୨୯ରେ ରାଜ୍ୟପାଳ ଭାବେ ଶପଥ ନେବେ ଗଣେଶୀ ଲାଲ୍‌, ଆସନ୍ତାକାଲି ଆସିବେ ଓଡ଼ିଶା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅନୁଶାସନ ସମିତି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ପ୍ରଫେସର ଗଣେଶୀ ଲାଲ ଆଗାମୀ ମେ’ ମାସ ୨୯ ତାରିଖରେ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏଥି ପାଇଁ ଶ୍ରୀ ଗଣେଶୀ ଲାଲ ସୋମବାର ଓଡ଼ିଶା ଆସିବେ। ଗଣେଶୀ ଲାଲ୍‌ ଓଡ଼ିଶାର ରାଜ୍ୟପାଳ ହେବା ନେଇ ମେ’ ମାସ ୨୫ରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
ହରିୟାଣାର ସିର୍‌ସା ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିବା ଶ୍ରୀ ଲାଲ ପରେ ବିଜେପିରେ ଯୋଗ ଦେଇଥିଲେ। ୧୯୯୧ ମସିହାରେ ସିର୍‌ସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜୟର ସାମ୍ନା କରିଥିଲେ। ତେବେ, ୧୯୯୬ରେ ସେହି ଆସନରୁ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହିତ ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଆରଏସ୍‌ଏସ୍‌ ସହିତ ଘନିଷ୍ଠ ସମ୍ପର୍କ ଥିବା ତଥା ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବରେ ଜଣାଶୁଣା ପ୍ରଫେସର ଲାଲ ହରିୟାଣା ବିଜେପି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀଙ୍କ ସରକାର ଅମଳରୁ ପ୍ରଫେସର ଲାଲ ରାଜ୍ୟପାଳ ଭାବରେ ନିଯୁକ୍ତ ହେବାର ଥିଲେ ମଧ୍ୟ କୌଣସି କାରଣରୁ ତାହା ସମ୍ଭବ ହୋଇପାରିନଥିଲା। ଗତ ମାର୍ଚ୍ଚମାସରେ ମଧ୍ୟ ହରିୟାଣାରୁ ସେ ରାଜ୍ୟସଭାକୁ ଯିବାପାଇଁ ଆପାତତଃ ସ୍ଥିର ହୋଇଥିଲା। ମାତ୍ର,  ଶେଷ ମୁହୂର୍ତ୍ତରେ ତାହା ଅଟକି ଯାଇଥିଲା। ଶେଷରେ, ରାଷ୍ଟ୍ରପତି  ପ୍ରଫେସର୍‌ ଲାଲଙ୍କୁ  ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ଡ. ଏସ୍‌ ସି ଜମିରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତ ପ୍ରଦାନ କରାଯାଇଛି। ଶ୍ରୀ ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅତିରିକ୍ତ ଭାବେ  ଦାୟିତ୍ୱ ଗ୍ରହଣ କରିଥିଲେ।

 

ସମ୍ବନ୍ଧିତ ଖବର