ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି। ବହୁ ବିଦ୍ୟାଳୟରେ କେବଳ ବିଧିରକ୍ଷା କରି ପୂଜା ପାଳନ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ କେବଳ ଫଟୋ ପୂଜାରେ ବିଧି ରଖୁଥିବା ଜଣାପଡ଼ିଛି। କୌଣସି ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇପାରିବେ ନାହିଁ । ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ସରସତା ନାହିଁ କି ଉତ୍ସାହ ନାହିଁ କହିଲେ ଚଳେ।
ବହୁ ପିଲା ନିଆରା ଢ଼ଙ୍ଗରେ ଗଣେଶଙ୍କୁ ପୂଜା କରିବାକୁ ଯାଉଛନ୍ତି। ବିଦ୍ୟାଳୟରେ ନହେଲେ ବି ସେମାନେ ଘରେ ପୂଜା କରୁଛନ୍ତି। ତେଣୁ ବଜାରରୁ ସେମାନେ ବହୁ କୁନିକୁନି ଗଣେଶ ମୂର୍ତ୍ତି କିଣିଛନ୍ତି। କିଏ ମାଟି ମୂର୍ତ୍ତି କିଣିଛି ତ କିଏ ସହିତ ପ୍ଲାଷ୍ଟର ଅଫ୍ ପାରିସ୍ ମୂର୍ତ୍ତି କିଣିଛି। ବଡ଼ କଥା ହେଉଛି ପିଲାମାନେ ବିନା ପୂଜକ ରେ ପୂଜା କରିବେ। ପୂଜକ ଭାଇନା ମିଳିବା ଓ ଦକ୍ଷିଣା ସମସ୍ୟା ପାଇଁ ସେମାନେ ନିଜେ ମନ୍ତ୍ରପାଠ କରିବାକୁ ଯୋଜନା କରିଛନ୍ତି। ତେଣୁ ପୂଜା ବିଧି ବହି କିଣିଛନ୍ତି। ନିଜେ ନିଜେ ମୂର୍ତ୍ତି ସମ୍ମୁଖରେ ବହିରୁ ମନ୍ତ୍ର ପଢ଼ି ସେମାନେ ଗଣେଶଙ୍କୁ ଆବାହନ କରୁଛନ୍ତି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ନିଆରା ଗଣେଶ ପୂଜା। ଗଛକୁ ଗଜାନନ ରୂପ ଦେଇଛନ୍ତି ବକୁଳ ପାଠାଗାରର ସଦସ୍ୟମାନେ। ପୂଜା ସମୟରେ କୌଣସି ଜିନିଷ ନଷ୍ଟ ନ ହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଛକୁ ପୂଜା କରିବା ବେଳେ ଦୁଇଟି ବାର୍ତ୍ତା ଦେଉଛନ୍ତି ବକୁଳ ପାଠାଗାର। ପ୍ରଥମତଃ କମ୍ ଖର୍ଚ୍ଚରେ ଗଣେଶ ପୂଜା ଓ ପୂଜା ମାଧ୍ୟମରେ କିପରି ପରିବେଶ ସୁରକ୍ଷା କରାଯାଇ ପାରିବ ସେ ବାର୍ତ୍ତା ଦିଆଯାଇଛି। କରୋନା ମହାମାରୀ ସହ ଲଢେଇ କରୁଛନ୍ତି ବିଘ୍ନବିନାଶକ। ମହାମାରୀ ଯୋଗୁଁ ଆଗଭଳି ଜାକଜମକରେ ପୂଜା ହେଉନାହିଁ। କିନ୍ତୁ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ କଟକରେ ଗଣେଶ ପୂଜା ଚାଲିଛି।