ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍‌

ଭୁବନେଶ୍ୱର: ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ ନେଇଛନ୍ତି। ରାଜଭବନଠାରେ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ହାଇକୋର୍ଟର ମୁଖ୍ୟବିଚାରପତି ବିନିତ ଶରଣଙ୍କ ଠାରୁ ଗଣେଶୀ ଲାଲ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ, ବିଧାୟକ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶପଥ ପାଠ ପରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା।

ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ପ୍ରଫେସର ଲାଲ ପୁରୀ ଯାଇ ବଡ଼ଦେଉଳରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ରାଜ୍ୟପାଳ ଯେପରି ସୁରୁଖୁରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ପ୍ରଫେସର ଲାଲ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ପରେ ମନ୍ଦିର ଭିତରେ ଶ୍ରୀ ଲାଲ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରହି ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ପରେ ସାମ୍ବାଦିକମାନଙ୍କୁ ପ୍ରଫେସରଲାଲ କହିଛନ୍ତି ଯେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଖୁସି ଲାଗିଲା। ସେ ସମ୍ବିଧାନର ରକ୍ଷକ ଭାବେ କାର୍ଯ୍ୟ କରିବେ ଓ ଯେଉଁମାନଙ୍କ ପାଖରେ ଶାସନର ସର୍ବନିମ୍ନ ସୁବିଧା ପହଞ୍ଚିି ପାରୁ ନାହିଁ, ସେମାନଙ୍କ ପାଖରେ ପ୍ରଶାସନ ଯେମିତି ପହଞ୍ଚିବ ତାହାକୁ ସେ ଗୁରୁତ୍ୱ ଦେବେ ବୋଲି ପ୍ରଫେସର ଲାଲ କହିଛନ୍ତି।

ସମ୍ବନ୍ଧିତ ଖବର