ବୋଲଗଡ଼: ବୋଲଗଡ଼ରେ ମହାତ୍ମା ଗାନ୍ଧୀଙ୍କ ୩ଦିନ ରହଣି ବୋଲଗଡ଼ ମାଟିକୁ ଧନ୍ୟ କରିଛି । ଏହି ମାଟିରୁ ସେ ଯେଉଁ ‘ କୁଟି ଖାଅ ଓ କାଟି ପିନ୍ଧ’ ଆହ୍ବାନ ଦେଇଥିଲେ ତାହା ସାରା ଭାରତରେ ଗୁଞ୍ଜରିତ ହୋଇଥିଲା। ତାଙ୍କତ ନୀତି ଆଦର୍ଶ ଶହ ଶହ ବର୍ଷପାଇଁ ସାରା ପୃଥିବୀରେ ଜନମାନସକୁ ପ୍ରେରଣା ଯୋଗାଇ ଆସୁଥିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ବୋଲଗଡ଼ରେ ୯୨ବର୍ଷ ତଳେ ୩ଦିନ ଧରି ରହଣିର ସ୍ମୃତିରେ ଚାଲିଥିବା ‘ଗାନ୍ଧୀ ସ୍ମାରକୀ ମହୋତ୍ସବ’ର ଦ୍ବିତୀୟ ଦିବସରେ ‘ଗାନ୍ଧୀଙ୍କ ଦୃଷ୍ଟିରେ ମହିଳା ସଶକ୍ତୀକରଣ’ ବିଷୟ ଉପରେ ଆଲୋଚନା ହୋଇଥିଲା। ‘ନନ୍ଦିଘୋଷ’ର ସଭାପତି, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବାଚସ୍ପତି ଶ୍ରୀ ପାତ୍ର ଆହୁରି କହିଥିଲେ ଯେ ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ନିଶା ନିବାରଣକୁ ସମସ୍ତ ସ୍କୁଲ, କଲେଜ ଛାତ୍ର ଛାତ୍ରୀମାନେ ପାଳନ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଓଡ଼ିଶା ମଦମୁକ୍ତି ଆନ୍ଦୋଳନର ନାରୀନେତ୍ରୀ ଅପର୍ଣ୍ଣା ନାୟକ ବକ୍ତା ଭାବେ ଯୋଗ ଦେଇ ନିଜ ବ୍ୟକ୍ତିଗତ ଅନୁଭବ ମହିଳାମାନଙ୍କ ସହିତ ବାଣ୍ଟିଥିଲେ। ଶ୍ରୀମତୀ ନାୟକ ତାଙ୍କ ଜୀବନରେ ୧୫ବର୍ଷ ତଳେ ପ୍ରଥମେ ତାଙ୍କର ପରିବାରର ମୁଖ୍ୟଙ୍କୁ ମଦ ନିଶା ଛଡ଼ାଇବା ପାଇଁ କିଭଳି ସଂଗ୍ରାମ କରି ସଫଳ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ସାରା ଓଡ଼ିଶାରେ ନିଶାମୁକ୍ତି ଆନ୍ଦୋଳନ ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରାଉଛନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ଗାନ୍ଧୀବାଦୀ ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ସିଂହ ନିଶାମୁକ୍ତି ଆନ୍ଦୋଳନ ଓ ରାଜ୍ୟ ସରକାର ରାଜସ୍ବ ଆଦାୟ ନାମରେ କିପରି ମଦର ପ୍ରସାର କରୁଛନ୍ତି, ତା ଉପରେ ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସମାଜରେ ନାରୀମାନଙ୍କ ପ୍ରତି ଯେଉଁ ଅତ୍ୟାଚାର, ଦୁଷ୍କର୍ମ, ଘରୋଇ ହିଂସା ଘଟୁଛି ସେଥି ମଧ୍ୟରୁ ଶତକଡ଼ା ୮୨ଭାଗ ନିଶାଖୋରମାନଙ୍କ ପାଇଁ ହେଉଛି ବୋଲି ସରକାରୀ ତଥ୍ୟ ଉପସ୍ଥାପନା କରିଥିଲେ। ଗତ ୧୨ବର୍ଷ ମଧ୍ୟରେ ଓଡ଼ିଶାରେ ଗାଡ଼ିମୋଟର ଜନିତ ଦୁର୍ଘଟଣା ଘଟି ଯେଉଁ ୫୪ହଜାର ଲୋକ ମରିଛନ୍ତି ସେଥିମଧ୍ୟରୁ ୬୦ଭାଗ ଦୁର୍ଘଟଣା ମଦ୍ୟପାନ ଯୋଗୁଁ ଘଟିଛି ବୋଲି ସୂଚନା ଦେଇଥିଲେ। ଓଡ଼ିଶାରେ ୧୯୯୪-୯୫ ମସିହାରେ ଅବକାରୀ ରାଜସ୍ବ ବାବଦକୁ ବାର୍ଷିକ ୭୦ କୋଟି ଟଙ୍କା ଆଦାୟ ହେଉଥିବାବେଳେ ୨୦୧୮-୧୯ ମସିହାରେ ଏହା ୩ହଜାର ୯୨୫କୋଟି ଛୁଇଁଛି। ଏପରିକି ରାଜ୍ୟରେ ଯେତିକି ସରକାରୀ ମଦ ଦୋକାନରେ ମଦ ବିକ୍ରି ହେଉଛି ତାର ୧୦ଗୁଣ ଚୋରାରେ ବିକ୍ରି ହେଉଥିବାରୁ ଶ୍ରୀ ସିଂହ ଏଥିରେ ଉଦ୍ବେଗ ପ୍ରକାଶ କରିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବୋଲଗଡ଼ ବେଗୁନିଆର ବୀର ମାଟିରେ ମଦ, ଆଳସ୍ୟ ଓ ଜଡ଼ତାକୁ ପରିହାର କରି ଏହାକୁ ଏକ ଆଦର୍ଶ ନିର୍ବାଚନ ମଣ୍ତଳୀରେ ପରିଣତ କରିବାପାଇଁ ଯୁବ ସମାଜକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ବୋଲଗଡ଼ ବିଡିଓ ଏଲିଜା ମିଶ୍ର ଯୋଗ ଦେଇଥିଲେ। ନନ୍ଦିଘୋଷର ଉପସଭାପତି ହରିବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବୀନ୍ଦ୍ର କୁମାର ପରିଡ଼ା, ବାସୁଦେବ ପଟ୍ଟନାୟକ, ସଞ୍ଜୟ ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବାଚସ୍ପତିଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ନନ୍ଦିଘୋଷର ସଭାପତି ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ନନ୍ଦିଘୋଷର ଅନ୍ୟତମ ସଦସ୍ୟ ସନାତନ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ଦିବସର ସକାଳ ୯ଟାରେ ବ୍ଲକ୍ ମିସନ ଶକ୍ତିର ସଭାନେତ୍ରୀ ଶୈଳବାଳା ବାହିନୀପତିଙ୍କ ନେତୃତ୍ବରେ ଶତାଧିକ ମହିଳା ବୋଲଗଡ଼ର ଆରାଧ୍ୟ ତୃତୀୟା ଦେବ(ଜଗନ୍ନାଥ)ଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଏକ ଶୋଭାଯାତ୍ରାରେ ନାରୀ ନିର୍ଯାତନା ବିରୋଧୀ, ନିଶା ନିବାରଣ, ଯୈାତୁକ ବିରୋଧୀ, ସୁସ୍ଥ ସମାଜ ଗଠନ ଏବଂ ସ୍ବଚ୍ଛତା ରକ୍ଷା କରିବା ସ୍ଳୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ।
ମହିଳାମାନେ ପ୍ରଥମେ ନିଜ ପରିବାରରେ ମଦ ଛଡ଼ାନ୍ତୁ: ସୌମ୍ୟରଞ୍ଜନ
‘ଗାନ୍ଧୀଙ୍କ ଦୃଷ୍ଟିରେ ମହିଳା ସଶକ୍ତୀକରଣ’ ଶୀର୍ଷକ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗାନ୍ଧୀ ବିଚାରଧାରା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଗାନ୍ଧୀଙ୍କ ଉଚ୍ଚାରଣ ଓ ଆଚରଣ କିପରି ଗୋଟିଏ ଥିଲା ତାର ଉଦାହରଣ ଦେବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଜଣେ ମହିଳା ନିଜ ପୁଅ ମିଠା ପ୍ରତି ଥିବା ଅତ୍ୟଧିକ ଆସକ୍ତି କିପରି ତ୍ୟାଗ କରିବ ସେ ସମ୍ପର୍କରେ ଗାନ୍ଧୀଙ୍କ ପରାମର୍ଶ ନେବାକୁ ଯାଇଥିବା ବେଳେ ଗାନ୍ଧୀ ନିଜେ ସାତ ଦିନ ମିଠା ପରିତ୍ୟାଗ କଲା ପରେ ମହିଳାଙ୍କ ପୁଅଙ୍କୁ ପରାମର୍ଶ ଦେଇଥିଲେ। ଏହା ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ଏକ ନମୁନା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଶତାଧିକ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ପ୍ରଥମେ ମହିଳାମାନେ ତାଙ୍କ ପୁଅ, ସ୍ବାମୀ,ଦିଅର, ଶ୍ବଶୁର ପ୍ରମୁଖ ପରିବାର ସଦସ୍ୟଙ୍କ ମଦ ଅଭ୍ୟାସ ଛଡ଼ାଇବା ପାଇଁ ଉଦ୍ୟମ କରି ସଫଳ ହେଲେ ତାହା ହିଁ ଗାନ୍ଧୀଙ୍କ ନିଶା ନିବାରଣର ପ୍ରକୃତ ବିଚାରଧାରାକୁ ଚରିତାର୍ଥ କରିବ । ସେହିପରି ପ୍ରତ୍ୟେକ ସ୍କୁଲ କଲେଜ ଛାତ୍ରୀ ରାକ୍ଷୀ ବାନ୍ଧିବା ଅବସରରେ ଭାଇମାନଙ୍କୁ ପ୍ରବର୍ତ୍ତାଇ ମଦ ପରିତ୍ୟାଗ କରାଇ ପାରିଲେ ଏହା ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଉପହାର ହେବ ବୋଲି ଉପସ୍ଥିତ ଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/f56h4d56h4sf8h4s8h4sf56h4sf56h4sf56hhhhhhhhhhhhhhhhhhh.jpg)