ବଲାଙ୍ଗୀର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ହାତଲେଖା ଚିଠି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଯୋଗିସର୍ଡା ପାକ୍ସର ଗୋଦାମ ଘରେ ବନ୍ଧାପଡ଼ିବା ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଜିଲ୍ଲା ସମବାୟ ବିଭାଗର ଏକ ଟିମ୍ ଜବତ କରାଯାଇଥିବା ୬ଟି ବାକ୍ସର ତାଲା କାଟି ସେସବୁକୁ ଦେଖିଥିଲେ। ତା’ ଭିତରେ ଥିବା କାଗଜପତ୍ର ସବୁ ଉଇ ଖାଇଯାଇଥିବା ଜଣାପଡ଼ିଛି।
କେଉଁଟିପାଲିର ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାୟକଙ୍କୁ ଗାନ୍ଧୀଜୀ ଚିଠି ଲେଖିଥିଲେ। ସେସବୁକୁ ସେ ଏକ ବାକ୍ସରେ ରଖିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ନୀଳମଣି ନାୟକ ସମବାୟ ଋଣ ନେଇଥିଲେ। ସେ ଋଣ ପରିଶୋଧ କରି ନପାରିବାରୁ ତାଙ୍କ ଘରେ ଥିବା ବାକ୍ସ ସବୁକୁ ଜବତ କରାଯାଇଥିଲା। ଏଥିରେ ବ୍ୟଥିତ ହୋଇ ବରଗଡ଼ ଜିଲ୍ଲା ଅତାବିରାର ସାମାଜିକ କର୍ମୀ ରାଜେଶ ଅଗ୍ରୱାଲ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଥିଲେ। ସେହିପରି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ଉକ୍ତ ଜବତ ବାକ୍ସ ଗୋଦାମ ଘରୁ ବାହାର କରିବା ପରେ କାଗଜପତ୍ର ସବୁ ଉଇ ଖାଇଦେଇଛି। କିଛି ବସ୍ତ୍ର, ପୁରୁଣା ମୁଦ୍ରା ଓ ଉଇ ଖାଇଯାଇଥିବା ପୁରୁଣା ପୁସ୍ତକ ସେଥିରୁ ବାହାରିଛି। ଯାହାକୁ ନେଇ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନେ ଦୁଃଖପ୍ରକାଶ କରିଛନ୍ତି।