ଆଜିଠାରୁ ଦେବଗଡ଼ ପ୍ରସିଦ୍ଧ ଗଣେଶ ପୂଜା 

ଦେବଗଡ଼: ଅଗଷ୍ଟ ୩୧ ତାରିଖରୁ ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେବ। ସେପ୍ଟେମ୍ବର ୯ ତାରିଖରେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସହର ଝଲସିବା ସହିତ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ମେଳା ଆୟୋଜକ ଦେବଗଡ଼ ଜିଲ୍ଲା ବ୍ୟବସାୟିକ ଅନୁଷ୍ଠାନ ସଭାପତି ଶମ୍ଭୁନାଥ ଗୋଏଲଙ୍କ ନେତୃତ୍ୱରେ ପ୍ରଧାନପାଟ ସ୍ଥିତ ମା’ ପ୍ରଧାନୀଙ୍କ ନିକଟରୁ କଳସ ଯାତ୍ରା ବାହାରି ନଗର ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ପହଞ୍ଚିଥିଲା। ଅଧିବାସ ପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କ ବିଗ୍ରହ ପୂଜା ଆସ୍ଥାନରେ ରଖାଯାଇଥିଲା।

ସନ୍ଧ୍ୟାରେ ଦେବଗଡ଼ ଏସପି ପ୍ରମୋଦ ରଥ ପୂଜା ସ୍ଥଳ ପରିଦର୍ଶନ କରି ଆଇନଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ। ପୂଜା ଅବସରରେ ମିନାବଜାର, ପ୍ରତ୍ୟହ ସନ୍ଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକରେ ଭଜନ ସନ୍ଧ୍ୟା, ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନପାଟ ସ୍ଥିତ ବଡ଼ ବଗିଚାରେ ଚକ୍‌ଲେଟ ରଙ୍ଗମଞ୍ଚର ଟିକଟ ସୋ ଅପେରା ଅନୁଷ୍ଠିତ ହେବ। ଏହା ସହିତ ଫ୍ରି ସୋ ଅପେରା ମଧ୍ୟ ଦର୍ଶକମାନେ ଉପଭୋଗ କରିପାରିବେ। ପୂଜା କମିଟି ପକ୍ଷରୁ ଅନ୍ନଭୋଗ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଲଟେରି ମାଧ୍ୟମରେ ଲଡୁ ଉଠାଣ କରାଯିବ ଏବଂ ସେପ୍ଟେମ୍ବର ୧୧ ତାରିଖ ଦିନ ନାମ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ରଧାନପାଟ ସ୍ଥିତ ବଡ ବଗିଚାରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ପୁଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୩୦ ଜଣ ପୁଲିସ ଅଧିକାରୀ, ୪ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର