ବଢ଼ିବ ଏନ୍‌ଏସ୍‌ଏସ୍‌ର କଳେବର, ୨୦ ହଜାର ସ୍ବେଚ୍ଛାସେବୀ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ

ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ପୋତ୍ସାହନ, ଏନ୍‌ଏସ୍‌ଏସ୍‌ ଶିବିରରେ ଗାନ୍ଧୀ କଥା ଆଲୋଚନା

ଭୁବନେଶ୍ୱର: ଏବେ ରାଜ୍ୟରେ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ରେ ୧ ଲକ୍ଷ ୧୫ ହଜାର ୫୦୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ଚଳିତ ବର୍ଷ ଆଉ ୧୯ ହଜାର ୫୦୦ ଅଧିକ ସ୍ବେଚ୍ଛାସେବୀ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏନ୍‌ଏସ୍‌ଏସ୍‌ ଦାୟିତ୍ୱରେ ଥିବା ନୂତନ ପ୍ରୋଗ୍ରାମ୍ ଅଫିସରଙ୍କ ପାଇଁ ନଭେମ୍ବର ୧୫ରୁ ଆରମ୍ଭ କରାଯିବ। ଏଥିସହ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଏନ୍‌ଏସ୍‌ଏସ୍‌ ବ୍ୟୁରୋଗୁଡ଼ିକରେ ଖାଲିଥିବା ପ୍ରୋଗ୍ରାମ୍‌ ସଂଯୋଜକ ନିୟୋଜିତ ପାଇଁ ଆଜି ବସିଥିବା ରାଜ୍ୟ ଉପଦେଷ୍ଟାମଣ୍ଡଳୀ ବୈଠକରେ ସ୍ଥିର ହୋଇଛି।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ମହାବିଦ୍ୟାଳୟଗୁଡ଼ିକରେ ଗୋଷ୍ଠୀସେବା, ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଜଳ ସଂରକ୍ଷଣ, ସ୍ୱଚ୍ଛ ଭାରତ, ଜରୁରୀ ଆପାଦକାଳୀନ ପରିଚାଳନା ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସରଙ୍କ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନେବେ। ଏଥିସହ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାମାଜିକ ବାର୍ତ୍ତା ବହନ କରୁଥିବା ବୃତ୍ତଚିତ୍ର ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଦର୍ଶନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଆଶୁ ଚିକିତ୍ସା ଶିବିର ପରିଚାଳନା ନିମନ୍ତେ ନେତୃତ୍ୱ ସୃଷ୍ଟି ଦିଗରେ ଯୁବ ରେଡ୍‌କ୍ରସ, ଓସ୍‌ଡମା ଓ ସେଣ୍ଟଜନ୍‌ ଆମ୍ବୁଲାନ୍ସ ସହାୟତାରେ ଅଧିକ ପ୍ରଶିକ୍ଷଣ ଶିବିର ଆୟୋଜନ, ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଏନ୍‌ଏସ୍‌ଏସ୍‌ରେ ଅନ୍ତର୍ଜାତୀୟ, ଜାତୀୟ ଓ ଅନ୍ୟ ସେବା ଶିବିର ଆଦିରେ ଯୋଗ ଦେଇଥିବା ସ୍ବେଚ୍ଛାସେବୀଙ୍କୁ ପ୍ରୋତ୍ସାହନ ନମ୍ବର ଦେବା, ଗଣତନ୍ତ୍ର ଦିବସ ପୂର୍ବ ଶିବିର ଓ ଗଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଉଥିବା ସ୍ବେଚ୍ଛାସେବୀଙ୍କ ନିମନ୍ତେ ସ୍ୱତନ୍ତ୍ର ପରୀକ୍ଷାର ବ୍ୟବସ୍ଥା, ସମସ୍ତ ମହାବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍ସିଂ ମାଧ୍ୟମରେ ଜାତୀୟ ସେବା ଯୋଜନା ଖୋ‌ଲିବା, ଏନ୍‌ଏସ୍‌ଏସ୍‌ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଏନ୍‌ଏସ୍‌ଏସ୍‌କୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ। ଚଳିତବର୍ଷ ଏନ୍‌ଏସ୍‌ଏସ୍‌ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପ୍ରତ୍ୟେକ ଏନ୍‌ଏସ୍‌ଏସ୍‌ ଶିବିରରେ ଗାନ୍ଧୀ କଥା ଆଲୋଚନା ହେବ। ଏହାଦ୍ୱାରା ଛାତ୍ରଛାତ୍ରୀ ଗାନ୍ଧୀଜୀଙ୍କ ବିଚାରଧାରାରେ ପ୍ରଭାବିତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। ବିଶିଷ୍ଟ ଗାନ୍ଧୀବାଦୀ ନେତା ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ସମାଜ ରିଲିଫ୍‌ ପାଣ୍ଠିର ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ, ମଧୁସୂଦନ ଦାସ, ଓୟୁଏଟିର ପ୍ରଫେସର ବିକାଶ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର, କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌, ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ସଂଯୋଜକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର