ଆସୁଛନ୍ତି ପାର୍ବତୀ ନନ୍ଦନ: ଆରମ୍ଭ ହେଲାଣି ପ୍ରସ୍ତୁତି ପ୍ରତିଯୋଗିତା

ବ୍ରହ୍ମଗିରିରୁ ଆସିବ ସ୍ବର୍ଣ୍ଣିମ ମେଢ଼, ୫୫ ଫୁଟ୍‌ର ମୂର୍ତ୍ତି ସହ ୧୦ କେଜିର ରୁପା ପାଦ

ଭୁବନେଶ୍ବର: ପାର୍ବଣର ସାହାନାଇ ବାଜି ସାରିଛି। ଉତ୍ସବର ଆସର ଜମି ଆସୁଛି। ରାଖି ପୂର୍ଣ୍ଣିମା ପରେ ଜନ୍ମାଷ୍ଟମୀ ଉତ୍ସବ ବି ସରିଛି। ଏବେ ପାର୍ବତୀ ନନ୍ଦନଙ୍କୁ ସ୍ବାଗତ କରିବାର ବେଳ। ଏଥିପାଇଁ କ୍ଲବ୍‌ଠୁ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିଜ ନିଜ ପୂଜା ମଣ୍ଡପକୁ ଅନ୍ୟଠାରୁ ନିଆରା କରିବାକୁ ଆରମ୍ଭ ହେଲାଣି ପ୍ରତିଯୋଗିତା। ଗଣେଶଙ୍କୁ ଟିକେ ଭିନ୍ନ ଭାବରେ ଦେଖାଇବା ପାଇଁ ଅଣ୍ଟା ଭିଡ଼ିଲେଣି ଯୁବପିଢ଼ି। କିଏ ଉଚ୍ଚତା ଉପରେ ତ’ ଆଉ କିଏ ସାଜସଜ୍ଜା ଓ ମୂର୍ତ୍ତି ଉପରେ ବେଶି ଧ୍ୟାନ ଦେଉଛି। ସବୁଠାରୁ ବଡ଼ କଥା ପୂଜା ମାଧ୍ୟମରେ ପ୍ରଦୂଷଣ ରୋକିବା ଓ ସଚେତନ ବାର୍ତ୍ତା ବାଣ୍ଟିବାକୁ ପୂଜା କମିଟିମାନେ ଆଗେଇ ଆସିଛନ୍ତି। ଖାଲି ଏବେ ପାର୍ବତୀ ନନ୍ଦନଙ୍କ ଆଗମନକୁ ଅପେକ୍ଷା।

ବ୍ରହ୍ମଗିରିରୁ ଆସିବ ସ୍ବର୍ଣ୍ଣିମ ମେଢ଼
ୟୁନିଟ୍‌-୧ ସ୍ଥିତ ନବୋଦୟ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ହେଉଥିବା ଗଣେଶ ପୂଜା ଉତ୍ସବ ଏଥର ୩୧ ବର୍ଷରେ ପଦାର୍ପଣ କରିଛି। ଏଥର ସଂଗଠନ ପକ୍ଷରୁ ପ୍ରଭୁ ଗଣେଶଙ୍କ ପାଇଁ ୧୪ ଫୁଟର ସ୍ବର୍ଣ୍ଣିମ ମେଢ଼ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବ୍ରହ୍ମଗିରି କାରିଗରମାନଙ୍କୁ ମାସେ ଆଗରୁ ବରାଦ ଦିଆଯାଇଛି। ଏଥିସହ ୧୧ ଫୁଟର ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ ହେଉଛି। ପୂଜାର ପ୍ରଥମ ଦିନରେ ୧ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପ୍ରତି ସଂଧ୍ୟାରେ ଭଜନ ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡିର ଆୟୋଜନ ହେବ। ଏଥିପାଇଁ ୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିବା ସଂଗଠନର ଯୁଗ୍ମ ସମ୍ପାଦକ ଦିବ୍ୟଶକ୍ତି ମହାପାତ୍ର କହିଛନ୍ତି।

୫୫ ଫୁଟ୍‌ର ମୂର୍ତ୍ତି ସହ ୧୦ କେଜିର ରୁପା ପାଦ
ବଡ଼ଗଡ଼ ଗାଁରେ ପୂଜା ପାଇବେ ଚଳିତ ବର୍ଷର ସବୁଠାରୁ ବଡ଼ ଗଣେଶ। ୫୫ ଫୁଟ ଉଚ୍ଚତାର ଏହି ଗଣେଶ ପ୍ରତିମାକୁ ‘ବ୍ରାଇଟ୍‌ ଷ୍ଟାର ୟୁଥ୍‌ ଆସୋସିଏସନ୍‌’ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଖାଲି ସେତିକି ନୁହେଁ, ୧୦ କେଜି ଓଜନର ରୁପାକୁ ନେଇ ପ୍ରସ୍ତୁତ ହେଉଛି ଗଣେଶଙ୍କ ପାଦ। ଏଥିପାଇଁ ମାସେ ଆଗରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିସହ ଆସୋସିଏସନ୍‌ ପକ୍ଷରୁ ୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଏହି ପୂଜାର ମୁଖ୍ୟ ଆକର୍ଷଣ ରହିବ ରିଲ୍‌ପ୍ରେମୀ ଯୁବପିଢ଼ିଙ୍କ ପାଇଁ ଲାଇଟିଂର ବ୍ୟବସ୍ଥା। ଆସୋସିଏସନ୍‌ ପକ୍ଷରୁ କଳ୍ପନା ଛକରୁ ବରଗଡ଼ ଛକ ପର୍ଯ୍ୟନ୍ତ ସୁନ୍ଦର ଓ ରଙ୍ଗବେରଙ୍ଗ ଲାଇଟ୍‌ରେ ସଜ୍ଜାଯିବ। ଯାହାକି ରିଲ୍ସ୍‌ ଭିଡିଓ ସୁଟିଂ ପାଇଁ ବେଶ୍‌ ଉପଯୋଗୀ ହେବ। ଏଥିସହ ୬ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରତିଦିନ ଖେଚୁଡ଼ି ଭୋଗ ହେବ ଓ ଶେଷ ଦିନ ସମସ୍ତଙ୍କୁ ଲଡ଼ୁ ବଣ୍ଟନ କରାଯିବ ବୋଲି ଆସୋସିଏସନ୍‌ର ସମ୍ପାଦକ ସଂଗ୍ରାମ ମାର୍ଥା କହିଛନ୍ତି।

୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାଯିବେ ବିଘ୍ନ ବିନାଶକ
ପରିବେଶ ଓ ପ୍ରକୃତି କଥା ଚିନ୍ତା କରି ସବୁବେଳେ ମୂର୍ତ୍ତି ଗଢ଼ୁଥିବା ବୁଦ୍ଧେଶ୍ବରୀ କଲୋନି ‘ମଙ୍ଗଳା ୟୁଥ୍‌ କ୍ଲବ୍‌’ ଏଥର ମୂର୍ତ୍ତି ଗଢ଼ିବାକୁ ବାଛିଛି ପରିବା ଓ ବିଭିନ୍ନ ଶସ୍ୟର ମଞ୍ଜି। କଲରା, ଜହ୍ନି, କଖାରୁ, କାକୁଡ଼ି, ମକା, ଝୁଡ଼ଙ୍ଗ, ବିନ୍‌ସ୍‌ ମଞ୍ଜି ଓ ଧାନ ଆଦିକୁ ନେଇ ଗଣେଶ ମୂର୍ତ୍ତି ପ୍ରସ୍ତୁତ ହେବ। ଏଥିପାଇଁ ୩ ଲକ୍ଷ ମଞ୍ଜି ସଂଗ୍ରହ କରାଯାଇଛି। କ୍ଲବ ପକ୍ଷରୁ ସାଢ଼େ ୮ ଫୁଟର ମୂର୍ତ୍ତି ତିଆରି କରାଯାଉଥିବ‌ା ବେଳେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ରଙ୍ଗର ମଞ୍ଜି ମଧ୍ୟ ସଂଗ୍ରହ ହେବ। ମୂର୍ତ୍ତି ତିଆରିରେ କୌଣସି ରଙ୍ଗର ବ୍ୟବହାର କରାଯିବ ନାହିଁ। କ୍ଲବ୍‌ର ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ମଞ୍ଜିରେ ମୂର୍ତ୍ତି ତିଆରି କରିବାର ୨ଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଯଦି ଏହି ମୂର୍ତ୍ତିକୁ କୌଣସି ପ୍ରାକୃତିକ ଜଳାଶୟରେ ବିସର୍ଜନ କରାଯାଏ, ତେବେ ମଞ୍ଜିଗୁଡ଼ିକ ମାଛମାନଙ୍କ ଖାଦ୍ୟ ହୋଇପାରିବେ। ଏଥିସହ କିଛି ମଞ୍ଜି କୂଳରେ ଲାଗି ଗଛ ବି ହୋଇପାରିବ। ପୂଜା ସମୟରେ ପାଇକ ଆଖଡ଼ା ହେବା ସହ ସ୍ଥା‌ନୀୟ ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୁରୁବାର ହରିହାଟ ଅନୁଷ୍ଠିତ ହେବ। ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି।

ନୂଆପଲ୍ଲୀରେ ବାଲ୍‌ ଗଣେଶ ପିନ୍ଧିବେ ପଞ୍ଜାବୀ ମୁକୁଟ
ନୂଆପଲ୍ଲୀରେ ଏଥର ପୂଜା ପାଇବେ ୫୧ ଫୁଟ୍‌ର ବାଲ୍‌ ଗଣେଶ। ମୁଣ୍ଡରେ ପିନ୍ଧିବେ ପଞ୍ଜାବୀ ମୁକୁଟ। ଏଥିସହ ବାଲ୍‌ ଗଣେଶଙ୍କୁ ରାଜଉଆସରେ ଉପବିଷ୍ଟ କରାଯିବ। ତ୍ରିରଙ୍ଗା ରଙ୍ଗ‌ରେ ରଙ୍ଗିନ ଦିଶିବ ତୋରଣ। ଭିତରେ ରହିବ ଚନ୍ଦ୍ରାଯାନ-୩ର ମଡେଲ। ଏହାକୁ ଏକ ଆକର୍ଷଣୀୟ ସେଲ୍‌ଫି ପଏଣ୍ଟ ଭାବେ ସୁସଜ୍ଜିତ କରାଯାଉଛି। ନୂଆପଲ୍ଲୀ ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦର ସଦସ୍ୟ ଶୁଭେନ୍ଦୁ ନାୟକ କହିଛନ୍ତି, ସବୁଠାରୁ ପଛରେ ଅର୍ଥାତ ୨୯ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ୨୮ ତାରିଖ ଦିନ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏଥିସହ ପ୍ରତିଦିନ ଭଜନ ସଂଧ୍ୟା, ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ପ୍ରଥମ ଦିନ ୫୧ କେଜିର ଲଡ଼ୁ ଭୋଗ ହେବ। ଚଳିତବର୍ଷ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର