ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ

ଭୁବନେଶ୍ୱର: ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟର ସବୁ ବ୍ଲକ୍‌ରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ସମ୍ବଳିତ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଆୟୋଜନ, ଗାନ୍ଧୀଜୀଙ୍କ ବିଭିନ୍ନ ରଚନାବଳୀର ଓଡ଼ିଆ ଅନୁବାଦ, ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଜୀଙ୍କ ଜୀବନକଥା ପୁସ୍ତକ ବଣ୍ଟନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ପ୍ରସ୍ତାବ ଦେଇଥିବାରୁ ଏହି ପ୍ରତିନିଧି ଦଳ ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଗାନ୍ଧୀଜୀଙ୍କ ଜୀବନ କଥାର ଓଡ଼ିଆ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଗାନ୍ଧୀ ପ୍ରତିଷ୍ଠାନର ସଦସ୍ୟ ବିରୁପାକ୍ଷ ତ୍ରିପାଠୀ ଓ ମିହିର ପ୍ରତାପ ଦାସ ମୁଖ୍ୟମନ୍ତ୍ରୀଙ୍କୁ ‘ବଡ଼ଚଣା ସ୍ୱାଧୀନତା ସଂଗ୍ରାମୀ’ ନାମକ ଏକ ପୁସ୍ତକ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି, ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି ଓ ବିଶ୍ୱଜିତ ରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର