ତିନିଦିନିଆ ଓଡ଼ିଶା ଗସ୍ତରେ ଗାନ୍ଧୀବାଦୀ ଲେଖିକା ସୁଜାତା ଚୌଧୁରୀ

ଭୁବନେଶ୍ବର : ପ୍ରଖ୍ୟାତ ଗାନ୍ଧୀବାଦୀ ଲେଖିକା ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କେନ୍ଦ୍ରୀୟ କମିଟି ସଦସ୍ୟା ଡ. ସୁଜାତା ଚୌଧୁରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି(ଶୁକ୍ରବାର) ସଂଧ୍ୟାରେ ଗୀତଗୋବିନ୍ଦ ସଦନ ପରିସରରେ ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଆୟୋଜିତ ସଭାରେ ଡ. ଚୌଧୁରୀ ଯୋଗଦେଇ ‘ଗାନ୍ଧୀଜୀ ଓ କୃଷକ’ ଶୀର୍ଷକ ବ୍ୟାଖ୍ୟାନ ପ୍ରଦାନ କରିବେ। ଶନିବାର ଭଦ୍ରକ ଗସ୍ତକାଳରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସଂଧ୍ୟାରେ ଟାଉନ୍‌ ସଦନଠାରେ ନାରୀ ସେବା ସଂଘ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ର ‘ବାପୁ ଓ ସ୍ତ୍ରୀ’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିବେ। ଏଥିସହ କଟକ ଜିଲ୍ଲା ନିଆଳି ନିକଟସ୍ଥ ନରିଶୋଠାରେ ଅବସ୍ଥିତ ପ୍ରାଚୀ ଚାଷୀ ମେଳି ଦ୍ବାରା ହେଉଥିବା ବିହନ ସଂରକ୍ଷଣ ଓ ଜୈବ କୃଷି ପ୍ରଣାଳୀକୁ ସେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଜଷ୍ଟିସ୍‌ ମନୋରଂଜନ ମହାନ୍ତି, ଡା. ବିଶ୍ବଜିତ୍‌, ବିରୁପାକ୍ଷ ତ୍ରିପାଠୀ, ତୁଷାର ମହାନ୍ତି, ସୂର୍ଯ୍ୟନାରାୟଣ ନାଥ, ମାନସ ପଟ୍ଟନାୟକ ପ୍ରମୁଖ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଡ. ଚୌଧୁରୀ ମହାତ୍ମାଙ୍କ ଆଧ୍ୟାତ୍ମ୍ୟ, ବାପୁ ଔର୍‌ ସ୍ତ୍ରୀ, ରାଷ୍ଟ୍ରପିତା ଔର୍‌ ନେତାଜୀ, ଚମ୍ପାରଣ ସତ୍ୟାଗ୍ରହ, ବାପୁ ଓ ଭଗତ ସିଂହ, ସତ୍ୟ କେ ଦସ୍ତାବେଜ୍‌ ଆଦି ତିରିଶରୁ ଅଧିକ ହିନ୍ଦୀ ପୁସ୍ତକ ରଚନା କରିବା ସହ ବାପୁ ଓ ସ୍ତ୍ରୀ ଭଳି ସିନେମା ମଧ୍ୟ ନିର୍ମାଣ କରିଛନ୍ତି।

ସମ୍ବନ୍ଧିତ ଖବର