କଟକରେ ହେବନି ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ନେଇ ସନ୍ଦେହ

କଟକ: ଚଳିତ ବର୍ଷ କଟକବାସୀଙ୍କୁ ଆକର୍ଷଣୀୟ ଗଣେଶ ପୂଜା ଦେଖିବାକୁ ସୁଯୋଗ ମିଳିପାରିବ ନାହିଁ । କରୋନା ଭାଇରସ କଟକଣା ପାଇଁ ଆଜି ଶାନ୍ତି ଓ ପୂଜା କମିଟି ସହ କମିସନରେଟ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସର୍ବସାଧାରଣ କିମ୍ବା କୌଣସି ସଂସ୍ଥା ପକ୍ଷରୁ ଗଣେଶ ପୂଜା କରାଯାଇପାରିବ ନାହିଁ । ଗଣେଶ ପୂଜା ବ୍ୟତୀତ ପ୍ରସିଦ୍ଧ ଦୁର୍ଗାପୂଜା ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି । ଯଦି ପରିସ୍ଥିତିରେ କୌଣସି ସୁଧାର ନଆସୁଛି, କଟକ ସହରରେ ଦୁର୍ଗାପୂଜାର ଝଲକ ମଧ୍ୟ ଦେଖାଯିବ ନାହିଁ । ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ଏବେଠାରୁ ଦଶହରା ପାଇଁ କୌଣସି ପୂର୍ବ ପ୍ରସ୍ତୁତି କରା ନଯାଉ ।

ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଚଳିତ ବର୍ଷ କଟକ କମିସନରେଟ ଅଂଚଳରେ କୌଣସି ସଂସ୍ଥା ପକ୍ଷରୁ ଗଣେଶ ପୂଜାର ଆୟୋଜନ କରିପାରିବେ ନାହିଁ । କେବଳ ଘରେ ପୂଜା ହୋଇପାରିବ । ଗଣେଶ ପୂଜା ନେଇ ଡିସିପିଙ୍କ କାର୍ଯ୍ୟାୟଳରେ ଅନୁଷ୍ଠିତ ବୈଠକରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

କଟକରେ ଯଦିଓ କୌଣସି ସଂସ୍ଥା କିମ୍ବା ସର୍ବସାଧାରଣସ୍ଥଳରେ ଗଣେଶ ପୂଜା ଅନୁଷ୍ଠିତ ହୋଇପାରିବ ନାହିଁ, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ କେବଳ ମୂର୍ତ୍ତି କିମ୍ବା ଘଟ ପୂଜା କରାଯାଇପାରିବ । ସ୍ଥିତି ଦେଖି ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି, କଟକ ମହାନଗର ନିଗମର ସଂପାଦକ ପ୍ରଭାତ ତ୍ରିପାଠୀ । ସେ କହିଛନ୍ତି, ଲୋକେ ବ୍ୟକ୍ତିଗତ ଭାବରେ ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ ।

ସୂଚନାଯୋଗ୍ୟ, ଐତିହାସିକ ସହର କଟକରେ ଗଣେଶ ପୂଜା ଠାରୁ ପୂଜା ଋତୁ ଆରମ୍ଭ ହୋଇଯାଇଥାଏ । ଭାଇଚାରର ସହରରେ ପ୍ରାୟ ସାଢ଼େ ୩ ହଜାର କ୍ଲବ ରହିଥିବା ବେଳେ ଏଥିରୁ ପ୍ରାୟ ଅଢ଼େଇ ହଜାର କ୍ଲବ ପକ୍ଷରୁ ଗଣେଶ ପୂଜାର ଆୟୋଜନ କରାଯାଇଥାଏ । କିନ୍ତୁ ସହରରେ ପ୍ରାୟ ଦେଢ଼ ଶହ ଅନୁଷ୍ଠାନ ଆକର୍ଷଣୀୟ ଭାବେ ଗଣେଶ ପୂଜାର ଆୟୋଜନ କରିଥାନ୍ତି ।

ସମ୍ବନ୍ଧିତ ଖବର