ନନ୍ଦିଘୋଷ ପକ୍ଷରୁ ୩ଦିନିଆ ଗାନ୍ଧୀ ସ୍ମାରକୀ ମହୋତ୍ସବ ଉଦ୍‌ଘାଟିତ : ଆଜିର ଦିନରେ ଗାନ୍ଧୀନୀତି ଅଧିକ ପ୍ରାସଙ୍ଗିକ – ସଂସ୍କୃତି ମନ୍ତ୍ରୀ

ବୋଲଗଡ଼ : ଆଜିର ଦିନରେ ଗାନ୍ଧୀନୀତି ଅଧିକ ପ୍ରାସଙ୍ଗିକ। ମହାତ୍ମାଗାନ୍ଧୀଙ୍କ ସତ୍ୟ,ଅହିଂସା ଓ ଆତ୍ମ ନିର୍ଭଶୀଳତା ଏବେ ଅଧିକ ଗୁରୁତ୍ବ ବହନ କରୁଛି। ନିଜକୁ ପରିବର୍ତ୍ତନ କରି ଗାନ୍ଧିଜୀଙ୍କ ତ୍ୟାଗ ମନୋବୃତ୍ତିକୁ ଆପଣେଇ ପାରିଲେ ଜଣେ ଭଲ ମଣିଷ ହୋଇପାରିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ବୋଲଗଡ଼ର ନନ୍ଦିଘୋଷ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ତିନି ଦିନିଆ ଗାନ୍ଧୀ ସ୍ମାରକୀ ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି। ନନ୍ଦିଘୋଷର ସଭାପତି , ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ାର ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ପାଣୀଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ ତାଙ୍କ ଜେଜେ ବାପା ତଥା ସ୍ବାଧୀନତା ସଂଗ୍ରାମୀ କରୁଣାକର ପାଣିଗ୍ରାହୀ ବାଲେଶ୍ବରରୁ ଆସି ଗାନ୍ଧିଜୀଙ୍କ ଏହି ବୋଲଗଡ଼ ଆଗମନ ସମୟରେ ତାଙ୍କ ସହିତ ମିଶିବାର ସୁଯୋଗ ପାଇଥିବାରୁ ସେ ବୋଲଗଡ଼ବାସୀଙ୍କ ନିକଟରେ କୃତଜ୍ଞ।

ସୂଚନାଯୋଗ୍ୟ ଯେ, ଆଜକୁ ୯୨ବର୍ଷ ତଳେ ୧୯୨୭ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀ ଖଦୀ ସଙ୍ଗଠନ କରିବାପାଇଁ ଓଡିଶାକୁ ତୃତୀୟ ଥରପାଇଁ ଆସିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମାସ୍ଥ ପୂର୍ତ୍ତ ବିଭାଗର ଡାକବଙ୍ଗଳ ଠାରେ ୩ଦିନ ରହିଥିଲେ। ଡିସେମ୍ବର ମାସ ୯ ,୧୦ ଓ ୧୧ତାରିଖ ୩ଦିନ ଧରି ଅବସ୍ଥାନ କରିଥିବାରୁ ଏହାକୁ ମନେ ପକାଇବାପାଇଁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ଥାନୀୟ ‘ନନ୍ଦିଘୋଷ’ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ସ୍ମୃତି ମହୋତ୍ସବ ଆୟୋଜନ କରାଯାଇଛି। ନନ୍ଦିଘୋଷ ଭବନରେ ଆୟୋଜିତ ଏହି ମହୋତ୍ସବକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରାଯାଇଛି।

ନନ୍ଦିଘୋଷର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଦାସ ବେନହୁର ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ୮ଥର ଓଡିଶା ଆଗମନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୋଲଗଡ଼ରେ ତାଙ୍କର ୩ ଦିନ ରହଣୀ ସମୟରେ କିଭଳି ଜଣେ ଅନୁସୂଚିତ ବର୍ଗର ଗରିବ କାଠ କଟାଳି କୁଟା କାମୁଡ଼ି ସାଷ୍ଟାଙ୍ଗ ପ୍ରଣିପାତ ହେବାରୁ ମହାତ୍ମା ଗାନ୍ଧୀ ଏହାକୁ ବାରଣ କରିବା ସହିତ ଗୋମାଂସ ନଖାଇବା ଓ ନିଶା ସେବନ ପରିହାର କରିବା ସମ୍ପର୍କରେ ଉପଦେଶ ଦେଇଥିଲେ ସେ ବିଷୟରେ ମୁଖ୍ୟବକ୍ତା ଦାସ ବେନହୁର ସୂଚନା ଦେଇଥିଲେ। ଆଜିର ସମାଜରେ ଗାନ୍ଧିଜୀଙ୍କର ଆତ୍ମନିର୍ଭରଶୀଳତା ଓ ସତ୍ୟର ପ୍ରୟୋଗ କରି ସାଧାରଣ ଜୀବନରେ ଏହାକୁ ଉପଯୋଗ କରିବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ବିଧାୟକ ତଥା ନନ୍ଦିଘୋଷର ଉପସଭାପତି ପ୍ରଶାନ୍ତ କୁମାର ଜଗଦ୍ଦେବ ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଜୁର୍ନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସଭାପତି ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନନ୍ଦିଘୋଷ ପରିବାର ଓ ବୋଲଗଡ଼ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପରୀପ୍ରେକ୍ଷୀରେ ହାଇସ୍କୁଲ୍‌ ଓ କଲେଜସ୍ତରର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରେ ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ା ସ୍ବାଗତ ଭାଷଣ ଦେଇଥିବାବେଳେ ବାସୁଦେବ ପଟ୍ଟନାୟକ ମ‌ଞ୍ଚ ପରିଚାଳନା କରିଥିଲେ। ଶେଷରେ ନନ୍ଦିଘୋଷର ସମ୍ପାଦକ ଗୁଣନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ପ୍ରଥମ ଦିବସରେ ସକାଳେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ରାମଧୁନ କରାଯାଇ ବଜାର ପରିକ୍ରମା କରାଯାଇଥିଲା। ଏହାପରେ ବୋଲଗଡ଼ ବାମନ ଉଚ୍ଚବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ। ସନ୍ଧ୍ୟାରେ ‘ସୃଷ୍ଟି’ ନାଟ୍ୟାନୁଷ୍ଠାନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ବିଚାରଧାରା ଉପରେ ନାଟକ ‘ଲଜ୍ଜା’ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର