ଗାନ୍ଧିଛକ: ବସ୍ତା ବ୍ଲକ୍‌ ସନ୍ତୋଷପୁର ପଞ୍ଚାୟତ ଅଧୀନ ଥେଙ୍ଗଡ଼ିହା ଗ୍ରାମରେ ଏମିତି ଜଣେ ବ୍ୟକ୍ତି ରହନ୍ତି, ଯିଏ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେ ହେଲେ; ଯୁବ ସମାଜସେବୀ ତଥା ଭେଲୋରା ପଞ୍ଚାୟତସ୍ଥିତ କୁଳଡ଼ିହା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଣେଶ ଚନ୍ଦ୍ର ଜେନା। ବୟସ ୩୪ ବର୍ଷ। ବିବାହ କରି ନାହାନ୍ତି। ଶ୍ରୀ ଜେନା ଓଡ଼ିଆ ଭାଷାର ଉନ୍ନତି ପାଇଁ ରୀତିମତ୍‌ ନିଃସର୍ତ୍ତ ଉଦ୍ୟମ ଚଳାଇଛନ୍ତି। ମଧୁସୂଦନ ରାଓଙ୍କ ‘ମଧୁ ବର୍ଣ୍ଣବୋଧ’ର ଗୁରୁତ୍ବ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏହାର ବ୍ୟବହାର ନେଇ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି।

Advertisment

ଏନେଇ ସେ ବିଭିନ୍ନ ଗାଁ’ରେ ଖୋଲିଛନ୍ତି ‘ବର୍ଣ୍ଣବୋଧ ପାଠଶାଳା’। ପାଳି କରି ସକାଳେ ଓ ସନ୍ଧ୍ୟା ବେଳେ ସେଠାକୁ ଯାଇ ପିଲାମାନଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ;‌ ସମସ୍ତଙ୍କୁ ଓଡ଼ିଆ ଭାଷାର ନିର୍ଭୁଲ ବ୍ୟବହାର ଏବଂ ଓଡ଼ିଆରେ ପଢ଼ିବା ଓ ଲେଖିବା ଶିଖାଉଛନ୍ତି। ଏମିତିକି ଅନେକ ପିଲା ପଢ଼ିବା ପାଇଁ ତାଙ୍କ ଘରକୁ ଆସୁଛନ୍ତି। ଏହି କାମ ପାଇଁ ଶ୍ରୀ ଜେନା ଏବେ ସ୍ଥାନୀୟ ଅଞ୍ଚଳରେ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବା ବେଳେ ସେ ଚର୍ଚ୍ଚାର ପରିସରକୁ ବି ଆସିଛନ୍ତି। ସୂଚନାଥାଉକି, ଶ୍ରୀ ଜେନା ଶିକ୍ଷକତା କରୁଥିବା ବିଦ୍ୟାଳୟର ଛାତ୍ରୀ ମଧୁସ୍ମିତ‌ ସାହୁ (୭) ହୃଦ୍‌ରୋଗର ଶିକାର ହୋଇଥିଲେ। ଏହି ସମୟରେ ସେ ତାଙ୍କ ପରିବାର ଲୋକଙ୍କ ସହ ଘର ଘର ଯାଇ ଅର୍ଥ ସାହାଯ୍ୟ ମାଗିଥିଲେ। ଯେଉଁ ଅର୍ଥରେ ମଧୁସ୍ମିତାଙ୍କ ଚିକିତ୍ସା ହୋଇଥିଲା।