ସମ୍ବଲପୁର: ସଂସ୍କୃତିର ସହର ସମ୍ବଲପୁରରେ ବିଘ୍ନ ବିନାଶନ ଗଜାନନଙ୍କ ପୂଜା ଧୁମ୍ଧାମ୍ରେ ପାଳନ କରାଯାଉଛି। ଗୁରୁବାର ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ ନୂଆଁଖାଇ ଥିଲେ ବି ଏହା ଗଣେଶ ପୂଜାର ଆକର୍ଷଣକୁ କମ୍ କରି ପାରି ନାହିଁ। ବୁଧବାର ସକାଳୁ ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସମେତ ଘର ମାନଙ୍କରେ ଗଣେଶ ପୂଜା ହୋଇଥିଲା। ଛାତ୍ରଛାତ୍ରୀ ମାନେ ନୂଆ ବସ୍ତ୍ର ପିନ୍ଧି ବିଦ୍ୟାଳୟରେ ପହଞ୍ଚି ଉତ୍ସାହର ସହ ପୂଜାରେ ସାମିଲ ହୋଇଥିଲେ।
ଲୋକେ ଭକ୍ତି ଓ ନିଷ୍ଠାର ସହ ବିଘ୍ନ ବିନାଶନଙ୍କ ପୂଜା କରି ଆଶୀର୍ବାଦ ନେଇଥିଲେ। ତେବେ ବିଭିନ୍ନ ପଡ଼ା ଓ ମଣ୍ଡପରେ ଆୟୋଜିତ ଗଣେଶ ପୂଜା ମୁଖ୍ୟ ଆକର୍ଷଣ ଥିଲା। କ୍ଷେତରାଜପୁର ନଟରାଜ କ୍ଲବ୍ ପକ୍ଷରୁ ୭୦୦ କେଜି ଲଡ଼ୁରେ ନିର୍ମିତ ଗଜାନନଙ୍କ ବିଶାଳ ପ୍ରତିମା ଚଳିତ ବର୍ଷ ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି। ସେହି କ୍ଷେତରାଜପୁରର ନ୍ୟୁ ୟୁଥ୍ ଆସୋସିଏସନ୍ ତରଫରୁ ଗଣେଶ ପୂଜା ପାଇଁ ନିର୍ମିତ କେଦାରନାଥ ମନ୍ଦିର ସଦୃଶ ତୋରଣ ବେଶ ଆକର୍ଷଣୀୟ ହୋଇଛି।
ମୁଦିପଡ଼ା ଛକରେ ସୁତା ରିଲ୍ରେ ଗଣେଶଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଚିତ୍ରଗୁପ୍ତ ଛକରେ ପ୍ଲାଷ୍ଟିକ୍ ବଲ୍ରେ ଗଜାନନଙ୍କ ମୂର୍ତ୍ତି ତିଆରି କରାଯାଇଛି। କଂସାରିପଡ଼ାରେ ବାଳ ଗଣେଶଙ୍କୁ ମା’ କାଖେଇଛନ୍ତି। ହାଟପଡ଼ାରେ ଗଣେଶ କୋଭିଡ୍ ଯୋଦ୍ଧା ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ବୈଦ୍ୟନାଥ ଛକରେ ଗଣେଶଙ୍କ ମେଢ଼ରେ ଅଶୋକ ସ୍ତମ୍ଭ ଓ ଅଶୋକ ଚକ୍ର ସ୍ଥାନ ପାଇଛି। ଶାନ୍ତିନଗରରେ କାଜୁ ଓ ପିସ୍ତା ବାଦାମରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି।
ଚନ୍ଦନନଗରରେ ପ୍ରଭୁ ଗଜାନନ ତିରୁପତି ବାଲାଜୀଙ୍କ ରୂପ ଧାରଣ କରିଥିଲାବେଳେ ତାଙ୍କ ମତ୍ସ୍ୟାବତାର ମଧ୍ୟ ଦେଖିବାକୁ ମିଳିଛି। ପୋଦ୍ଦାର କଲୋନି, ବଡ଼ବଜାର, କୁଂଜେଲପଡ଼ା, ଧର୍ମଶାଳା ଗଳି, ଦଲେଇପଡ଼ା, ମୁନ୍ସିପାଲ୍ଟି ଛକ, ହୀରାକୁଦ କଲୋନି, ଜେଲ ଛକ, ଧନୁପାଲି, ଭୁତାପଡ଼ା, ବରେଇପାଲି ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବେଶ ଧୁମ୍ଧାମ୍ରେ ପାଳନ କରାଯାଉଛି।