କଟକ: ପର୍ବ ଓ ଉତ୍ସବ ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି। ଏହା ଆୟୋଜନ କରି ଆମେ ଆମ ଦକ୍ଷତା ଓ ସାମର୍ଥ୍ୟକୁ ଆବିଷ୍କାର କରିପାରୁ। ଉତ୍ସବ ଲୋକ ଯୋଡ଼ିବାର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଗଣେଶ ମହୋତ୍ସବ କଟକ ଭୁବନେଶ୍ବର ଦୈତନଗରୀ ମଧ୍ୟରେ ବ୍ୟବଧାନ କମାଇବା ସହିତ ଲୋକସଂପର୍କକୁ ସୁଦୃଢ଼ କରିବ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କଟକ ଭୁବନେଶ୍ବର ଦ୍ବୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ସହୀଦ୍ଭବନରେ ଆୟୋଜିତ ଗଣେଶ ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ, ଉତ୍ସବ ଆମକୁ ଅନ୍ୟମନସ୍କ କରିଥାଏ। ଅନ୍ୟମନସ୍କ ମଣିଷ ସମାଜ କଥା ଚିନ୍ତା କରେ। ଯଦି କେହି ଭାଇଚାରା କ’ଣ ଜାଣିବାକୁ ଚାହେଁ, ତେବେ ଓଡ଼ିଶା ଆସି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଲୋକଙ୍କ ଚଳନିକୁ ଦେଖିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଉତ୍ସବରେ ଅଧ୍ୟକ୍ଷତା କରି ଜାତି, ଧର୍ମ, ରାଜନୈତିକ ବିଚାରର ଉର୍ଦ୍ଧ୍ବରେ ରହି ସରଳ, ନିସ୍ବାର୍ଥପର ଜୀବନ ବଞ୍ଚିବାକୁ ଉପସ୍ଥିତ କର୍ମକର୍ତ୍ତା, ବୁଦ୍ଧିଜୀବୀଙ୍କୁ୍ ଆହ୍ବାନ ଦେଇଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ମେୟର ସୁବାସ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବେ ସଂକୀର୍ତ୍ତନ ମଣ୍ଡଳୀ ସର୍ବାଧିକାରୀ ବୀରେନ୍ଦ୍ର କୁମାର ସାହୁ, ଅଧ୍ୟାପକ ଡକ୍ଟର ଶେଖ୍ କଲିମୁଲ୍ଲା, ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ନଗର ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ବାଳ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ସଦ୍ଗୁରୁ ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ କୁମାର ମହାନ୍ତି ଗଣେଶ ମହୋତ୍ସବ ଦୁଇ ସହର ମଧ୍ୟରେ ନୂଆ ସଂପର୍କରେ ସେତୁ ସୃଷ୍ଟି କରିବ ବୋଲି କହିଥିଲେ। କଟକ ଭୁବନେଶ୍ବର ଦ୍ବୈତନଗରୀ ଗଣେଶ ପୂଜା କମିଟି ସଭାପତି ସରୋଜ ସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ସହିତ ସଭା ସଂଯୋଜନା କରିଥିଲେ। ଉତ୍ସବରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା, ବିଭିନ୍ନ ଧର୍ମର ପ୍ରତିନିଧି, ସାହିମୁରବି, ଯୁବକମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମନୋରଞ୍ଜନ ଦାସ, ସରୋଜ ଛୋଟରାୟ, କ୍ଷୀରୋଦ ସାହୁ, ପ୍ରବୀଣ ବରାଳ, ପ୍ରଭାମୟୀ ମିଶ୍ର, ନିମାଇଁ ଦାସ, ଗୋଲକ ଛାଟୋଇ, ଦୁର୍ଯ୍ୟୋଧନ ସାହୁ, ଅଭିଷେକ ଜେନା, ଜୟଦେବ ଛାଟୋଇ, ଜଗନ୍ନାଥ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିବା ବେଳେ ଅଜୟ ମୁଦୁଲି ଧନ୍ୟବାଦ ଦେଇଥିଲେ।