ଚନ୍ଦନପୁରରୁ କସ୍ତୁରବାଙ୍କୁ ଚିଠି ଲେଖିଥିଲେ ଗାନ୍ଧୀଜୀ

ଆଚାର୍ଯ୍ୟ ହରିହରଙ୍କଠୁ ନେଇଥିବା ବାଉଁଶ ବାଡ଼ି ଶେଷଯାଏ ସାଇତି ରଖିଥିଲେ

ପୁରୀ : ପୁରୀ ଗସ୍ତରେ ଆସିଥିବାବେଳେ ଚନ୍ଦନପୁରରୁ ପତ୍ନୀ କସ୍ତୁରବାଙ୍କ ନିକଟକୁ ଚିଠି ଲେଖିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଆଉ ଏକ ଚିଠି ସେ ସର୍ଦ୍ଦାର ବଲ୍ଳଭାଇ ପଟେଲଙ୍କ ପାଖକୁ ଲେଖିଥିଲେ। ଆସନ୍ତାକାଲି, ଗାନ୍ଧୀଜୀଙ୍କ ଜନ୍ମଦିବସ ପାଳନ ହେଉଥିବାବେଳେ ଏହାର ଏକ ସ୍ମୃତିଚାରଣ ପାଇଁ ଅବକାଶ ସୃଷ୍ଟି ହୋଇଛି।

ବିଶିଷ୍ଟ ଗାନ୍ଧୀ ଗବେଷକ ଗୌରାଙ୍ଗ ଚରଣ ପରିଡ଼ାଙ୍କ କହିବା ମୁତାବକ, ଗାନ୍ଧୀଜୀଙ୍କର ପଞ୍ଚମ ଓଡ଼ିଶା ଗସ୍ତ ଆରମ୍ଭ ହୋଇଥିଲା ପୁରୀରୁ। ସେଠାରୁ ଯାଇ ଦ୍ବିପ୍ରହରରେ ଗାନ୍ଧୀଜୀ ବୀରହରେକୃଷ୍ଣପୁରରେ ବିଶ୍ରାମ ନେଇ ଚନ୍ଦନପୁର ଅଭି‌ମୁଖେ ଯାତ୍ରା ଆରମ୍ଭ କରିଥିଲେ। ପଦଯାତ୍ରୀଙ୍କ ସହ ଯାଇ ଗାନ୍ଧୀଜୀ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଚନ୍ଦନପୁରରେ ପହଞ୍ଚିଥିଲେ। ପଦଯାତ୍ରୀମାନେ ଖୋଲା ପଡ଼ିଆରେ ଶୋଇଯାଇଥିଲେ। ମାତ୍ର ଗାନ୍ଧୀଜୀଙ୍କ ପାଇଁ ପତ୍ର କୁଡ଼ିଆର ବ୍ୟବସ୍ଥା ହୋଇଥିଲା। ସେଇ ରାତିରେ ଲଣ୍ଠନ ଆଲୁଅରେ ଗାନ୍ଧୀଜୀ ଦୁଇଟି ଚିଠି ଲେଖିଥିଲେ। ଗୋଟିଏ ଚିଠି ଲେଖିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ପାଖକୁ ଏବଂ ଅନ୍ୟଟି ପତ୍ନୀ କସ୍ତୁରବାଙ୍କୁ। କସ୍ତୁରବା ସେତେବେଳେ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲ୍‌ରେ ଥାଆନ୍ତି। ସେଥିରେ ସେ ଉଲ୍ଲେଖ କରିଥିଲେ, ଜଣେ ଟ୍ରେନ୍‌ କିମ୍ବା ବସ୍‌ରେ ଯାତ୍ରା କରି ଧର୍ମ ପ୍ରଚାର କରିପାରିବ ନାହିଁ। ତେଣୁ ସେ ଚାଲିଚାଲି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗାନ୍ଧୀଜୀ କେବଳ ଉପଦେଶ ଦେଉନଥିଲେ, ବରଂ ବାସ୍ତବ ଆଦର୍ଶବାଦୀ ଥିଲେ ବୋଲି କହିଛନ୍ତି ଶ୍ରୀ ପରିଡ଼ା। କେବଳ ସେତିକି ନୁହେଁ, ଚିଠି ସହ ସେ କସ୍ତୁରବାଙ୍କ ନିକଟକୁ ଗୁଜରାଟୀ ଭାଷାରେ ଲିଖିତ ‘ରାମ ଗୀତା’ ବହି ପଠାଇଥିଲେ ବୋଲି ‘କଲେକ୍ଟେଡ୍‌ ୱାର୍କସ୍‌ ଅଫ୍ ମହାତ୍ମା ଗାନ୍ଧୀ’ରେ ଉଲ୍ଲେଖ ରହିଛି।

ସପ୍ତମଥର ପାଇଁ ଯେବେ ୧୯୩୮ ମସିହା ମାର୍ଚ୍ଚ ମାସରେ ଗାନ୍ଧୀଜୀ ପୁନର୍ବାର ପୁରୀ ଆସିଥିଲେ, ସେତେବେଳେ ସେ ଡେଲାଙ୍ଗ‌ ବେରବୋଇରେ ଅନୁଷ୍ଠିତ ହୋଇଥିବା ଗାନ୍ଧୀ ସେବାସଂଘ ଅଧିବେଶନରେ ‌ଯୋଗ ଦେଇଥିଲେ। ଏଥିରେ ଗାନ୍ଧୀଜୀଙ୍କ ସହ କସ୍ତୁରବା, ପୁତ୍ର ମଣିଲାଲ୍‌, ବୋହୂ ସୁଶୀଳା, ନାତି ଅରୁଣଙ୍କ ସମେତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ଡ. ରାଜେନ୍ଦ୍ର ପ୍ରସାଦ, ମୌଲାନା ଆବୁଲ୍‌ କାଲାମ ଆଜାଦ, ଆଚାର୍ଯ୍ୟ କୃପାଳିନୀ, ମହାଦେବ ଦେଶାଇଙ୍କ ଭଳି ପ୍ରମୁଖ ମହାନ ବ୍ୟକ୍ତିତ୍ବମାନେ ବି ସାମିଲ୍‌ ହୋଇଥିଲେ। ସମ୍ମିଳନୀରେ ୭ଦିନ ରହି ଫେରିବା ପରେ ଗାନ୍ଧୀଜୀ ବେରବୋଇରୁ ବାଉଁଶ ବାଡ଼ିଟିଏ ନେଇ ଯାଇଥିଲେ। ଆଚାର୍ଯ୍ୟ ହରିହର ହିଁ ତାଙ୍କ ସରୁ ବାଉଁଶ ବାଡ଼ିଟି ଗାନ୍ଧୀଜୀଙ୍କୁ ଦେବା ସହିତ ସାଙ୍ଗରେ ନେଇଯିବାକୁ ଅନୁରୋଧ କରିଥିଲେ। ପରେ ଯେବେ ଆଚାର୍ଯ୍ୟ ହରିହର ୱାର୍ଦ୍ଧା ଯାଇଥିଲେ ଗାନ୍ଧୀଜୀ ତାଙ୍କୁ ସେହି ବାଉଁଶ ବାଡ଼ିଟି ଦେଖେଇ ଦେଇ କହିଥିଲେ, ଆଜି ବି ଏ ଖଣ୍ଡକ ସାଇତି ରଖିଛି। ପୁରୀ ସହ ତାଙ୍କ ସମ୍ପର୍କ କେବଳ ଏତିକିରେ ସୀମିତ ନଥିଲା। ବରଂ ଐକ୍ୟ ଭାବର ମନ୍ତ୍ର ବୁଣିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ଉଦାହରଣ ଦେଉଥିଲେ। ଏପରିକି ମହାପ୍ରଭୁଙ୍କୁ ସାଂସ୍କୃତିକ ସଂହତିର ଏକାକୀ ପ୍ରତିନିଧି ଭାବେ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର