ଖୋଲିଲା ଗାନ୍ଧୀ ଶାନ୍ତି କେନ୍ଦ୍ର, ସମ୍ବିଧାନ ପ୍ରସ୍ତାବନାରେ ଅହିଂସାକୁ ସାମିଲ କରିବା ମହାତ୍ମାଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ

ଭୁବନେଶ୍ବର : ଭାରତ ସ୍ବାଧୀନତା ଲାଭ କରିବା ସମୟରେ ‘ଅହିଂସା’ ସମଗ୍ର ବିଶ୍ବରେ କେବଳ ଭାରତୀୟତାର ଏକ ପରିଚୟ ପାଲଟିନଥିଲା ବରଂ ଏହା ହିଂସାଠାରୁ ବଳି ଶକ୍ତିଶାଳୀ ଅସ୍ତ୍ର ବୋଲି ପ୍ରମାଣିତ ହୋଇଥିଲା। ତେଣୁ ସମ୍ବିଧାନର ପ୍ରସ୍ତାବନାରେ ଅହିଂସାକୁ ସାମିଲ କରିବା ଭାରତ ଭଳି ଏକ କୃତଜ୍ଞ ଜାତିର ମହାତ୍ମାଙ୍କ ୧୫୦ତମ ଜନ୍ମ ଦିବସରେ ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦ୍‌ଘାଟନ କରି ସେ କହିଲେ, ଅହିଂସା ହିଁ ସାମୂହିକ ଜୀବନରେ ଶାନ୍ତିପୂର୍ଣ୍ଣ ସମାଧାନର ମାର୍ଗ ପ୍ରଶସ୍ତ କରେ। ଗାନ୍ଧୀ ଶାନ୍ତି କେନ୍ଦ୍ରର ଐତିହାସିକ ଗୁରୁତ୍ବ ରହିଛି। ଏହା ଗାନ୍ଧୀଜୀଙ୍କ ଜୀବନାଦର୍ଶ ଓ କାର୍ଯ୍ୟ ବାବଦରେ ସଚେତନ କରିବା ସହ ଗାନ୍ଧୀଙ୍କ ଆଦର୍ଶର ଗୁଢ଼ ମହତ୍ତ୍ବକୁ ଉପଲବ୍ଧି କରାଇବ‌ାରେ ସୁଯୋଗ ସୃଷ୍ଟି କରିବ।

ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗରେ ୨୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି କେନ୍ଦ୍ର ଏକ ମନୋରମ ପରିବେଶ ମଧ୍ୟରେ ସ୍ଥାପନ ହୋଇଛି। ଆଜି ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଥିବା ବେଳେ ଖଣ୍ଡଗିରି ନିକଟସ୍ଥ ବ୍ୟାଖ୍ୟାନ କେନ୍ଦ୍ରକୁ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ରୂପାନ୍ତରିତ କରି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହାର ‌ଲୋକାର୍ପଣ କରାଯାଇଛି। ଗାନ୍ଧୀଜୀଙ୍କ ଆଦର୍ଶ ଓ କାର୍ଯ୍ୟାବଳୀ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇଥିବାରୁ ଏହି ମହତ୍ତ୍ବକୁ ଯୁବପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏହି ଗାନ୍ଧୀ ଶାନ୍ତି କେନ୍ଦ୍ର ସହାୟକ ହେବ। ସବୁଠୁ ବଡ଼ ବିଶେଷତ୍ବ ହେଉଛି, ଏହି କେନ୍ଦ୍ରଟି ଯୁବପିଢ଼ି ଦ୍ବାରା ଆଦୃତ ଡିଜିଟାଲ ଭାଷାରେ କଥା କହୁଛି। ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ୍‌ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଅଧ୍ୟକ୍ଷା ରାଜଶ୍ରୀ ବିର୍ଲା ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ସହିତ ଗାନ୍ଧୀଜୀଙ୍କର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଗାନ୍ଧୀଜୀଙ୍କ ଭାବଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ କରାଯାଇଛି। ଆଦିତ୍ୟ ବିର୍ଲା ପକ୍ଷରୁ ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରଥମ ଈଶ୍ବରୀୟ ଗାନ୍ଧୀ ମଲ୍‌ଟିମିଡିଆ ସଂଗ୍ରହାଳୟ ଏବଂ ବ୍ରିଟେନର ବ୍ରିମିଙ୍ଗହାମରେ ଗାନ୍ଧୀ କେନ୍ଦ୍ର ସ୍ଥାପନ ହୋଇଥିବା ବେଳେ ଓଡ଼ିଶାରେ ଏହା ତୃତୀୟ ଶାନ୍ତି କେନ୍ଦ୍ର। ଆମେରିକାର ହୋ‌ଷ୍ଟନରେ ମଧ୍ୟ ଆଉ ଏକ ଗାନ୍ଧୀ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି ବୋଲି ସେ କହିଥିଲେ।

ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ସଂକ୍ରାନ୍ତ ବିଷୟରେ କହିବା ସହ ଗାନ୍ଧୀଜୀ କିଭଳି ଆଜି ବି ପ୍ରାସଙ୍ଗିକ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିସହ ଏହି କେନ୍ଦ୍ର ବହୁ ବ୍ୟକ୍ତିବିଶେଷଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ। ଏହି କେନ୍ଦ୍ର ସ୍ଥାପନରେ ସହାୟତା କରିଥିବା ଡ. ସନ୍ତୃପ୍ତ ମିଶ୍ର ଓ ଅଶୋକ ବଳଙ୍କୁ କୃତଜ୍ଞତା ଜଣାଯାଇଥିଲା। ଶେଷଷର ଭରତ ପାରେଖ ଧନ୍ୟବାଦ ଅର୍ପଣ କରିଥିଲେ। ଗାନ୍ଧୀ ଶାନ୍ତି କେନ୍ଦ୍ର ମଙ୍ଗଳବାରରୁ ରବିବାର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ବିନା କୌଣସି ଦେୟରେ ପର୍ଯ୍ୟଟକମାନେ ଏହା ମଧ୍ୟକୁ ପ୍ରବେଶ କରି ଗାନ୍ଧୀଙ୍କୁ ବହୁତ ଭଲ ଭାବେ ଉପଲବ୍ଧି କରିପାରିବେ। ୮ଜଣ ବ୍ୟକ୍ତି ଗ୍ୟାଲେରି ମଧ୍ୟରେ ସମସ୍ତ ବିଷୟରେ ପର୍ଯ୍ୟଟକଙ୍କୁ ବୁଝାଇ‌ବାରେ ସହଯୋଗ କରିବେ।

ସମ୍ବନ୍ଧିତ ଖବର