ଗଣେଶ ମହୋତ୍ସବ ଉଦ୍‌ଘାଟିତ, କଟକ-ଭୁବନେଶ୍ବର ମଧ୍ୟରେ ନୂଆ ସଂପର୍କ ସୃଷ୍ଟି କରିବ: ସୌମ୍ୟ

କଟକ : ଉତ୍ସବ ଆମ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥାଏ। ସେଇଥିପାଇଁ ଆମ ପରମ୍ପରାରେ ୧୨ମାସରେ ୧୩ ପର୍ବ ଖଞ୍ଜାଯାଇଛି। ଆଜି ଆୟୋଜନ ହେଉଥିବା ଗଣେଶ ମହୋତ୍ସବ କରୋନା ପୂର୍ବର ପୁରୁଣା ସମୟ ଫେରି ଆସୁଥିବା ସୂଚନା ଦେଇଛି ବୋଲି କହିଛନ୍ତି ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

କଟକ ଭୁବନେଶ୍ବର ‌ଦ୍ବୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଗଣେଶ ମହୋତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସଂପ୍ରତି କଟକ, ଭୁବନେଶ୍ବର ଯୋଡ଼ି ହୋଇଯାଇଛି। ଗଣେଶ ମହୋତ୍ସବ ହଜାରେ ବର୍ଷର କଟକ ଓ ୭୫ବର୍ଷର ଭୁବନେଶ୍ବର ମଧ୍ୟରେ ନୂଆ ସଂପର୍କ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

କଟକ ଭୁବନେଶ୍ବର ‌ଦ୍ବୈତନଗରୀ ଗଣେଶ ପୂଜା କମିଟି ସଭାପତି ସରୋଜ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମେୟର ସୁବାସ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବେ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ କୁମାର ତ୍ରିପାଠୀ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ନଗର ବିଜେପି ସଭାପତି ଲଲ‌ାଟେନ୍ଦୁ ବଡ଼ୁ ଯୋଗ ଦେଇ ଗଣେଶ ମହୋତ୍ସବ ସଂସ୍କୃତି ନଗରୀ କଟକର ଭାଇଚାରା, ଐତିହ୍ୟକୁ ଅଧିକ ସୃଦୃଢ଼ କରିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ଶେଖ୍ କଲ୍ଲିମୁଲା, ବୀରେନ୍ଦ୍ର କୁମାର ସାହୁ, ମନୋରଞ୍ଜନ ଦାସ, ସରୋଜ ‌ଛୋଟରାୟ, କ୍ଷୀରୋଦ କୁମାର ସାହୁ, ପ୍ରବୀଣ ବରାଳ, ଅଜୟ ମୁଦୁଲି, ପ୍ରଭାମୟୀ ମିଶ୍ର, ନିମାଇଁ ଦାସ, ଗୋଲକ ଛାଟୋଇ, ଦୁର୍ଯୋଧନ ସାହୁ, ଅଭିଷେକ ଜେନା, ଜୟଦେବ ଛାଟୋଇ, ଜଗନ୍ନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ସମାରୋହରେ ସଫଳ ଅଭିଭାବକ-ଅଭିଭାବିକାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ଉଦ୍‌ଘାଟନୀ ସଂଧ୍ୟାକୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଗଣେଶ ମହୋତ୍ସବ ଉପର ବାଲିଯାତ୍ରା ପଡ଼ିଆରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର