ଜଟଣୀ ଗଣେଶ ପୂଜା ଉତ୍ସବ, ବିଧିରକ୍ଷା ପାଇଁ ଅନୁମତି ମିଳୁ

ଜଟଣୀ: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଦୈତ୍ୟନଗରୀର କୌଣସି ପୂଜା ମଣ୍ଡପରେ ଶ୍ରୀଗଣେଶ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ କମିସନର କହିବା ପରେ ଏହାକୁ ନେଇ ଜଟଣୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ଜଟଣୀ ଗଣେଶ ପୂଜା ନେଇ ଲୋକଙ୍କର ରହିଛି ବିଶେଷ ଆକର୍ଷଣ। ତେବେ କୋଭିଡ୍‌ ୧୯ କଟକଣାକୁ ଦୃଷ୍ଟିରେ ରଖି କୌଣସି ପୂଜାମଣ୍ଡପ ଜାକଜମକରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଆୟୋଜନ ମଧ୍ୟ କରିନାହାନ୍ତି। ମାତ୍ର ବିଧି ରକ୍ଷା ପାଇଁ ସେମାନେ ଦୀର୍ଘ ଦିନର ସେମାନଙ୍କ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା ପାଇଁ ଚାହୁଛନ୍ତି। ଏହି ନିରାଡ଼ମ୍ବର ପୂଜା ପାଇଁ ଅନୁମତି ଦେବାକୁ କମିସନରଙ୍କୁ ବିଭିନ୍ନ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯିବ। ଆସନ୍ତାକାଲି ବିଭିନ୍ନ ପୂଜା କମିଟିକୁ ନେଇ ବୈଠକ ବସିବ। ଏହି ବୈଠକରେ ଏ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜଟଣୀ ବ୍ୟବସାୟୀ ସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ୟବସାୟିକ ପେଣ୍ଠସ୍ଥଳୀ ଜଟଣୀରେ ପ୍ରାୟ ୨ଶହ ବର୍ଷ ହେବ ପାରମ୍ପରିକ ରୀତିନୀତିରେ ବିଭିନ୍ନ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା ହୋଇଆସୁଛି। ପ୍ରାୟ ୨ଶହ ଛୋଟ ‌ବଡ଼ ପୂଜା ମଣ୍ଡପକୁ ନେଇ ସମୃଦ୍ଧ ଜଟଣୀର ଗଣେଶ ପୂଜା ସମାରୋହ। ମାତ୍ର କୋଭିଡ୍‌ ୧୯ ମହାମାରୀ ଯୋଗୁ ପୂଜାମଣ୍ଡପରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଉପରେ ଆଜି କମିସନରେଟ୍‌ ପୁଲିସ ନିଷେଧାଜ୍ଞା ଜାରି କରିଛି। ଏହାକୁ ନେଇ ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି ଶ୍ରୀ ସୁନ୍ଦରାୟ କହିଛନ୍ତି ଯେ, ଆମେ ମଧ୍ୟ କୋଭିଡ୍‌ କଟକଣା ମାନିବାକୁ ଚାହୁଁଛୁ। ତବେ ପରମ୍ପରା ଭଙ୍ଗ ନ ହୋଇ ମାତ୍ର ୪/୫ ଜଣ କର୍ମକର୍ତ୍ତାଙ୍କୁ ନେଇ ମଣ୍ଡପରେ ପୂଜା ପାଇଁ କମିସନର ଆମକୁ ଅନୁମତି ଦିଅନ୍ତୁ। ପୂଜାରେ କୌଣସି ପ୍ରକାର ଭିଡ ଯେପରି ନ ହେବ, ସେଥିପାଇଁ କମିସନର ଯେଉଁ ନିର୍ଦ୍ଦେଶ ଦେବେ ପୂଜ‌ା କମିଟି ତାହା ପାଳନ କରିବାକୁ ମଧ୍ୟ ପ୍ରସ୍ତୁତ ବୋଲି ସୀତାରାମ ଛକ ବଜାର ପୂଜା ମଣ୍ଡପ ସଭାପତି ରମେଶ ମହାପାତ୍ର କହିଛନ୍ତି। ଅପରପକ୍ଷେ ଏ ନେଇ ଜଟଣୀ ଥାନା ଇନ୍‌ସପେକ୍ଟର ବିଶ୍ବରଞ୍ଜନ ସାହୁ କହିଛନ୍ତି ଯେ କମିସନର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ସମସ୍ତ ପୂଜା କମିଟିକୁ ଜଣାଇ ଦିଆଯିବ। ତେଣୁ ଏଥର ପୂଜା ମଣ୍ଡପରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧିତ ଖବର