ ପ୍ରତିଷ୍ଠା ଉତ୍ସବର ଦ୍ବିତୀୟ ଦିବସରେ କୁମାର ପ୍ରଶାନ୍ତ ଯୋଗଦେଇ ବାରିଷ୍ଟର ଗାନ୍ଧୀଜୀଙ୍କ ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ବାରିଷ୍ଟର ଗାନ୍ଧୀଜୀ ନ୍ୟାୟ ଅପେକ୍ଷା ନୈତିକତା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ସତ୍ୟକୁ ସେ ଅସ୍ତ୍ର କରିଥିଲେ। ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ତୃତୀୟ ସ୍ତମ୍ଭ ନ୍ୟାୟପାଳିକା ଆଜିର ପରିପ୍ରେକ୍ଷୀରେ ନେତୃତ୍ବ ନେବା ଜରୁରୀ ହୋଇପଡ଼ିଛି ବୋଲି କୁମାର ପ୍ରଶାନ୍ତ କହିଥିଲେ। ଏଥିସହିତ, ଆଇନର ରକ୍ଷକମାନେ ନ୍ୟାୟ ପ୍ରଦାନରେ ନିଜର ବିବେକକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ବିଚାରପତି ମନୋରଂଜନ ମହାନ୍ତି ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନ ଓ ମାର୍ଗ ଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କ୍ରିଷ୍ଣା ମହାନ୍ତି ଯୋଗଦେଇ ଗାନ୍ଧୀଙ୍କ ନୀତିଆଦର୍ଶ ଉପରେ ଆଲୋକପାତ କରିଥିଲେ। ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ଉତ୍ସବରେ କୋର୍ଟ ବାର ଆସୋସିଏସନର ସଭାପତି ଦେବରାଜ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରକାଶ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲେ।

ସେହିପରି ବାଲିପଡ଼ିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନୀଳମଣି ସାମଲ। ସମ୍ମାନିତ ଅତିଥି ଭାବେ ଜଷ୍ଟିସ ମନୋରଞ୍ଜନ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସଭାପତି ବିମ୍ବାଧର ମୁଦୁଲି, ଡ. ବିଶ୍ୱଜିତ ଓ କ୍ରିଷ୍ଣା ମହାନ୍ତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ବଳ, ଡ. ଭାଗ୍ୟଧର ସାହୁ, ସାମ୍ବାଦିକ ମହେଶ୍ୱର ବଳ, ମନୋରମା ଆଚାର୍ଯ୍ୟ, ବିଧାନ ଚନ୍ଦ୍ର ସାମଲ, କିଶୋର ବେହୁରା ଓ ପ୍ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି କୁମାର ପ୍ରଶାନ୍ତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖଦି ସୂତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର