ଢେଙ୍କାନାଳ : ବିଶିଷ୍ଟ ଗାନ୍ଧୀବାଦୀ ନେତା ପ୍ରଶାନ୍ତ ମିଶ୍ର(୮୨)ଙ୍କର ଆଜି ହୃଦ୍ଘାତରେ ପରଲୋକ ହୋଇଛି। ସହରର କାଠଗଡାସ୍ଥିତ ବାସଗୃହରେ ଥିବାବେଳେ ଆଜି ମଧ୍ୟାହ୍ନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅପରାହ୍ଣ ୩ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ, ଝିଅ, ଜ୍ବାଇଁ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ସହରର କୁଞ୍ଜକାନ୍ତ ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସ˚ପନ୍ନ କରାଯାଇଥିଲା। ପୁତ୍ର ଅରବିନ୍ଦ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ମିଶ୍ର ଛାତ୍ରାବସ୍ଥାରୁ ଗାନ୍ଧୀ ଓ ମାର୍କସଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ସମାଜବାଦୀ ମହାନାୟକ ରାମ ମନୋହର ଲୋହିଆ ଏବ˚ କିଷାନ ପଟ୍ଟନାୟକଙ୍କ ଆନ୍ଦୋଳନରେ ସାମିଲ୍ ହୋଇ ଶ୍ରମିକ ସ˚ଗଠନ, ଛାତ୍ର ଯୁବ ସ˚ଘର୍ଷ ବାହିନୀରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ସେ ଦଳିତମାନଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଗତିଶୀଳ ନାଗରିକ ମଞ୍ଚ ଗଠନ କରିଥିଲେ। ସମାଜବାଦୀ ପାର୍ଟିର ରାଜ୍ୟ ନେତୃତ୍ବ ନେଇଥିଲେ। ଏଥିସହ ଅଖିଳ ଭାରତୀୟ କୃଷକ ନେତା ଭାବେ ଚାଷୀଙ୍କ ହକ୍ ପାଇଁ ଲଢିଥିଲେ। ନିଶା କବଳରୁ ସମାଜକୁ ଦୂରେଇ ରଖିବା ପାଇଁ ସେ ନିଶା ନିବାରଣର ନେତୃତ୍ବ ନେଇ ଆସିଥିଲେ। ୧୯୭୫ ମସିହାରେ ସେ ଜୟପ୍ରକାଶଙ୍କ ଆନ୍ଦୋଳନରେ ସାମିଲ୍ ହେବା ସହ ଗିରଫ ହୋଇ ୧୯ ମାସ କାରଗାରରେ ବିତାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/prasanta-mishra-dhenkanal.jpg)