ଗୋଦାମଘରେ ବନ୍ଧାପଡ଼ିଛି ଗାନ୍ଧୀଜୀଙ୍କ ଚିଠି

ସମ୍ବଲପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ହାତଲେଖା ଚିଠି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡ଼ା ପାକ୍ସର ଗୋଦାମଘରେ ବନ୍ଧାପଡ଼ିଛି। ଚିଠିକୁ ଉଦ୍ଧାର କରିବା ସହିତ ସଂରକ୍ଷିତ କରି ରଖିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ଗାନ୍ଧୀଜୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ବଲାଙ୍ଗୀର ଜିଲ୍ଲା ଗୋପାଳପୁର ନିକଟ କେଉଁଟିପାଲିର ସ୍ବାଧୀନତା ସଂଗ୍ରାମୀ କପୁରଚନ୍ଦ ନାୟକ ସ୍ବାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ବାରମ୍ବାର ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଥିଲା। ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ଭାଗନେଇ ସେ ‘ମାତୃପୂଜା କବିତା ଗୁଚ୍ଛ’ ରଚନା କରିଥିଲେ। ଦେଶ ସ୍ବାଧୀନ ହୋଇ ଗଡ଼ଜାତ ମିଶ୍ରଣ ପରେ ସେ ଓଡ଼ିଶା ବିଧାନସଭା (ଲାଟ୍‌ସଭା)କୁ ମନୋନୀତ ହୋଇଥିଲେ। କପୁରଚନ୍ଦଙ୍କ ମୃତ୍ୟୁପରେ ତାଙ୍କ ପୁଅ ନୀଳମଣି ନାୟକ ସମବାୟ ଋଣ ନେଇଥିଲେ ଏବଂ ପରବର୍ତ୍ତୀ କାଳରେ କ୍ରମାଗତ ମରୁଡ଼ି ଯୋଗୁଁ ଏହାକୁ ପରିଶୋଧ କରିପାରି ନଥିଲେ। ଫଳରେ, ତାଙ୍କ ଘର କୋରକ ହୋଇଥିଲା।

ସମବାୟ ଅଧିକାରୀ ତାଙ୍କର ବିଭିନ୍ନ ଘରକରଣା ସାମଗ୍ରୀ ସହିତ ମହାତ୍ମା ଗାନ୍ଧୀ, ବଡ଼ ବଡ଼ ନେତାଙ୍କ ଚିଠି ଓ ସ୍ବାଧୀନତା ସଂଗ୍ରାମର ବହୁ ଦୁର୍ଲଭ ଦସ୍ତାବିଜ ଥିବା କେତେକ ଲୁହାବାକ୍ସ ଜବତ କରି ସଙ୍ଗରେ ନେଇଯାଇଥିଲେ। ସେସବୁ ସାମଗ୍ରୀ ଆଜିପର୍ଯ୍ୟନ୍ତ ସମିତିର ଗୋଦାମ ଘରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସେଗୁଡ଼ିକର ଉଦ୍ଧାର ପାଇଁ ବରଗଡ଼ ଜିଲ୍ଲା ଅତାବିରାର ସାମାଜିକ କର୍ମୀ ରାଜେଶ ଅଗ୍ରୱାଲ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ବନ୍ଧା ପଡ଼ିଥିବା ଏହି ଦୁର୍ଲଭ ହାତଲେଖା ଚିଠିକୁ ତୁରନ୍ତ ଉଦ୍ଧାର କରି ଏହାକୁ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ କରି ରଖିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର