ପୁରୀ: ଘଣ୍ଟଘଣ୍ଟା ସାଙ୍ଗକୁ ବାଜାବାଣର ରୋଷଣିରେ ଶରଧାବାଲିକୁ ଛୁଟି ଆସୁଥିଲା ଗୋଟେ ପରେ ଗୋଟେ ଶୋଭାଯାତ୍ରା। ପ୍ରଭୁ ଶ୍ରୀଗଜାନନଙ୍କୁ ମେଲାଣି ଦେବାକୁ ହୋଇଥିଲା ଆଡ଼ମ୍ବରପୂର୍ଣ୍ଣ ଆୟୋଜନ। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ବିଘ୍ନରାଜ ଗଣେଶଙ୍କୁ ଶୋଭାଯାତ୍ରାରେ ନେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସମବେତ ହୋଇଥିଲେ ପୂଜା କମିଟିର କର୍ମକର୍ତ୍ତାଗଣ। ଆୟୋଜିତ ଗଣେଶ ମେଳଣ ଅବସରରେ ୩୦ରୁ ଅଧିକ ଗଣେଶ ମେଢ଼ଙ୍କ ସମାବେଶ ଦେଖିବାକୁ ମିଳିଥିଲା।

Advertisment

publive-image

ଶ୍ରୀକ୍ଷେତ୍ର ଗଣପତି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଭସାଣି କାର୍ଯ୍ୟକ୍ରମରେ ସମବେତ ଗଣେଶଙ୍କୁ ଏକାଠି ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସାଢ଼େ ୭ଟାରୁ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ଗଣେଶ ମେଢ଼ଙ୍କ ସମାବେଶ ଆରମ୍ଭ ହୋଇଯାଇଥିଲା। ଶୋଭାଯାତ୍ରାରେ ପୂଜା କମିଟିର କର୍ମକର୍ତ୍ତାମାନେ ପ୍ରଭୁଙ୍କୁ ନେଇ ଏକାଠି ହେବା ପରେ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହୋଇଥିଲା। ‌ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ମେଢ଼ଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଥିଲା।

publive-image

ମେଳଣ ସ୍ଥଳରେ ପାଲା ଓ ଦାସକାଠିଆ ଭଳି ପାରମ୍ପରିକ କାର୍ଯ୍ୟକ୍ରମ ଉପଭୋଗର ‌ସୁ‌ଯୋଗ ଦେଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଆଗନ୍ତୁକ ପୂଜା କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରୁ ସମସ୍ତ ଗଣେଶ ମୂର୍ତ୍ତି ନାକଚଣା ଦ୍ବାର ସଂଲଗ୍ନ ରାସ୍ତାରେ ନବକଳେବର ରୋଡ୍‌ ଦେଇ ମଙ୍ଗଳାଘାଟରେ ନିର୍ମିତ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ ପାଇଁ ଯାଇଥିଲେ।