ବଲାଙ୍ଗୀର: ଆଦାନୀ କମ୍ପାନି ଗନ୍ଧମାର୍ଦ୍ଦନ ଆଖପାଖ ଅଞ୍ଚଳରେ ଜମି କିଣିବା ମାମଲା ବର୍ତ୍ତମାନ ମଧ୍ୟ ସରଗରମ ରହିଛି। ଲୋକଙ୍କ ଆସ୍ଥା ସହ ଜଡ଼ିତ ଏହି ଐତିହାସିକ ପର୍ବତର ସୁରକ୍ଷା ପାଇଁ ନୀତିଗତ ନିଷ୍ପତ୍ତି ନେବାକୁ ଦାବି ହୋଇଆସୁଛି। ୧୮,୯୬୩ ହେକ୍ଟର ଯାଏଁ ବ୍ୟାପିଥିବା ଏହି ପର୍ବତକୁ  ପୂର୍ବରୁ ଜୈବ ବିବିଧତା ସମ୍ପନ୍ନ ଐତିହ୍ୟ ଭାବେ ଘୋଷଣା କରାଯାଇଛି। କିନ୍ତୁ ଏତିକିରେ ଗନ୍ଧମାର୍ଦ୍ଦନକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଉଛି। ଗତବର୍ଷ ଆଦାନୀ କମ୍ପାନି ପର୍ବତର ଆଖପାଖରେ ଜମି କିଣିଥିବା ଦସ୍ତାବିଜ୍‌ ସାମନାକୁ ଆସିବା ପରେ ଜନଆନ୍ଦୋଳନ ମୁଣ୍ଡ ଟେକିଛି। ଗତବର୍ଷ ନଭେମ୍ବର ୧୫ ତାରିଖ ଖପ୍ରାଖୋଲ ବ୍ଲକ୍‌ରେ ବୀର୍ସାମୁଣ୍ଡା ଜୟନ୍ତୀ ସମୟରେ ଉଭୟ ବଲାଙ୍ଗୀର ଏବଂ ବରଗଡ଼ର ବିଜେଡି ନେତୃବୃନ୍ଦ ଠୁଳ ହୋଇ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେବାକୁ ଶପଥ ନେଇଥିଲେ। ଏହା ପରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦର ନେତୃତ୍ବରେ ନଭେମ୍ବର ୨୫ ତାରିଖରୁ ମାରାଥନ ଆନ୍ଦୋଳନ ଆରମ୍ଭ ହୋଇଥିଲା।

Advertisment

ବିଧାନସଭା ଅଧିବେଶନ ଉପରେ ଆଖି

ଜାନୁଆରି ୧୯ ତାରିଖ ଏକ ବିରାଟ ସମାବେଶ ବି ହୋଇଥିଲା। ଯେଉଁଥିରେ ଗନ୍ଧମାର୍ଦ୍ଦନର ଗୋଟିଏ ହାତ ଜାଗା କାହାରିକୁ ଦିଆଯିବ ନାହିଁ ବୋଲି ପରିବେଶପ୍ରେମୀ ଏବଂ ଆନ୍ଦୋଳନକାରୀ ଶପଥ ନେଇଥିଲେ। ଏହି ଆନ୍ଦୋଳନ ସମୟରେ ଅର୍ଥାତ ନଭେମ୍ବର ୨୬ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଏପଟେ ଆନ୍ଦୋଳନ ଚାଲିଥିବାବେଳେ ସମାନ୍ତରାଳ ଭାବେ ବିଧାନସଭା ଗୃହକାର୍ଯ୍ୟ ଜାରି ରହିଥିଲା। ଗନ୍ଧମାର୍ଦ୍ଦନର ଗୋଟିଏ ଇଞ୍ଚ ଜାଗା ଆଦାନୀ କିମ୍ବା କୌଣସି କମ୍ପାନି ହାତକୁ ଦିଆଯିବ ‌ନାହିଁ ବୋଲି ଶାସକ ବିଜେପିର ମନ୍ତ୍ରୀମାନେ ଘୋଷଣା କରିଥିଲେ। କିନ୍ତୁ ସରକାର ଆଜି ଯାଏଁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଆଗକୁ ଆଦାନୀକୁ ଗନ୍ଧମାର୍ଦ୍ଦନ ଖନନ ଅନୁମତି ପାଇଁ ସରକାରଙ୍କ କିଛି ଯୋଜନା ନାହିଁ ବୋଲି ଶ୍ବେତପତ୍ର ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଶୀତ ଅଧିବେଶନ ସରିଗଲା, କିନ୍ତୁ ଶ୍ବେତପତ୍ର ଜାରି ହେଲା ନାହିଁ। ଗୋଟିଏ ହିସାବରେ କହିବାକୁ ଗଲେ, କୌଣସି ସରକାରୀ ପ୍ରତିନିଧିଙ୍କ ପ୍ରତିଶ୍ରୁତି ଉପରେ ଆନ୍ଦୋଳନକାରୀଙ୍କ ଭରସା ପାଉନି। ଗତ ଜାନୁଆରି ୨୦ ତାରିଖରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦର ଆନ୍ଦୋଳନ ସାମୟିକ ଭାବେ ବନ୍ଦ ରହିଛି। ତେବେ ବରଗଡ଼ ଜିଲ୍ଲା ପାଇକମାଲରେ ଚାଲିଥିବା ଆନ୍ଦୋଳନକୁ ପରିଷଦ ସମର୍ଥନ ଦେଇଆସୁଛି। ଚଳିତ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି।