ରାଉରକେଲା: ଧରାପୃଷ୍ଟରେ ପାଦ ଥାପିଛି ପାର୍ବଣ ଋତୁ। ଆଗମନ ହୋଇଛନ୍ତି ଅଗ୍ରପୂଜ୍ୟ ଗଜାନନ। ମହାମାରୀ କରୋନା କଟକଣା ହଟିବା ପରେ ବେଶ ଜମୁଛି ପୂଜାର ମାହୋଲ। ଦୁଇ ବର୍ଷ ପରେ ପୂଜା ଉପଭୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମିଳିଛି ଅନୁମତି। ଏଥିପାଇଁ ସ୍ମାର୍ଟସିଟି ରାଉରକେଲାରେ ବେଶ୍ ଜମୁଛି ଗଣେଶ ପୂଜା। ଗଣେଶ ପୂଜା ଦେଖିବାକୁ ପ୍ରତ୍ୟେକ ପୂଜାମଣ୍ଡପରେ ଜମୁଛି ନାହିଁ ନଥିବା ଶ୍ରଦ୍ଧାଳୁଙ୍କୁ ଭିଡ।
ସହରର ସିଭିଲଟାଉସିପ୍, ଛେଣ୍ଡ କଲୋନି, ବାସନ୍ତୀକଲୋନି, ସେକ୍ଟର-୮, ରେଲୱେ କଲୋନି, ବନ୍ଧମୁଣ୍ଡା, ଫର୍ଟିଲାଇଜର, ବେଦବ୍ୟାସ ଆଦି ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ। ଛେଣ୍ଡ କଲୋନିସ୍ଥ ବ୍ରାଇଟ୍ ଲେନ୍ ୱେଲଫେୟାର କମିଟିର ପକ୍ଷରୁ ଦୁବାର ବ୍ରୁଜ ଖଲିପା, ବାସନ୍ତୀକଲୋନି ହେଲପ୍ ଏଜ୍ କ୍ଲବର ପକ୍ଷରୁ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର, ସିଭିଲଟାଉନସିପ୍ରେ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆକାରର ତୋରଣ ବେଶ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରତ୍ୟେକ ପୂଜା କମିଟି ତୋରଣ, ଆଲୋକ ସାଜ୍ଜସଜ୍ଜାକୁ ଯେତିକି ଗୁରୁତ୍ବ ଦେଇଛନ୍ତି, ତା’ଠାରୁ ବେଶ୍ ପ୍ରାଥମିକତା ଦେଇଛନ୍ତି ପୂଜାମଣ୍ଡପ ବୁଲି ଆସୁଥିବା ଦର୍ଶକମାନଙ୍କ ସୁରକ୍ଷାକୁ। ସହରର ପ୍ରମୁଖ ପୂଜାମଣ୍ଡପରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ପୂଜା କମିଟିର କର୍ମକର୍ତ୍ତାମାନେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାର ଦାୟିତ୍ବ ନେଇଛନ୍ତି। ଛେଣ୍ଡ କଲୋନି ବ୍ରାଇଟ୍ ଲାଇନ୍ ୱେଲଫେୟର କମିଟି ପକ୍ଷରୁ ପାଳନ ହେଉଥିବା ଗଣେଶ ପୂଜା ଚଳିତ ଥର ୩୦ ବର୍ଷରେ ପଦାର୍ପଣ କରିଛି।
ପୂଜା କମିଟି ପକ୍ଷରୁ ୧୨୦ ଫୁଟ୍ ଉଚ୍ଚ ଓ ୮୦ ଫୁଟ୍ ଚଉଡାର ବ୍ରୁଜ ଖଲିପା ରୁପରେ ତୋରଣ ନିର୍ମାଣ କରିଛନ୍ତି। ତୋରଣ ଓ ଆଲୋକ ସାଜ୍ଜସଜ୍ଜାରେ ପୂଜା କମିଟି ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବୋଲି କମିଟିର ଉପଦେଷ୍ଟା ଜେଣ୍ଟଲ ପରିଡା କହିଛନ୍ତି। ସେମିତି ଗଣେଶଙ୍କ ୧୫ ଫୁଟ୍ର ପ୍ରତିମା ଫୋମ୍ରେ ତିଆରି ହୋଇଛି, ଯାହା ପୂଜାମଣ୍ଡପର ଆଉ ଏକ ଆକର୍ଷଣ। ପୂଜା ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପୂଜା କମିଟିର ସଭାପତି ଦୀଲପ କୁମାର ସାହୁ, ସମ୍ପାଦକ ନିହାର ରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରିନ୍ସ ଦାସ ପୂଜା ପରିଚଳନାରେ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ବାସନ୍ତୀ କଲୋନିର ହେଲ୍ପ ଏଜ୍ ଗଣେଶ ପୂଜା କମିଟି ନିର୍ମାଣ କରିଛି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ।ତୋରଣର ଉଚ୍ଚତା ୭୫ ଫୁଟ୍ ଓ ୬୦ ଫୁଟ୍ ଚଉଡ଼ା ରହିଛି। ପଶ୍ଚିମବଙ୍ଗର ସାମଲ ଚନ୍ଦ୍ର ସର୍ଦ୍ଦାର। ବ୍ୟୟ ଅଟକଳ ରହିଛି ୯ ଲକ୍ଷରୁ ଅଧିକ। କମିଟିର ସଭାପତି ଭକ୍ତି ପୋଦ୍ଦାର, ସମ୍ପାଦକ ଭରତ ସଂଗଭି ଓ କର୍ତ୍ତା ବୁଲୁ ମହାନ୍ତି ଗଣେଶ ପୂଜାର ସମସ୍ତ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିଭିଲ୍ ଟାଉନସିପ୍ କଲ୍ୟାଣ ମଣ୍ଡପରେ ଗଣେଶ ପୂଜା କମିଟି ପକ୍ଷରୁ ଆଡ଼ମ୍ବରରେ ଗଣେଶ ପୂଜା ପାଳିତ ହେଉଛି।
ନିର୍ମାଣ ହୋଇଛି ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ଗଣେଶଙ୍କ ଦୁଇ ପାର୍ଶ୍ବରେ ରିଦ୍ଧି ଓ ସିଦ୍ଧି ମୂର୍ତ୍ତି ରହିଛି। ତିନିଟି ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍ ଓ ଚଉଡ଼ା ୧୮ ଫୁଟ୍ ରହିଛି। ତୋରଣର ଉଚ୍ଚତା ୫୦ ଫୁଟ୍ ଓ ଚଉଡ଼ା ୯୦ ଫୁଟ୍ ରହିଛି। ତୋରଣ ଓ ସାଜ୍ଜସଜ୍ଜା ବାବଦରେ ପୂଜା କମିଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଅନୁରୂପ ଭାବେ ସାରନଗରୀ ଇନ୍ଦରାପାଲୀ କ୍ଲବ ପକ୍ଷରୁ ଆଇଏନ୍ଏସ୍ ତଲୱାର ରୂପର ତୋରଣ ଅନ୍ୟତମ ଆକର୍ଷଣ ସାଜିଛି। ସେମିତି ସୁପରମାର୍କେଟ, ବାଲିଯୋଡି ଆଦି ସ୍ଥାନରେ ପ୍ରାୟ ୨୦ଫୁଟ୍ରୁ ୩୦ ଫୁଟ ଉଚ୍ଚର ଆକର୍ଷଣୀୟ ତୋରଣମାନ ନିର୍ମାଣ ହୋଇଛି।