ବିଶିଷ୍ଟ ଗାନ୍ଧୀବାଦୀ  ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

ଆନନ୍ଦପୁର: ବିଶିଷ୍ଟ ଗାନ୍ଧୀବାଦୀ ତଥା ସାବରମତୀ ଆଶ୍ରମର ଛାତ୍ର ଚନ୍ଦ୍ରମଣି ମିଶ୍ର(୯୨)ଙ୍କର କୋଳିମାଟି ପଞ୍ଚାୟତ କନ୍ତୋସ୍ଥିତ ବାସଭବନରେ ଆଜି ସକାଳ ୮ଟା୧୫ମିନିଟ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ଦୁଇଭାଇ ମହେଶ୍ବର ମିଶ୍ର, ଲକ୍ଷ୍ମୀଧର ମିଶ୍ର, ପୁଅ ଶିକ୍ଷକ ବିନୟ ଭୂଷଣ ମିଶ୍ର, ପ୍ରାଣବଲ୍ଲଭ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଦିଲୀପ୍ କୁମାର ମିଶ୍ର, ଯାଜପୁର ବାଳବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ଆଦିତ୍ୟ ମିଶ୍ର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ସ୍ଥାନୀୟ ‌ଧକୋଠା, କୋଳିମାଟି, ବୀରଗୋବିନ୍ଦପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ।

ମୂଷଳ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ‌ହୋଇଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ ପୁତୁରା ଚନ୍ଦ୍ରମଣି ମହାତ୍ମ‌ା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ଛାତ୍ର  ଥିଲେ। ଓଡ଼ିଶା ଖଦିବୋର୍ଡ଼ର ସଦସ୍ୟ ରହିଥିବାବେଳେ ଅକ୍ସଫାମ୍ ଓ ଭିଆରଓ ମାଧ୍ୟମରେ ସମାଜସେବା ଜାରି ରଖିଥିଲେ। ଅବସର ପରେ କୋଳିମାଟି ଅଞ୍ଚଳରେ ମାଗଣା ହୋମିଓପାଥି ଚିକିତ୍ସା କରି ଚର୍ଚ୍ଚାକୁ ଆସିଥିଲେ। ସେ ଗାନ୍ଧିଜୀଙ୍କ ଆଦର୍ଶରେ ଜୀବନସାରା ଖଦି ପରିଧାନ କରିବା ସହିତ ସୂତା ମଧ୍ୟ କାଟୁଥିଲେ। ତାଙ୍କ ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର